-ଡାଏଲିସିସ୍ କକ୍ଷରେ ଡାକ୍ତର ରହୁ ନାହାଁନ୍ତି
-୩ ଟେକ୍ନିସିଆନ୍‌ରେ ଚାଲିଛି ଚିକିତ୍ସା
-ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ରୋଗୀ ସମ୍ପର୍କିତଙ୍କ ଦାବି 

Advertisment

ରାଇରଙ୍ଗପୁର: ୭ ଦିନ ମଧ୍ୟରେ ଡାଏଲିସିସ୍ କକ୍ଷରେ ଚିକିତ୍ସା ସମୟରେ ଦୁଇ ରୋଗୀ ମୃତ୍ୟୁ ହୋଇସାରିଛି। ଡାକ୍ତରଖାନାରେ ରହୁନାହାନ୍ତି ଡାଏଲିସିସ୍ ବିଭାଗ ଡାକ୍ତର। ୩ ଟେକ୍ନିସିଆନ୍‌ରେ ଚାଲିଛି ଚିକିତ୍ସା। ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ରୋଗୀ ସମ୍ପର୍କିତଙ୍କ ଦାବି ହେଉଛି। ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ।

ଗତ ୯ ତାରିଖ ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗି ଗ୍ରାମର ଯୁବକ ବିଶ୍ଵଜିତ୍ ମହାନ୍ତ(୩୩)ଙ୍କ ଡାୟଲିସିସ୍ ସମୟରେ ମୃତ୍ୟୁ ଘଟିଥିବା ବେଳେ ଆଜି ପୁଣି ବିଶୋଇ ଥାନା ଅନ୍ତର୍ଗତ ବଡଜାମବିଲା ଗ୍ରାମର ଏସକେ କୁର୍ବାନ ଅଲ୍ଲୀ ଖାନ(୬୨)ଙ୍କ ଚିକିତ୍ସା ଚାଲିଥିବା ବେଳେ ଡାଏଲିସିସ୍ ମେସିନ୍ ପାଇପରୁ ଶରୀରକୁ ସଂଯୋଗ କରୁଥିବା ପାଇପ୍ ଫାଟିଯିବା ଫଳରେ ପ୍ରଚୁର ରକ୍ତ ସ୍ରାବ ହୋଇଥିଲା। ପ୍ରଚୁର ରକ୍ତସ୍ରାବ ଯୋଗୁଁ ଗୁରୁତର ରୋଗୀ ଗୁରୁତର ହୋଇଥିଲେ। ଗୁରୁତର ହୋଇଥିବା ଜାଣି ଟେକ୍ନିସିଆନ୍ ଦାୟିତ୍ବରେ ଥିବା ଡାକ୍ତର ପି .ସି ଗିରିଙ୍କୁ ଫୋନ କରିଥିଲେ କିନ୍ତୁ ଦୀର୍ଘ ସମୟ ଧରି ଡାକ୍ତର ନଆସିବାରୁ ବାଧ୍ୟ ହୋଇ କାର୍ଯ୍ୟରତ ଟେକ୍ନିସିଆନ୍, ସୁଇପର ଓ ପରିବାର ଲୋକେ ମିଶି ରୋଗୀକୁ ଷ୍ଟ୍ରଚର ସାହାଯ୍ୟରେ ବହିର୍ବିଭାଗକୁ ଆଣିଥିଲେ ତେବେ ସେଠାରେ ମଧ୍ୟ ତାଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡିଥିଲା। ପରେ ବହିର୍ବିଭାଗରେ ଥିବା ଡାକ୍ତର ରୋଗୀଙ୍କ ସ୍ବାସ୍ଥ୍ୟବସ୍ଥା ପରୀକ୍ଷା କରିବାରୁ ଡାଏଲିସିସ୍ ରୋଗୀଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ପ୍ରଦାନ କରିଥିଲେ।

ତେବେ ଗୁରୁତର ହୋଇଥିବା ସମୟରେ ଟେକ୍ନିସିଆନ୍‌ମାନେ ଉଦଳା ଉପଖଣ୍ଡ ଚିକିତ୍ସାଳୟରେ ଜଣେ ବରିଷ୍ଠ ଟେକ୍ନିସିଆନ୍ ଅଛନ୍ତି ସେ ପାଇପ୍ ବଦଳ କରିଦେବେ ବୋଲି ରୋଗୀଙ୍କ ପରିବାର ଲୋକଙ୍କୁ କହିଥିଲେ। ତେବେ ଡାଏଲିସିସ୍ ବିଭାଗକୁ ଡାକ୍ତର ନଯିବାରୁ ଗୁରୁତର ରୋଗୀଙ୍କୁ ଷ୍ଟ୍ରଚର ସାହାଯ୍ୟରେ ବହିର୍ବିଭାଗ ନେବା ଯୋଗୁଁ ମୃତ୍ୟୁ ଘଟିଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି।

ଏନେଇ ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠୁଛି ଯେ ଏଭଳି ଗୁରୁତର ରୋଗୀଙ୍କ ନିମନ୍ତେ ଥିବା ସ୍ଵତନ୍ତ୍ର ଶଯ୍ୟାରୁ ସ୍ଥାନାନ୍ତର କରି ଷ୍ଟ୍ରଚରରେ ବୁହାହେଲା ? ବାରମ୍ବାର  ଡାୟଲିସିସ୍ ରୋଗୀଙ୍କ ଏଭଲି ମୃତ୍ୟୁ ପାଇଁ ଦାୟୀ କିଏ। ତେବେ ଓଡ଼ିଶା ରାଜ୍ୟ ସରକାର କଲିକତାର ଏକ ଘରୋଇ ହସ୍ପିଟାଲ ସଞ୍ଜିବନୀକୁ ଦାୟିତ୍ଵ ଦିଆଯାଇଛିl ସଞ୍ଜିବନୀ ଦାୟିତ୍ଵ ହୀନତା ଭଳି କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି। ତେବେ ଏନେଇ ଡାଏଲିସିସ୍ ଦାୟିତ୍ଵରେ ଥିବା ଡାକ୍ତର ପି.ସି ଗିରିଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇନଥିଲା। ଏନେଇ ଉପଖଣ୍ଡ ଚିକିତ୍ସାଳୟର ଏସଡିଏମଓ ଡ଼ାକ୍ତର ରବୀନ୍ଦ୍ର ନାଥ ମାରାଣ୍ଡିଙ୍କ ସହିତ ଯୋଗାଯୋଗ କରିବାରୁ ଘଟଣା ସମ୍ପର୍କରେ ତାଙ୍କ ପାଖକୁ କୌଣସି ଅଭିଯୋଗ ହୋଇନଥିବା ନିଜ ମତ ରଖିଛନ୍ତି।

Health | Mayurbhanj