ଶାଳଚୁଆ: କପ୍ତିପଦା ଥାନା ଅନ୍ତର୍ଗତ ସୋଲଗଡ଼ିଆ ନିକଟସ୍ଥ ଶାଳଚୁଆ-କପ୍ତିପଦା ରାସ୍ତାର ବଉଳ ଛକରେ ଦୁର୍ଘଟଣା ଘଟି ଆଜି ସଂଧ୍ୟାରେ ୩ ଜଣ ଯୁବକଙ୍କ ପ୍ରାଣହାନି ଘଟିଛି। ମୃତ ଯୁବକମାନେ ହେଲେ କପ୍ତିପଦା ଥାନା ଅନ୍ତର୍ଗତ ପରାଶିବାଡ଼ି ଗ୍ରାମର ସୁରେନ୍ଦ୍ର ସିମିନାକିଆଙ୍କ ପୁଅ ରାଜୁ(୨୨), ଧଣିଆ ପଧୁରିଆଙ୍କ ପୁଅ ଭଜ(୨୨) ଓ ସୋଲଗଡ଼ିଆ ଗାଁର ଆନନ୍ଦ ବିଶ୍ବାଳଙ୍କ ପୁଅ ରାଜେନ୍ଦ୍ର (୨୫)। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଥିଲେ। ଘଟଣାରୁ ପ୍ରକାଶ, ସଂଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ ଗୋଟିଏ ବାଇକ୍ (ଓଡି-୧୧-ଏମ୍-୯୬୬୦) ଯୋଗେ ରାଜୁ, ଭଜ ଓ ରାଜେନ୍ଦ୍ର ଶାଳଚୁଆ ହାଟରୁ ଘରକୁ ଫେରୁଥିଲେ। ମାତ୍ର ବଉଳ ଛକରେ ଗୋଟିଏ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ରାଜୁ ଓ ଭଜଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ରାଜେନ୍ଦ୍ର ଗୁରୁତର ଅବସ୍ଥାରେ ପଡ଼ି ରହି ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଦୁର୍ଘଟଣା ଶବ୍ଦ ଶୁଣି ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ତାଙ୍କୁ ଦମକଳ ଯୋଗେ ଉଦଳା ଡାକ୍ତରଖାନାକୁ ନେଇଥିଲେ। ସେଠାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଏହି ଖବର ପ୍ରଚାରିତ ହେବା ପରେ ପ୍ରାୟ ୩ ଶହରୁ ଊର୍ଦ୍ଧ୍ବ ଲୋକ ରୁଣ୍ଡ ହୋଇ ମୃତକ ପରିବାରକୁ କ୍ଷତିପୂରଣ ଦାବିରେ ଦୁର୍ଘଟଣାସ୍ଥଳରେ ରାସ୍ତାରୋକ କରିଥିଲେ। କପ୍ତିପଦା ଥାନା ଏଏସ୍ଆଇ ସୁନାରାମ ମାଝୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଉଦଳା ପଠାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ଆନ୍ଦୋଳନକାରୀମାନେ ଶବକୁ ଛାଡ଼ି ନଥିଲେ। ପୁଲିସ ଯେତେ ବୁଝାସୁଝା କରିଥିଲେ ମଧ୍ୟ ଲୋକେ କ୍ଷତିପୂରଣ ଦାବିରେ ଲୋକେ ଅଡ଼ି ବସିଥିଲେ। ତେବେ ଖବରଲେଖା ହେବା ବେଳକୁ ରାସ୍ତାରୋକ ଚାଲୁ ରହିଥିଲା।
ଅଜଣା ଗାଡ଼ି ଧକ୍କାରେ ୩ ମୃତ କ୍ଷତିପୂରଣ ଦାବିରେ ରାସ୍ତାରୋକ
/sambad/media/post_attachments/wp-content/uploads/2019/03/mayur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)