ୟୁଟ୍ୟୁବ ଦେଖାଇଲା ସଫଳତାର ବାଟ, ଛଅ ପ୍ରକାର ବେରୀ ଚାଷ କରି ସ୍ବାବଲମ୍ବୀ ହୋଇଛନ୍ତି ଅଧୀର

ମୟୁରଭଞ୍ଜ: ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ। ଅନେକ ଲୋକ ଏବେ ଚାଷରେ ଲାଭାଂଶ ନପାଇ ଚାଷରୁ ମନ ହଟାଇ ବ୍ୟବସାୟ କିମ୍ବା ଚାକିରି ପାଇଁ ମନ ବଳାଉଛନ୍ତି। ମାତ୍ର ବାଙ୍ଗରିପୋଷୀ ବ୍ଲକର ଜଣେ ଯୁବକ ଚାଷ ପ୍ରତି ମନ ବଳାଇ ବେଶ ନାମ କମାଇଛନ୍ତି। ପିଲାଟି ଦିନରୁ ଚାଷ ପ୍ରତି ଅହେତୁକ ଦୂର୍ବଳତା ହେତୁ ତାଙ୍କ ଛୋଟିଆ ବଗିଚାରେ ପରିବା କରି ଆସୁଥିଲେ। ମାତ୍ର ସମୟ ବଦଳିବା ସହିତ କମ ଖର୍ଚ୍ଚରେ ଉତ୍ତମ ଲାଭାଂଶ ପାଇବାକୁ ଯୁବକ ଜଣକ ୟୁଟ୍ୟୁବକୁ କରିଥିଲେ ସାଥି। ଚାଷକୁ ଆଦର କରି ସଫଳତା ପାଇ ହେବ ବୋଲି ପ୍ରମାଣିତ କରିଛନ୍ତି ଯୁବକ। ୫ କିସମର ବେରୀ ଚାଷ କରି ମୟୂରଭଞ୍ଜ ଜିଲ୍ଲାରେ ଜଣେ ଉତ୍ତମ ଚାଷୀ ଭାବେ ନିଜ ନାମ କମାଇଛନ୍ତି ସେ। ସେ ହେଲେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗରିପୋଷୀ ବ୍ଲକ କଳାବାଡିଆ ପଞ୍ଚାୟତର କେନ୍ଦୁଡ଼ିଆ ଗ୍ରାମର ଅଧୀର କୁମାର ପାଣି (୫୨)।

ଏକ ଏକର ବିଶିଷ୍ଟ ଜମିକୁ ଲିଜ ସୁତ୍ରରେ ନେଇ ତାକୁ ହଳ କରି ଲଗାଇଛନ୍ତି ୫ କିସମର ବେରୀ ଗଛ। ସେଥିରେ ରହିଛି ରେଡ କାଶ୍ମୀରୀ, ସିଡଲେସ, ଥାଇ ଗ୍ରୀନ, ମିସ ଇଣ୍ଡିଆ, ଓ ବଲ ସୁନ୍ଦରୀ। ମିସ ଇଣ୍ଡିଆ, ରେଡ ଥାଇ କାଶ୍ମିରୀ ମୁଖ୍ୟ ଭାବେ ସର୍ବାଧିକ ଗଛ ଲାଗିଛି। ସେ କୁହନ୍ତି ୟୁଟ୍ୟୁବ ଦେଖୁ ଦେଖୁ ଏହି ଚାଷ କରିବାକୁ ମନ ବଳାଇଥିଲେ, ପରେ ୟୁଟୁବରୁ ଠିକଣା ଖୋଜି ଭୁବନେଶ୍ୱର ଏକ ନର୍ସରୀରୁ ପଚାଶଟି ବେରୀ ଗଛ ଆଣିଥିଲେ, ପଚାଶଟି ଗଛକୁ ପାଞ୍ଚ ହଜାର ଟଙ୍କା ଦେବାକୁ ପଡିଥିଲା। ପ୍ରଥମବର୍ଷ ସେଇ ପଚାଶଟି ବେରୀ କୋଳି ଗଛରୁ ପଚିଶ ହଜାର ଟଙ୍କା ପାଇଥିଲେ, ଦ୍ୱିତୀୟବର୍ଷ ଦୁଇଶହ ପଚାଶଟି ବେରୀ କୋଳି ଗଛ ଆଣି ଲଗାଇ ଥିଲେ (ଗୋଟାକ ୧୦୦ ଟଙ୍କାରୁ ୧୨୦ଟଙ୍କା) ଆଣି ଏପ୍ରିଲ ମାସରେ ରୋପଣ କରିଥିଲେ। ମାତ୍ର ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ଗଛ ମୂଳରେ ଜଳ ଜମି ରହି ଜଳ ନିଷ୍କାସନ ନହେବା ଫଳରେ ଗଛ ଗୁଡିକ ରୋଗାଗ୍ରସ୍ତ ହେବା ଦେଖି ଚିନ୍ତାରେ ମନ ଭାଙ୍ଗି ପଡିଥିଲେ। ଗ୍ରାମବାସୀଙ୍କ ସହିତ ପରିବାର ଲୋକ ମଧ୍ୟ ତାଙ୍କର ଏହି ଅଜବ ଚାଷ ନିଶାକୁ ନେଇ ଅନେକ କଥା କହି ମନୋବଳ ଭାଙ୍ଗି ଦେଇଥିଲେ।

Sambad

ମାତ୍ର ଚାରା ଆଣିଥିବା ନର୍ସରୀ ସହିତ ଯୋଗାଯୋଗ କରି ଭାଗ୍ୟକୁ ଆଦରି ଧୈାର୍ଯ୍ୟ ସହକାରେ ଚୁପଚାପ ବସି ରହିଥିଲେ। ତେବେ ବର୍ଷା ପରେ ପାଣିପାଗ ବଦଳିବା ସହିତ ଗଛ ଗୁଡିକ ମଧ୍ୟ ସ୍ବାଭାବିକ ଅବସ୍ଥାକୁ ଆସିଯିବା ଦେଖି ଖୁସି ଅନୁଭବ କରିଥିଲେ। ଅକ୍ଟୋବର ମାସରେ ଫୁଲ ଆସିବା ସହିତ ଡିସେମ୍ବର ୩୦ରେ ଅମଳ ଆରମ୍ଭ ହୋଇଥିଲା। ଅମଳ ହେବା ପର୍ଯ୍ୟନ୍ତ ପାଖାପାଖି ପଚାଶ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି। ଗୋଟିଏ ଗଛ ପ୍ରତି ସର୍ବନିମ୍ନ କୋଡିଏ କିଲୋଗ୍ରାମରୁ ୨୫ କିଲୋଗ୍ରାମ ବେରୀ ଅମଳ ହୋଇଥାଏ। ଏହି ଫଳ ଭୁବନେଶ୍ବର, ବ୍ରହ୍ମପୁର ପଟେ ଯାଉଥିଲା ବେଳେ ବ୍ୟବସାୟୀ ମାନେ କିଲୋଗ୍ରାମ ପ୍ରତି ପଚାଶରୁ ଷାଠିଏ ଟଙ୍କାରେ କିଣିଥାନ୍ତି। ଫଳର ଚାହିଦା ଏତେ ହୋଇଛି ଯେ ଯୋଗାଣ ପାଇଁ ଏବେ ସମସ୍ୟା ହେଉଛି ବୋଲି ଅଧୀର ପାଣି କୁହନ୍ତି। ତେବେ ଯଦି ସରକାରୀସ୍ତରରେ କୌଣସି ସାହାର୍ଯ୍ୟ ମିଳିଥିଲେ ଆଉ କିଛି ଉନ୍ନତି ହୋଇପାରନ୍ତା। ତେବେ ଏବର୍ଷ ଅମଳ ଟଙ୍କାରେ ମଶାରୀ ଦେଇ ଚାଷକୁ ଆଉ କିଛି ଉନ୍ନତ ଧରଣର କରିବେ ବୋଲି କହିଛନ୍ତି। ତେବେ ରେଡ କାଶ୍ମୀରୀର ସ୍ବାଦ ପାଇଁ ଲୋକ ପସନ୍ଦ କରୁଛନ୍ତି। ଆଜିର ଯୁବଗୋଷ୍ଠୀ ଏହି ଚାଷକୁ ଆପଣାଇ ନିଜେ ସ୍ବାବଲମ୍ବୀ ହୋଇପାରିବେ ବୋଲି ଅଧୀର ପାଣି କହିଛନ୍ତି। ପ୍ରଣାଳୀ-ପ୍ରଥମେ ବିଲକୁ ହଳ କରିବା ପରେ ଦେଢ ଫୁଟ ଛାଡି ଛାଡି ଗାତ କରି ଖତ, ସାର, ଉଇନାଶକ ଦେଇ ଦିଅନ୍ତୁ। ପରେ ପାଣି ଦେଇ ତାକୁ ୭ଦିନ ପାଇଁ ଛାଡି ଦେଲା ପରେ ଚାରା ରୋପଣ କରନ୍ତୁ।

ସମ୍ବନ୍ଧିତ ଖବର