କରଞ୍ଜିଆ/ତାଟୋ/କରଞ୍ଜିଆ ଗୋଲେଇ : କରଞ୍ଜିଆ ଥାନା ଅନ୍ତର୍ଗତ ମିରିଗିନେଣ୍ଡି ପଞ୍ଚାୟତର ପାଟୁଳିଡିହି ଗ୍ରାମର ବନ୍ଧସାହି ନଦୀପଠାରୁ ଆଜି ଜଣେ ବିଧବା ମହିଳାଙ୍କ କଟାମୁଣ୍ଡ ଓ ଘରଠାରୁ କିଛି ଦୂରରୁ ମୁଣ୍ଡ ବିହୀନ ଶରୀର ଉଦ୍ଧାର କରାଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। କଟାମୁଣ୍ଡଟି ସ୍ବର୍ଗତ ରସାନନ୍ଦ ସଏଙ୍କ ପତ୍ନୀ ଜୀରାମଣି(୬୦)ଙ୍କର ବୋଲି ଚିହ୍ନଟ କରାଯାଇଥିବାବେଳେ ତାଙ୍କୁ କେହି ଦୁର୍ବୃତ୍ତ ବୀଭତ୍ସ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ବାରିପଦାରୁ ସାଇଣ୍ଟିଫିକ୍‌ ଟିମ୍‌ ଆସି ତଦନ୍ତ କରିଥିଲେ ହେଁ ହତ୍ୟାକାରୀ କିମ୍ବା ହତ୍ୟାକାଣ୍ଡର କିଛି ସୁରାକ୍‌ ପାଇ ପାରି ନଥିବା ଜଣାପଡ଼ିଛି। କରଞ୍ଜିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କରଞ୍ଜିଆ ମେଡିକାଲ ଆଣିଥିଲା।

Advertisment

ସୂଚନା ଅନୁସାରେ, ସକାଳେ ନଦୀକୁ ଗାଧୋଇବାକୁ ଯାଇଥିବା ଲୋକେ ଜୀରାମଣିଙ୍କ କଟାମୁଣ୍ଡ ପଡ଼ିଥିବା ଦେଖିଥିଲେ। ଖବରପାଇ କରଞ୍ଜିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଖୋଳତାଡ଼ ଆରମ୍ଭ କରିଥିଲା। ତେବେ ତାଙ୍କ ଘରଠାରୁ ଶହେ ମିଟର ଦୂରରେ ଜୀରାମଣିଙ୍କ ମୁଣ୍ଡ ବିହୀନ ଶରୀର ପଡ଼ିଥିଲା। ଉଭୟ ମୁଣ୍ଡ ଓ ଗଣ୍ଡିକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ବାରିପଦାରୁ ସାଇଣ୍ଟିଫିକ୍‌ ଟିମ୍‌ ଆସି ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଥିଲା। ତେବେ କିଛି ସୂଚନା ପାଇ ପାରି ନଥିଲା।

publive-image

ବର୍ଷା ହୋଇଥିବା କାରଣରୁ ଅପରାଧୀକୁ ଠାବ କରିବାରେ ବାଧା ସୃଷ୍ଟି ହୋଇଥିଲା। ଖୁବ୍‌ଶୀଘ୍ର ହତ୍ୟାକାରୀକୁ ଧରାଯିବ ବୋଲି ଥାନା ଅଧିକାରୀ ଲକ୍ଷ୍ମୀଧର ସ୍ବାଇଁ ପ୍ରକାଶ କରିଛନ୍ତି। ଏ ନେଇ କରଞ୍ଜିଆ ଥାନା କେସ ନଂ. ୧୧୮/୧୯ରେ ଏକ ମାମଲା ରୁଜୁ ହୋଇଛି।

ସୂଚନାଯୋଗ୍ୟ, ଜୀରାମଣି ପ୍ରଥମେ ପାଟୁଳିଡିହି ଗ୍ରାମର ସୁରସିଂ ସଏଙ୍କୁ ବିବାହ କରିଥିଲେ। ତାଙ୍କ ପାଖରୁ ହରିଚରଣ ଓ ବୁଦ୍ଧୁରାୟ ନାମକ ଦୁଇ ଜଣ ପୁଅ ଅଛନ୍ତି। ମାତ୍ର ସୁରସିଂଙ୍କ ମୃତ୍ୟୁ ପରେ ଜୀରାମଣି ସେହି ଗ୍ରାମର ରସାନନ୍ଦଙ୍କୁ ବିବାହ କରି ରହି ଆସୁଥିଲେ। ୩ ମାସ ତଳେ ରସାନନ୍ଦଙ୍କ ମୃତ୍ୟୁ ଘଟିବା ପରେ ଜୀରାମଣି ଏକୁଟିଆ ନଦୀବନ୍ଧ ସାହିରେ ଘର କରି ରହି ଆସୁଥିଲେ।