ମୟୁରଭଞ୍ଜ: ଲୌହଖଣିରେ ଶ୍ରମିକ ଅସୁରକ୍ଷିତ, ୨ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଗୋରୁମହିଷାଣି/ବାରିପଦା: ଲୌହଖଣିରେ କାର୍ଯ୍ୟରତ ଶ୍ରମିକଙ୍କ ସୁରକ୍ଷା ପାଇଁ ସୁବନ୍ଦୋବସ୍ତ କରାଯାଉ ନାହିଁ। କୋଟି କୋଟି ଟଙ୍କା ଲାଭ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଥିବା ଶ୍ରମିକଙ୍କ ଜୀବନ ସୁରକ୍ଷା ପାଇଁ କମ୍ପାନିମାନେ ଦୃଷ୍ଟି ଦେଉ ନାହାନ୍ତି। ଫଳରେ ଶ୍ରମିକମାନଙ୍କୁ ଦୁର୍ଘଟଣା ଶିକାର ହେବାକୁ ପଡୁଥିବା ବେଳେ କେତେବେଳେ ଅନ୍ୟାନ୍ୟ ନିର୍ଯ୍ୟାତନାର ଶିକାର ହେବାକୁ ହେବାକୁ ପଡୁଛି।

ମୟୁରଭଞ୍ଜ ଜିଲ୍ଲାର ଗୋରୁମହିଷାଣି ଲୌହଖଣିରେ ଶ୍ରମିକମାନେ ରବିବାର ସକାଳୁ ଏଭଳି ଦୁର୍ଘଟଣା ସମ୍ମୁଖୀନ ହୋଇଛନ୍ତି। ଆଜି ପାହାଡ଼ ତଳେ ଶ୍ରମିକମାନେ କାର୍ଯ୍ୟ କରୁଥିବା ବେଳେ ପାହାଡ଼ ଉପରେ ଡମ୍ପିଂ ଚାଲୁଥିଲା। ଡମ୍ପିଂ ସମୟରେ ସାଇରନ ବାଜି ନଥିବାରୁ ଶ୍ରମିକମାନେ ଅସାବଧାନ ସହିତ କାମ କରୁଥିଲେ। ଏହି ସମୟରେ ପାହାଡ଼ ଉପରୁ ବଡ଼ ଲୌହଶିଳା ତଳକୁ ଖସିଥିଲା। କିଛି ଶ୍ରମିକ ପ୍ରାଣ ବିକଳରେ ଦୌଡ଼ି ପଳାଇଥିଲେ। କିଛି ଶ୍ରମିକ ଗଛକୁ ଚଢ଼ି ଯାଇଥିବା ବେଳେ, କାର୍ତ୍ତିକ ନାଏକ ଓ ଲକ୍ଷେନ୍ଦ୍ର ସର୍ଦ୍ଦାରଙ୍କ ଗୋଡ଼ରେ ପଥରଶିଳା ଆଘାତ ଦେଇଥିଲା। ପରେ ତାଙ୍କୁ ଅନ୍ୟ ଶ୍ରମିକଙ୍କ ସହାୟତାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ପରେ ଶ୍ରମିକମାନେ ଉତ୍ତେଜିତ ହୋଇ ପଡ଼ିଥିଲେ। ବହୁ ସମୟ ଧରି କାର୍ଯ୍ୟ ବନ୍ଦ ଥିଲା। ପରେ ଅଧିକାରୀମାନେ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତି ପଡ଼ିଥିଲା।

ସମ୍ବନ୍ଧିତ ଖବର