ପୁତୁରାର ଟାଙ୍ଗିଆ ଚୋଟରେ କାକାଙ୍କର ମୃତ୍ୟୁ, ଖୁଡ଼ୀ ଗୁରୁତର

ବାଙ୍ଗିରିପୋଷି: ଶିମିଳାଛକରେ ଘରୋଇ କଳିକୁ ନେଇ ପୁତୁରାର ଟାଙ୍ଗିଆ ଚୋଟରେ କାକାଙ୍କର ମୃତ୍ୟୁ ଘଟିଥିବାର ଖବର ମିଳିଛି। ଏଥିରେ ଖୁଡ଼ୀ ଗୁରୁତର ହୋଇଛନ୍ତି। ଅଭିଯୁକ୍ତ ପୁତୁରାକୁ ଥାନାରେ ଅଟକ ରଖାଯାଇଛି। ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଗୋଲାମୁଣ୍ଡା କଟା ପଞ୍ଚାୟତ ଶିମିଳାଛକ ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି।

ମିଳିଥିବା ସୂଚନା ଅନୁଯାୟୀ, ଘରୋଇ କଳିକୁ ନେଇ ପୁତୁରା ଏକ କୁରାଢ଼ିରେ କାକାଙ୍କୁ ହାଣି ବୁଧବାର ମଧ୍ୟରାତିରେ ହତ୍ୟା କରିଛି। କାକା ମାଠ ମୁଣ୍ଡା (୫୫) ଦିନ ମଜୁରିଆ ଭାବେ କାର୍ଯ୍ୟ କରି ନିଜ ପରିବାର ପୋଷଣ କରୁଥିଲେ। ବୁଧବାର ମଧ୍ୟରାତିରେ କୌଣସି କଥାକୁ ନେଇ ପୁତୁରା ଡରା ମୁଣ୍ଡା( ୪୦) ସହିତ ତାଙ୍କର ବଚସା ହୋଇଥିଲା। ଏଥିରେ ଉତ୍ୟକ୍ତ ହୋଇ ପୁତୁରା ଏକ କୁରାଢ଼ିରେ କାକା ଓ ଖୁଡ଼ୀଙ୍କୁ ଆକ୍ରମଣ କରିଥିଲା। ଘରଠାରୁ କିଛି ଦୂରରେ କାକା ମୃତ୍ୟୁବରଣ କରିଥିବା ବେଳେ ଖୁଡ଼ୀ ଗୁରୁତର ହୋଇଥିଲେ।

ଉନ୍ମତ୍ତ କାଣ୍ଡ ଘଟାଇବା ପରେ ପୁତୁରା ଘଟଣାସ୍ଥଳରେ ବସିରହିଥିଲା। ସକାଳେ ଘଟଣା ଜଣାପଡ଼ିବା ପରେ ସେଠାକୁ ଲୋକଙ୍କ ସୁଅ ଛୁଟିଥିଲା। ଖବର ପାଇ ପୁଲିସ ପୁତୁରାକୁ ଗିରଫ କରି ଥାନାକୁ ନେଇଛି। ସାଇଣ୍ଟିଫିକ ଟିମ୍ ଆସିଲା ପରେ ପ୍ରକୃତ ସତ୍ୟ ଜଣାପଡ଼ିବ।

ସମ୍ବନ୍ଧିତ ଖବର