ବାରିପଦା: ମୟୂରଭଞ୍ଜ ଆରକ୍ଷୀ ଅଧିକ୍ଷକ ସ୍ମିଥ ପି ପୁରୁଷୋତ୍ତମ ଦାସଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ସ୍ଥାନୀୟ କ‌ଚେରୀ ପରିବା ବ୍ୟବସାୟୀ ସଙ୍ଘ ପକ୍ଷରୁ ଆଜିଠାରୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ମାର୍କେଟ୍‌କୁ ବନ୍ଦ ଘୋଷଣା କରିଥିଲେ । ଫଳରେ ଆଜି କଚେରୀ ପରିବା ମାର୍କେଟ୍‌କୁ ଗ୍ରାମାଞ୍ଚଳରୁ ହାତଗଣତି କିଛି ପରିବା ବିକାଳୀଙ୍କ ସହିତ ଆଳୁ, ପିଆଜ ବ୍ୟବସାୟୀ ଦୋକାନ ଖୋଲିଥିଲେ । ଗ୍ରାହକମାନେ ଏନେଇ ହଇରାଣ ହେବାରୁ ବ୍ୟବସାୟୀ ସଂଘ ସହିତ ପୁଲିସ୍‌ ଆଲୋଚନା କରିଥିଲା। ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଅଭିମନ୍ୟୁ ନାୟକ, ବାରିପଦା ଟାଉନ୍‌ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି ପ୍ରମୁଖ ପହଞ୍ଚି ପରିବା ମାର୍କେଟ୍‌ ବ୍ୟବସାୟୀ ସଙ୍ଘର କର୍ମକର୍ତ୍ତାମାନଙ୍କ ସହିତ ଆଲୋଚନା କରିଥିଲେ ।

Advertisment

ଗ୍ରାହକମାନଙ୍କ ସାମାଜିକ ଦୂରତା ରକ୍ଷା କରିବାକୁ ପୁଲିସ ଦାୟିତ୍ୱ ନେବାକୁ ପ୍ରସ୍ତାବ ଦେଇଥିଲେ। ସେହିପରି ପରିବା ଗୋଦାମକୁ ଦିନ ୧୦ ପର୍ଯ୍ୟନ୍ତ ଖୋଲା ରଖିବା ଏବଂ ପରିବା ବ୍ୟବସାୟୀମାନେ ଦିନ ୧୨ଟା ପର୍ଯ୍ୟନ୍ତ ବିକ୍ରି କରିବା ନିମନ୍ତେ ସର୍ତ୍ତ ରଖିଥିଲେ । ଗ୍ରାମାଞ୍ଚଳରୁ ଆସୁଥିବା ପରିବା ବ୍ୟବସାୟୀମାନଙ୍କୁ ପୁଲିସ୍‌ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା। ତେଣୁ ମାର୍କେଟ୍‌ ବ୍ୟବସାୟୀ ସଙ୍ଘ ପକ୍ଷରୁ ସେମାନଙ୍କୁ ଦିଆଯାଇଥିବା ପରିଚୟ ପତ୍ରକୁ ପୁଲିସ ଦେଖି ଛାଡ଼ିବା କିମ୍ବା ପୁଲିସ ପକ୍ଷରୁ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବାକୁ ଦାବି କରିଥିଲେ।

ବ୍ୟବସାୟୀଙ୍କ ସମସ୍ତ ସର୍ତ୍ତ ଶୁଣିବା ପରେ ପୁନର୍ବାର ବୈଠକ ବସିଥିଲା। ପରିବା ମାର୍କେଟ୍‌ ବ୍ୟବସାୟୀ ସଙ୍ଘର ସମସ୍ତ ସର୍ତ୍ତରେ ପୁଲିସ୍‌ ସମ୍ମତି ପ୍ରକାଶ କରିବା ସହିତ ଆସନ୍ତାକାଲିଠାରୁ ପରିବା ମାର୍କେଟ୍‌ ସ୍ୱାଭାବିକ ଭାବେ କାର୍ଯ୍ୟ କରିବ ବୋଲି ସଙ୍ଘ ପକ୍ଷରୁ ସୂଚନା ମିଳିଛି। ସାମାଜିକ ଦୂରତା ବଜାୟ ରଖିବାରେ ପୁଲିସ୍‌ ସହଯୋଗ କରିବାନେଇ ନିଷ୍ପତି ହୋଇଥିଲା। ଏହି ଅବସରରେ ବ୍ୟବସାୟୀ ସଙ୍ଘ ପକ୍ଷରୁ ରବୀନ୍ଦ୍ର କର, ସୁଶାନ୍ତ ସାହୁ, ଗୌତମ ଘଡ଼େଇ ପ୍ରମୁଖ ପୁଲିସ୍‌ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ, ବାରମ୍ବାର କହିବାପରେ ମଧ୍ୟ ଗତକାଲି କଚେରୀ ମା‌ର୍କେଟ୍‌ରେ ଭିଡ଼ ହୋଇଥିଲା। ସାମାଜିକ ଦୂରତା ବଜାୟ ରଖାନଯିବାକୁ ନେଇ ଖୋଦ୍‌ ଏସ୍‌ପି ଶ୍ରୀ ପରମାର୍‌ କିଛି ବ୍ୟବସାୟୀଙ୍କୁ ଗିରଫ କରିବା ସହିତ ମାର୍କେଟ୍‌ ବନ୍ଦ କରିଥିଲେ।