ଡାଆଣୀ ସନ୍ଦେହରେ ଜଘନ୍ୟ ହତ୍ୟାକାଣ୍ଡ: ଦୁଇ ବୃଦ୍ଧାଙ୍କୁ କୁରାଢ଼ୀରେ ହାଣିଲା ଯୁବକ, ତୀର ମାଡ଼ରେ ସାବତ ମାଆ ଗୁରୁତର

ରାଇରଙ୍ଗପୁର: ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ଦେଶରୁ ଅନ୍ଧବିଶ୍ୱାସ ଓ କୁସଂସ୍କାର ଯାଇ ନାହିଁ। ଏହା ରବିବାର ପ୍ରମାଣିତ ହୋଇଛି ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଅଞ୍ଚଳରେ। ଜାମଦା ଥାନା ଅନ୍ତର୍ଗତ ମଧୁପୁର ଗ୍ରାମରେ ରବିବାର ଅପରାହ୍ନରେ ଡାଆଣୀ ସନ୍ଦେହରେ ଦୁଇ ଜଣ ବୃଦ୍ଧାଙ୍କୁ ଜଘନ୍ୟ ଭାବେ ହତ୍ୟା କରିବା ପରେ ସାବତ ମାଆକୁ ମଧ୍ୟ ତୀରବିଦ୍ଧ କରାଯାଇଛି। ସାବତ ମାଆ ଗୁରୁତର ଥିବାରୁ ତାଙ୍କୁ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତିି କରାଯାଇଛି।

ମଧୁପୁର ଗ୍ରାମର ବସେନ ବାସ୍କେ(ବଟେ)ଙ୍କ ପୁଅ ଶ୍ୟାମ ବାସ୍କେ(୩୦) ଗତ ୫ ବର୍ଷରୁ ଅଧିକ ହେବ ବିବାହ କରିଥିଲେ କିନ୍ତୁ ବାରମ୍ବାର ତାଙ୍କର ପିଲାଛୁଆଙ୍କ ମୃତ୍ୟୁ ଘଟି ଆସୁଥିଲା। ଏହାପରେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଏସବୁ ଘଟଣା ଡାଆଣୀ ତଥା ଗୁଣିଗାରେଡି ହେତୁ ଘଟୁଛି ବୋଲି ଧରିନେଇଥିଲେ। ଆଜି ଅପରାହ୍ନରେ ଡାଆଣୀ ସନ୍ଦେହରେ ଗାଁର ଦୁଇ ଜଣ ବୟସ୍କ ମହିଳାଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିବା ପରେ ନିଜର ସାବତ ମାଆକୁ ମଧ୍ୟ ଛାଡ଼ି ନଥିଲେ। ସାବତ ମାଆକୁ ତୀର ମାରିବାରୁ ଗୁରୁତର ଅବସ୍ଥାରେ ରାଇରଙ୍ଗପୁର ଉପଖଣ୍ଡ ଡାକ୍ତରଖାନାକୁ ନିଆଯାଇଛି। ଉକ୍ତ ଗ୍ରାମର ଦଶରଥ ମୁର୍ମୁଙ୍କ ସ୍ତ୍ରୀ କାର୍ମୀ ମୁର୍ମୁ(୬୫) ଘରେ ଥିବା ବେଳେ ତାଙ୍କୁ ଶ୍ୟାମ କୁରାଢ଼ୀରେ ହାଣି ହତ୍ୟା କରିଛି। ସେହିପରି ସ୍ୱର୍ଗତ ଗେଡା ହେମ୍ବ୍ରମ୍‌ଙ୍କ ସ୍ତ୍ରୀ ସୂର୍ଯ୍ୟୁ ହେମ୍ବ୍ରମ୍‌(୬୦) ଗାଁ ପକ୍କା ରାସ୍ତାରେ ଧାନ ଶୁଖାଉଥିବା ବେଳେ ତାଙ୍କୁ ମଧ୍ୟ କୁରାଢ଼ୀରେ ହାଣିବା ସହ ମୁଣ୍ଡରେ ପଥର ଛେଚି ହତ୍ୟା କରିଛନ୍ତି। ପରେ ସାବତ ମାଆ ଜବା ବାସ୍କେଙ୍କୁ ତୀର ମାରିବାରୁ ସେ ଗୁରୁତର ଆହତ ହୋଇଥିଲେ।

ହତ୍ୟାକାଣ୍ଡ ଘଟାଇ ଶ୍ୟାମ ଜାମଦା ଥାନାରେ ଯାଇ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଜାମଦା ଥାନା ପୁଲିସ୍‌ ଏବଂ ରାଇରଙ୍ଗପୁର ଏସ୍‌ଡିପିଓ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଏଭଳି ଘଟଣାକୁ ନେଇ ସ୍ଥାନୀୟ ଅଂଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର