ଦିଅରର କୁରାଢ଼ି ଚୋଟରେ ଭାଉଜ ମୃତ

ଉଦଳା/ଉଦଳା(୧) : ସମ୍ପତ୍ତି ଲୋଭ ବିପତ୍ତି ଡାକିଆଣିଲା। ଦିଅରର ଏପରି ଲୋଭ ଶେଷରେ ଭାଉଜର ପ୍ରାଣ ନେଇଯାଇଛି। ଟାଙ୍ଗିଆ ଚୋଟରେ ମାରି ଶିକ୍ଷୟିତ୍ରୀ ଭାଉଜଙ୍କୁ ହତ୍ୟା କରିଛି ଦିଅର। ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅଧୀନ ଶ୍ରୀଦାମଚନ୍ଦ୍ରପୁର ପଞ୍ଚାୟତ ଖଡ଼ିକାଶୋଳ ଗ୍ରାମରେ। ଏ ଘଟଣାରେ ଅଭିଯୁକ୍ତ ଦିଅର ଧବଳ ବାସ୍କେ (୩୮)କୁ ପୁଲିସ ଗିରଫ କରି ପଚରାଉଚରା କରୁଛି। ଟାଙ୍ଗିଆଚୋଟରେ ଭାଉଜ ସୀତାମଣି ବାସ୍କେ (୪୫) ଗୁରୁତର ହୋଇଥିଲେ। ତାଙ୍କୁ ପ୍ରଥମେ ବାରିପଦା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଭିଯୁକ୍ତ ଧବଳ ତା’ କକାଖୁଡ଼ୀଙ୍କ ଘରେ ପୋଷ୍ୟପୁତ୍ର ଭାବେ ରହୁଥିଲେ। କୌଣସି ପାରିବାରିକ କାରଣରୁ କିଛିଦିନ ତଳେ ଏକ ବୈଠକ ବସିଥିଲା। ସେଥିପାଇଁ କିଛି ଅର୍ଥ ଆବଶ୍ୟକତା ଥିବାରୁ ଗତ ୨୩ ତାରିଖ ଦିନ ସୀତା ଓ ଧବଳଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା। ସେହିଦିନ ରାତିରେ ହିଁ ଧବଳ ତାଙ୍କ ଭାଉଜଙ୍କୁ ଟାଙ୍ଗିଆରେ ମରଣାନ୍ତକ ଆକ୍ରମଣ କରିଥିଲା। ପଡ଼ୋଶୀ ଜାଣିବା ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଶ୍ରୀଦାମଚନ୍ଦ୍ରପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରୁ ବାରିପଦା ସ୍ଥାନାନ୍ତର କରାଯାଇଥିଲେ ହେଁ ତାଙ୍କର ମୃତ୍ୟୁ ହୋଇଥିଲା।

ଏନେଇ ସୀତାମଣିଙ୍କ ବାପା ରାମଦାସ ହାଁସଦା ଉଦଳା ଥାନାରେ ଏତଲା ଦେଇଛନ୍ତି। ଏ ସଂକ୍ରାନ୍ତରେ ପୁଲିସ ୨୩/୧୮ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ହତ୍ୟାକାଣ୍ଡରେ ଆଉ କିଏ ସଂପୃକ୍ତ ଅଛନ୍ତି ତାକୁ ନେଇ ଖୋଳତାଡ଼ କରୁଛି। ଉଲ୍ଲେଖନୀୟ ଯେ ସୀତାମଣି ନିକଟସ୍ଥ ଚୂନୁସାହି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଥିଲେ।

ସମ୍ବନ୍ଧିତ ଖବର