ଉଦଳା: ହୋଟେଲ୍ ସିପ୍ରନ୍-ଇନ ସୁଇମିଂ ପୁଲ୍‌ରେ ବୁଡ଼ି ନାବାଳକ ମୃତ

ଉଦଳା: ହୋଟେଲ୍ ସୁଇମିଂ ପୁଲରେ ବୁଡ଼ି ଜଣେ ୬ ବର୍ଷର ନାବାଳକଙ୍କର ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲା ଉଦଳା ସହରର ପ୍ରସିଦ୍ଧ ହୋଟେଲ୍ ସିପ୍ରନ୍-ଇନରେ ଗତକାଲି ରାତିରେ ଏକ ବାହାଘର ଭୋଜି ଚାଲିଥିବା ସମୟରେ ଏଭଳି ଅଘଟଣ ଘଟିଯାଇଛି।

ସୂଚନା ଅନୁଯାୟୀ ନାବାଳକଙ୍କ ପିତା ଉକ୍ତ ବାହାଘର ଭୋଜିରେ ଲୋକମାନଙ୍କୁ ଗୁପଚୁପ୍ ଖାଇବାକୁ ଦେଉଥିଲେ। ଘଟଣା ପରେ ନାବାଳକଙ୍କୁ ଉଦଳା ଡାକ୍ତରଖାନା ଅଣାଯାଇଥିବା ବେଳେ ଡ୍ୟୁଟିରେ ଥିବା ଡାକ୍ତର ମହେଶ୍ୱର ଦାସ ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତର ଦାସ ଏ ନେଇ ପୁଲିସକୁ ଖବର ଦେଇଥିଲେ। ଜାଣିବାକୁ ମିଳିଛି ଯେ ନାବାଳକର ବାପାମାଆ ସିକ୍ୟୁରିଟିକୁ ଧକ୍କା ଦେଇ ମୃତଦେହକୁ ଧରି ଡାକ୍ତରଖାନାରୁ ପଳାଇଥିଲେ। ସେଠାରୁ ସେମାନେ ମୃତଦେହକୁ ନେଇ ଡାକ୍ତରଖାନା ନିକଟସ୍ଥ ଏକ ମନ୍ଦିରକୁ ଯାଇଥିବାର ଶୁଣିବାକୁ ମିଳୁଛି।

ତେବେ ଗତକାଲି ରାତିରୁ ଏହି ଘଟଣା ଘଟିଥିଲେ ସୁଦ୍ଧା ଏବେ ଯାଏ ପୁଲିସ୍ ହାତରେ ମୃତଦେହ ଲାଗିପାରିନାହିଁ । ନବାଳକଙ୍କ ଘର କପ୍ତିପଦାର ଜମବଣି ଅଞ୍ଚଳରେ ହୋଇଥିବା ବେଳେ ପରିବାର ଲୋକେ ଶବ ସତ୍କାର କରି ମୃତଦେହ ପୋତି ଦେଇଥିବାର ଶୁଣିବାକୁ ମିଳୁଛି। ଅପରପକ୍ଷରେ ହୋଟେଲର ମାଲିକ ଜଣେ ପ୍ରତିପତ୍ତିଶାଳୀ ଲୋକ ହୋଇଥିବାରୁ ଘଟଣାକୁ ଚାପି ଦେବାକୁ ଚେଷ୍ଟା ଚାଲିଥିବାର ସାଧାରଣରେ ଆଲୋଚନା ହେଉଛି। ଶେଷ ଖବର ଅନୁଯାୟୀ ବ୍ୟବଚ୍ଛେଦ ପାଇଁ ପୁଲିସ୍ ମୃତଦେହକୁ ମାଟି ଖୋଳି ବାହାର କରିବା ନେଇ ପ୍ରସ୍ତୁତି ଚଳାଇ ଥିବାର ଜଣାପଡିଛି।

ସମ୍ବନ୍ଧିତ ଖବର