ମହିଳାଙ୍କୁ ହତ୍ୟା ଅଭିଯୋଗ

ରାଇରଙ୍ଗପୁର/ଝରାଡ଼ିହି : ଘର ଭିତରୁ ଜଣେ ମହିଳାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ମୟୂରଭଞ୍ଜ ଜିଲ୍ଲା ବହଳଦା ଥାନା ଅନ୍ତର୍ଗତ ବହଳଦା ବଜାରର ମଦ ବ୍ୟବସାୟୀ ବିକାଶ କୁମାର ସାହୁଙ୍କ ସ୍ତ୍ରୀ ରଶ୍ମିରେଖା(୪୦)। ଗୁରୁବାର ରାତିରେ ରଶ୍ମିରେଖାଙ୍କ ମୃତ୍ୟୁ ଘଟିଥିଲା। ଖବରପାଇ ବହଳଦା ଥାନା ପୁଲିସ ସକାଳେ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିଥିଲା। ତେବେ ମୃତ ରଶ୍ମିରେଖାଙ୍କ ବାପା ବାରିପଦା ଦାମୋଦରପୁର ଗ୍ରାମର ଜୟନ୍ତ କୁମାର ଦ୍ଵାରୀ ଏନେଇ ବହଳଦା ଥାନାରେ ଏତଲା ଦେଇ ହତ୍ୟା ଅଭିଯୋଗ ଆଣିଛନ୍ତି।

ସୂଚନା ଅନୁସାରେ, ଗତକାଲି ରାତିରେ ରଶ୍ମିରେଖାଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହୋଇ ପଡ଼ିଥିଲା। ବିକାଶ ଡାକ୍ତରୀ ପରାମର୍ଶ ପାଇଁ ବହଳଦା ଡାକ୍ତରଖାନାକୁ ଯାଇଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ଡାକ୍ତରଖାନାରୁ ଜଣେ ଫାର୍ମାସିଷ୍ଟ ଘରକୁ ଆସି ରଶ୍ମିରେଖାଙ୍କୁ ଦେଖିଥିଲେ। ମାତ୍ର ସେତେବେଳକୁ ରଶ୍ମିରେଖାଙ୍କ ମୃତ୍ୟୁ ଘଟି ସାରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି। ମାତ୍ର ଅଭିଯୋଗ ଆଧାରରେ ବହଳଦା ଥାନାରେ ଦଫା ୪୯୮(କ), ୩୦୨ ମୂଳେ ୪୪/୧୭ନଂ.ରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ବିକାଶଙ୍କୁ ପୁଲିସ୍‌ ଗିରଫ କରିନାହିଁ। ରାଇରଙ୍ଗପୁର ମେଡିକାଲରେ ରଶ୍ମିରେଖାଙ୍କ ଶବ ବ୍ୟବଚ୍ଛେଦ କରାଯିବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅସ୍ୱାଭାବିକ ମୃତ୍ୟୁର ରହସ୍ୟ ଫିଟିବ।

ତେବେ ରଶ୍ମିରେଖାଙ୍କୁ ବିକାଶ ପୂର୍ବରୁ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ଶେଷରେ ତାଙ୍କୁ ବିକାଶ ହତ୍ୟା କରିଥିବା ଜୟନ୍ତ ଏତଲାରେ ଦର୍ଶାଇଛନ୍ତି। କିନ୍ତୁ ଆପୋଷ ବୁଝାମଣା ହେବା ପରେ ଉଭୟେ ଏକାଠି ରହୁଥିଲେ। ସେମାନଙ୍କର ଦୁଇଟି ପିଲା ମଧ୍ୟ ରହିଛନ୍ତି। ବହଳଦା ଥାନାଧିକାରୀ ଲଳିତା ମୁଦି ଏହି ମାମଲାର ତଦନ୍ତ କରୁଛନ୍ତି। ଖୁବ୍‌ଶୀଘ୍ର ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର