ଭାଣିଜୀକୁ ଦୁଷ୍କର୍ମ, ମାମୁକୁ ୧୦ ବର୍ଷ ଜେଲ୍‌

ବାରିପଦା : ଆଜି ବାରିପଦା ସ୍ପେଶାଲ ଟ୍ରାକ୍‌ କୋର୍ଟ ଅମିୟ ରଂଜନ ଜେନା ଏକ ଦୁଷ୍କର୍ମ ମାମଲାର ବିଚାର କରି ଆସାମୀକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ କରିବା ସହିତ ୧୫ ହଜାର ଟଙ୍କା ଜୋରିମାନା ଶୁଣାଣି କରିଛନ୍ତି। ଜୋରିମାନା ଅନାଦାୟ ରହିଲେ ଆସାମୀକୁ ଅତିରିକ୍ତ ୩ମାସ ଜେଲଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି।

ଚଢ଼େଇଗାଁର ଜଣେ ଛାତ୍ରୀ ତକତପୁରର ଏକ ମେସ୍‌ରେ ରହି ଏମ୍‌ପିସି ସ୍ୱୟଂଶାସିତ କଲେଜରେ ଯୁକ୍ତ-୩ ଦ୍ଵିତୀୟ ବର୍ଷରେ ପଢ଼ୁଥିଲେ। ତାଙ୍କର ସଂପର୍କୀୟ ମାମୁ ୮ ନମ୍ବର ୱାର୍ଡ ମାଳିସାହିର ବିଶ୍ୱନାଥ ଦାସ ସ୍ଥାନୀୟ ଅଭିଭାବକ ଭାବେ ଦେଖାଶୁଣା କରୁଥିଲେ। ୨୦୧୫ ଜୁଲାଇ ୨୫ ତାରିଖରେ ସେ ଭାଣିଜୀଙ୍କୁ ନେଇ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଦର୍ଶନ ପାଇଁ ପୁରୀ ଯାଇଥିଲେ। ସେଠାରେ ଏକ ହୋଟେଲରେ ତାଙ୍କୁ ରଖି ଅଭିଯୁକ୍ତ ମାମୁ ଦୁଷ୍କର୍ମ କରିଥିଲା। ଛାତ୍ରୀଜଣକ ଘରକୁ ଫେରି ଏ ସଂପର୍କରେ ଜଣାଇବାରୁ ଜୁଲାଇ ୨୮ ତାରିଖରେ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏନେଇ ୨୫୧/୧୫ରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରିଥିଲା। ବାରିପଦା ସ୍ପେଶାଲ ଟ୍ରାକ୍‌ କୋର୍ଟ ଆଜି ଏହି ମାମଲାର ବିଚାର କରି ଆସାମୀ ବିଶ୍ୱନାଥ ଦାସଙ୍କୁ ଉପରୋକ୍ତ ଦଣ୍ଡବିଧାନ କରିଛନ୍ତି। ମାମଲାଟିକୁ ସରକାରୀ ଓକିଲ ଏନ୍‌ଏନ୍‌ ବେହେରା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର