ଘରେ ଶୋଇଥିବା ବେଳେ ଶୁଣ୍ଢରେ ଟେକି ଆଣି କଚାଡ଼ି ଦେଲା ହାତୀ, ଯୁବକ ମୃତ

ବାରିପଦା : ମୟୂରଭଞ୍ଜ ଜିଲ୍ଲା ମୋରଡା ତହସିଲ ଅଧିନ ହଳଦୀପାଳ ପଞ୍ଚାୟତ ଡାଙ୍ଗରବିଲା ଗ୍ରାମଠାରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ଜଣଙ୍କ ଘରେ ଶୋଇଥିବା ବେଳେ ବିଳମ୍ବିତ ରାତିରେ ହାତୀ ଘରର କବାଟ ପଟେ ପ୍ରବେଶ କରି ଉକ୍ତ ଯୁବକଙ୍କୁ ଶୁଣ୍ଢରେ ଟାଣିଆଣି ଥିଲା। ଘର ବାହାରେ ଯୁବକଙ୍କୁ କଚାଡିବା ସହ ଦଳି ଦେଇଥିଲା ।

ତେବେ ଉକ୍ତ ଯୁବକ ଜଣଙ୍କ ହେଲେ ଶ୍ରୀମନ୍ତ ହାଂସଦା । ଶ୍ରୀମନ୍ତ ହାଂସଦାଙ୍କ ଚିତ୍କାର ଶୁଣି ପାଖ ପଡ଼ୋଶୀ ଦୌଡି ଆସିଥିଲେ। କିନ୍ତୁ ହାତୀ କବଳରୁ ଶ୍ରୀମନ୍ତଙ୍କୁ ରକ୍ଷା କରିପାରି ନଥିଲେ । ତେବେ ଘରେ ଶ୍ରୀମନ୍ତ ଏକା ଥିଲେ । ପରେ ଖବର ପାଇ ବେତନଟୀ ବନବିଭାଗ ପହଞ୍ଚି ଶ୍ରୀମନ୍ତଙ୍କୁ ବାରିପଦା ମେଡିକାଲ ନେଇଥିଲେ । କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ତେବେ ରାସଗୋବିନ୍ଦପୁର ଓ ବେତନଟୀ ବନବିଭାଗ କର୍ମଚାରୀ ମିଳିତ ଭାବେ ଉକ୍ତ ହାତୀକୁ ଘଉଡ଼ାଇ ଦେଇଥିଲେ । ହାତୀଟି ଘଟଣା ପରେ ପଶ୍ଚିମବଙ୍ଗ ଆଡ଼େ ପଳାଇଥିବା ସୂଚନା ମିଳିଛି ।

ଅପରପକ୍ଷରେ ଗତକାଲି ରାସଗୋବିନ୍ଦପୁର ରେଞ୍ଜର ଜୋଡପଡା ଗ୍ରାମ ଭିତରକୁ ଜଙ୍ଗଲି ଦନ୍ତାହାତୀ ପ୍ରବେଶ କରିଥିଲା। ଫଳରେ ସ୍ଥାନୀୟ ଲୋକମାନେ ଭୟଭୀତ ହୋଇ ଘରେ ଥିବା ଖାଦ୍ୟକୁ ବାହାରକୁ କାଢି ଦେଇଥିଲେ । ତେବେ ଦନ୍ତାହାତୀଟି ଖାଦ୍ୟ ଖାଇବା ପରେ ଜଙ୍ଗଲକୁ ପଳାଇଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର