ଦୁଷ୍କର୍ମ ପରେ ବୋହୂକୁ ପୋଡ଼ିଦେବା ଘଟଣା : ଆଖି ବୁଜିଲେ ଯାମିନୀ

ରାଇରଙ୍ଗପୁର : ମୃତ୍ୟୁ ସହ ଦୀର୍ଘ ୪୨ ଘଣ୍ଟାର ସଂଘର୍ଷ ପରେ ଶେଷରେ ଦୁଷ୍କର୍ମ ପୀଡ଼ିତା ଯାମିନୀ(ଛଦ୍ମନାମ) ଚିକିତ୍ସାଧୀନ ଅବସ୍ଥାରେ ଗତ ରାତିରେ ଆଖି ବୁଜିଛନ୍ତି। ଶ୍ୱଶୁରଙ୍କ କୁକର୍ମର ଶିକାର ହୋଇ ଆସୁଥିବା ଯାମିନୀ ଜାମସେଦପୁରର ଟାଟା ମେମୋରିଆଲ୍‌ ହସପିଟାଲ୍‌ (ଟିଏମ୍‌ଏଚ୍‌)ରେ ଦୁଇଦିନ ହେଲା ଚିକିତ୍ସାଧୀନ ଥିଲେ। ଗତକାଲି ରାତି ୧୧ଟା ୫୫ରେ ତାଙ୍କର ମୃତ୍ୟୁ ଘଟିଛି। ବ୍ୟବଚ୍ଛେଦ ପରେ ଆଜି ତାଙ୍କ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ଯାମିନୀଙ୍କ ଶବ ଆଜି ରାତି ୯ଟାରେ ରାଇରଙ୍ଗପୁର ସହରରେ ପହଞ୍ଚିଛି। ଶବ ରାଇରଙ୍ଗପୁରରେ ପହଞ୍ଚିବା ପରେ ଲୋକେ ଉତ୍ତ୍ୟକ୍ତ ହୋଇ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଛନ୍ତି। କ୍ୟାଣ୍ଡଲ ଶୋଭାଯାତ୍ରାରେ ଶବ ନେଇ ସହର ପରିକ୍ରମା କରିଛନ୍ତି। ଏଣେ ଗିରଫଦାରୀ ଭୟରେ ଅଭିଯୁକ୍ତ ଖେମକା ପରିବାରର ଅନ୍ୟ ସଦସ୍ୟମାନେ ଘରଛାଡ଼ି ପଳାଇଛନ୍ତି।

ସହରର ଦୁର୍ଗାମଣ୍ଡପ ପାଖରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା ପରେ ଖେମକା ହାଉସ୍‌ରେ ରାତି ୧୦ରେ ପହଞ୍ଚିଛି। ହେଲେ ଏହି ପରିବାରର କୌଣସି ସଦସ୍ୟ ନଥିବାରୁ ଯାମିନୀଙ୍କ ଶବ ଏଠାରେ ଦାହ ନକରି ବାପଘର ଲୋକେ ପୁରୀ ନେଇ ଦାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ୧୨ ତାରିଖ ଅପରାହ୍ନରୁ ଖେମକା ପରିବାରର କୌଣସିି ସଦସ୍ୟଙ୍କ ଦେଖା ମିଳୁନାହିଁ। ରାମଗୋପାଳଙ୍କ ପତ୍ନୀ, ଝିଅ ଓ ପୁଅ ଅବିନାଶ ତାଙ୍କ ୫ ମାସର ଶିଶୁପୁତ୍ରକୁ ଧରି କେଉଁଆଡ଼େ ପଳାଇଛନ୍ତି। ସୂଚନା ଅନୁଯାୟୀ ଗୁରୁତର ଅବସ୍ଥାରେ ଯାମିନୀଙ୍କୁ ଯେତେ ବେଳେ ରାଇରଙ୍ଗପୁର ହସପିଟାଲରେ ଭର୍ତି କରା ଯାଇଥିଲା, ପରିବାର ଲୋକେ ସେଠାରେ ଥିଲେ। ସେଠାରୁ ସେମାନେ ଯାମିନୀଙ୍କ ସହ ଟାଟା ମେମୋରିଆଲ ହସପିଟାଲକୁ ମଧ୍ୟ ଯାଇଥିଲେ। ହେଲେ ଯାମିନୀଙ୍କ ବାପଘର ଲୋକେ ପହଞ୍ଚି ବିଷ୍ଣୁପୁର ପୁଲିସକୁ ଡାକିବା ପରେ ସେମାନେ ଖସି ପଳାଇଥିବା ଜଣାପଡ଼ିଛି। ମୃତ୍ୟୁ ପରେ ଆଜି ଯାମିନୀଙ୍କ ଶବ ବ୍ୟବଚ୍ଛେଦର ସଂପୂର୍ଣ୍ଣ ଭିଡିଓ ରେକର୍ଡିଂ କରାଯାଇଥିଲା। ଏହାପରେ ବାପଘର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ଆଜି ସକାଳେ ସାଇଣ୍ଟିଫିକ ଦଳ ତଦନ୍ତ କରିବା ପରେ ଖେମକା ହାଉସ୍‌ରେ ତାଲା ଝୁଲାଇ ଦେଇଛନ୍ତି। ଏଣେ ପୁଲିସ ଅନ୍ୟ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଅଭିଯୁକ୍ତ ରାମଗୋପାଳକୁ ଫାଶୀ ଦିଆଯାଉ ବୋଲି ଯାମିନୀଙ୍କ ଶବଯାତ୍ରା ବେଳେ ତାଙ୍କ ବାପଘର ଲୋକେ କାନ୍ଦିକାନ୍ଦି ଦାବି କରିଛନ୍ତି।

ପୀଡ଼ିତା ଯାମିନୀଙ୍କ ବାପଘର ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁରେ। ତାଙ୍କ ବାପା ଗୋପାଲ (ଛଦ୍ମନାମ) ଅଗ୍ରୱାଲ। ରାଇରଙ୍ଗପୁର ଧରମଗଳି (ୱାର୍ଡ ନଂ.୬)ର ବିଲଡର୍‌ ରାମଗୋପାଲ ଖେମକାଙ୍କ ପୁଅ ଅବିନାଶଙ୍କ ସହ ୨୮ ଏପ୍ରିଲ ୨୦୧୪ରେ ଯାମିନୀଙ୍କ ବିବାହ ହୋଇଥିଲା। ପ୍ରଥମେ ସବୁକିଛି ଠିକଠାକ ଥିଲା। ହେଲେ ଯେବେଠୁ ଶ୍ୱଶୁର ରାମଗୋପାଲଙ୍କ କୁ-ନଜର ତାଙ୍କ ଉପରେ ପଡ଼ିଲା, ତା’ପରଠୁ ସବୁକିଛି ଦୁର୍ବିସହ ହୋଇଗଲା। ଶ୍ୱଶୁର ରାମଗୋପାଲ ଯାମିନୀଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ କରୁଥିଲେ। ଏମିତି ଯୋଜନାବଦ୍ଧ ଭାବେ ପରିବାର ଲୋକଙ୍କୁ ହାଇଦ୍ରାବାଦ ପଠାଇ ଲଗାତାର ତିନି ଦିନ ଧରି ବୋହୂ ସହ ଦୁଷ୍କର୍ମ କରିଥିଲେ। ଏନେଇ ଯାମିନୀ ଘର ଲୋକଙ୍କୁ ଖବର ଦେବାକୁ ଚେଷ୍ଟା କରିବାରୁ ତାଙ୍କୁ ଓ ତାଙ୍କ ଶିଶୁପୁତ୍ରକୁ ହତ୍ୟା କରିବାକୁ ରାମଗୋପାଲ ଧମକ ଦେଇଥିବା ମୃତ ଯାମିନୀଙ୍କ ବାପା ଗୋପାଲ ଅଭିଯୋଗ କରିଛନ୍ତି। କହିଛନ୍ତି; ୧୨ ତାରିଖ ସକାଳେ ରାମଗୋପାଲ ଦୁଷ୍କର୍ମ କରିବା ପରେ ଯାମିନୀଙ୍କୁ ହତ୍ୟା କରିବାକୁ ତାଙ୍କ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ ଯାମିନୀଙ୍କ ଶରୀର ୯୫ ଭାଗ ପୋଡ଼ି ଯାଇଥିଲା। ପତ୍ନୀ ଯାମିନୀଙ୍କୁ ବଂଚାଇବାକୁ ଯାଇ ପୋଡ଼ିଯାଇଥିବା ଅବିନାଶ କହୁଥିଲେ ମଧ୍ୟ ବାପଘର ଲୋକେ ଏଥିରେ ସନ୍ଦେହ ପ୍ରକଟ କରିଛନ୍ତି। ସେ ବି ଏ ଷଡ଼ଯନ୍ତ୍ରରେ ସାମିଲ ଓ ପୋଡ଼ିବା ବେଳେ ଆହତ ହେବାର ନାଟକ କରୁଛନ୍ତି ବୋଲି ବାପଘର ଲୋକେ ଅଭିଯୋଗ କରିଛନ୍ତି।

ଯାମିନୀଙ୍କ ବାପା ଗୋପାଲ ଅଗ୍ରଓ୍ଵାଲଙ୍କ ଅଭିଯୋଗକୁ ଭିତ୍ତି କରି ରାଇରଙ୍ଗପୁର ଟାଉନ ଥାନାରେ ମାମଲା ରୁଜୁ ହୋଇଥିଲା। ଯାମିନୀଙ୍କ ମୃତ୍ୟୁ ପରେ ପୁଲିସ ଏହି କେସ୍‌ରେ ୩୦୨ ଦଫା ଲଗାଇ ହତ୍ୟା ମାମଲା ରୁଜୁ କରିଛି। ମୁଖ୍ୟ ଅଭିଯୁକ୍ତ ଯାମିନୀଙ୍କ ଶ୍ୱଶୁର ରାମଗୋପାଲ ଖେମକାଙ୍କୁ ରାଇରଙ୍ଗପୁର ଟାଉନ ଥାନା ପୁଲିସ୍‌ ଅଟକ ରଖି ପଚରା ଉଚରା କରୁଛି।

ସମ୍ବନ୍ଧିତ ଖବର