ବିଧାୟକ-ଯନ୍ତ୍ରୀ ମୁହାଁମୁହିଁ: ଦଳୀୟ କର୍ମୀଙ୍କ ସହ ଧାରଣାରେ ବସିଲେ ବିଧାୟକ

ଉଦଳା: ମୟୂରଭଞ୍ଜ ଜିଲ୍ଲା ଉଦଳା ଡାକ୍ତରଖାନାରେ ନିର୍ମାଣାଧୀନ କାମକୁ ନେଇ ବିଧାୟକ ଓ ଯନ୍ତ୍ରୀ ମୁହାଁମୁହିଁ। ଯନ୍ତ୍ରୀଙ୍କ ବଦଳି ଦାବିରେ ଉଦଳା ବିଧାୟକ ଭାସ୍କର ଚନ୍ଦ୍ର ମଢେଇ ଦଳୀୟ କର୍ମୀଙ୍କ ସହ ଧାରଣାରେ ବସିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ସକାଳ ପ୍ରାୟ ୧୦ଟା ୩୦ ମିନିଟ ସମୟରେ ସ୍ୱାଧୀନତା ଦିବସ ଅବସରରେ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାକୁ କୌଣସି କାର୍ଯ୍ୟକ୍ରମରେ ବିଧାୟକ ଭାସ୍କର ଚନ୍ଦ୍ର ମଢେଇ ଯୋଗଦେବାକୁ ଯାଇଥିବା ବେଳେ ଦଳୀୟ କର୍ମୀ ଏବଂ ଉପଖଣ୍ଡ ମୁଖ୍ୟ ଚିକିତ୍ସା ଅଧିକାରୀ କମଳାକାନ୍ତ ନାୟକଙ୍କ ସହିତ ଡାକ୍ତରଖାନା ପରିସରରେ ନିର୍ମାଣାଧୀନ ନୂତନ ଆଇପିଡି ଏବଂ ଓପିଡିର ନିର୍ମାଣ କାର୍ଯ୍ୟ ଦେଖିବାକୁ ଯାଇଥିଲେ। ତେବେ ଘଟଣାସ୍ଥଳରେ ଉପସ୍ଥିତ ପୂର୍ତ୍ତ ବିଭାଗର ଯନ୍ତ୍ରୀ ସନ୍ତୋଷ କୁମାର ପଣ୍ଡା ତାଙ୍କୁ ଦୁର୍ବବ୍ୟବହାର କରିଥିବାର ଶ୍ରୀ ମଢେଇ ଅଭିଯୋଗ କରିଛନ୍ତି।

ଏ ନେଇ ଗତକାଲି ଶ୍ରୀ ମଢେଇ ଉଦଳା ଥାନାକୁ ଯାଇ ଏକ ମାମଲା ରୁଜୁ କରିଥିଲେ। ଆଜି ସକାଳୁ ଶ୍ରୀ ମଢେଇ ନିଜ ସମର୍ଥକଙ୍କ ସହିତ ଯନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ବଦଳି ଦାବିରେ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ତେବେ ଏଭଳି ଅଭିଯୋଗକୁ ଖଣ୍ଡନ କରିବା ସହିତ ବିଧାୟକ ଶ୍ରୀ ମଢେଇ ପ୍ରଥମେ ଦୁର୍ବ୍ୟବହାର କରିଥିବାର କହିଛନ୍ତି ପୂର୍ତ୍ତ ବିଭାଗ ଯନ୍ତ୍ରୀ ଶ୍ରୀ ପଣ୍ଡା। ଅପରପକ୍ଷରେ ମାମଲାର ତଦନ୍ତ ଚାଲିଥିବା କହିଛନ୍ତି ଉପଖଣ୍ଡ ପୁଲିସ୍ ଅଧିକାରୀ ସାର୍ଥକ ରାୟ।

ସମ୍ବନ୍ଧିତ ଖବର