ଉତ୍ତରାଖଣ୍ଡ ବିପର୍ଯ୍ୟୟରେ ନିଖୋଜ ମୟୂରଭଞ୍ଜ ପୁଅ ପର୍ଶୁରାମ; ପୁଅକୁ ଖୋଜି ଆଣିବାକୁ ଜିଲ୍ଲାପାଳଙ୍କୁ ଗୁହାରି କଲେ ଅସହାୟ ପିତା

ଆକୁଳ ନୟନରେ ବାଟ ଚାହିଁ ବସିଛନ୍ତି ବୃଦ୍ଧ ପିତାମାତା ଏବଂ ଶିଶୁପୁତ୍ର, ତିନି ଦିନ ହେବ ଘରେ ରନ୍ଧାବଢ଼ା ନାହିଁ

ବାରିପଦା/ଖୁଣ୍ଟା: କିଛି ବ୍ୟସ୍ତ ହୁଅନି। ଏଥର ଘରକୁ ଫେରିଲେ ଆମର ନୁଆ କୋଠାଘର ତିଆରି ହେବ। ଆଉ କିଛି ଅସୁବିଧା ରହିବନି। ଗତ ରବିବାର ସକାଳ‌େ ବାପାଙ୍କୁ ଏମିତି ଆଶ୍ବାସନା ଦେଇଥିଲେ ପୁଅ ପର୍ଶୁରାମ। ମାତ୍ର କିଛି ସମୟ ପରେ ହିଁ ନିୟତି ରଚିଥିଲା ତାଣ୍ଡବ। ଡିୟୁଟିକୁ ଯିବାକୁ କହି ଫୋନ୍ ରଖିଥିଲା ଯେ ରଖିଛି। ଆଉ କିଛି ଖୋଜ ଖବର ନାହିଁ। ଏମିତି କହି ବିଳପି କାନ୍ଦୁଥିଲେ ଉତ୍ତରାଖଣ୍ଡ ବିପର୍ଯ୍ୟୟରେ ନିଖୋଜ ଥିବା ଜିଲ୍ଲାର ଖୁଣ୍ଟା ବ୍ଲକ୍ ଅନ୍ତର୍ଗତ ବାଙ୍ଗରା ପଞ୍ଚାୟତ ସାତପଉଟିଆ ଗାଁର ପର୍ଶୁରାମ ହାଁସଦା(୪୦)ଙ୍କ ପିତା ରବୀନ୍ଦ୍ରନାଥ।

ସେହିପରି କିଛି କହିପାରୁନଥିଲେ ମଧ୍ୟ ନିରୀହ ଆଖିରେ ନିଜ ବାପାଙ୍କୁ ଖୋଜୁଥିବା ପର୍ଶୁରାମଙ୍କ ୫ବର୍ଷର ଶିଶୁପୁତ୍ରର କରୁଣ ଚାହାଣି ମଧ୍ୟ ଥିଲା ବେଶ୍ ହୃଦୟବିଦାରକ। ବାରିପଦା ଶିଳ୍ପ ତାଲିମ କେନ୍ଦ୍ରରୁ ମେକାନିକାଲରେ ଆଇଟିଆଇ ପାସ କରିବା ପରେ ପ୍ରଥମେ ନାଗାଲାଣ୍ଡର ଏକ ବିଦ୍ୟୁତ ପ୍ରକଳ୍ପରେ କାର୍ୟ୍ୟ କରୁଥିଲେ ପର୍ଶୁରାମ। ପରେ ଉତ୍ତରାଖଣ୍ଡ ଚମୋଲି ଜିଲ୍ଲାର ଋଷିଗଙ୍ଗା ଜଳ ବିଦ୍ୟୁତ ପ୍ରକଳ୍ପରେ ମେସିନ୍ ଅପରେଟର ଭାବେ କାର୍ୟ୍ୟରତ ଥିଲେ । ପ୍ରତିଦିନ ଭଳି ଗତ ରବିବାର ଦିନ ସକାଳେ ପର୍ଶୁରାମ ପରିବାର ଲୋକଙ୍କ ସହିତ ଫୋନରେ କଥା ହୋଇଥିଲେ । କଥା ହେବାର କିଛି ସମୟ ପରେ ହିଁ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା । ଦିନ ୧୦ଟାରେ ଟିଭିରୁ ଉତ୍ତରାଖଣ୍ଡରେ ହିମଶୈଳ ଫାଟି ସଂଘଟିତ ବନ୍ୟା ବିଭୀଷିକା ସମ୍ପର୍କରେ ଜାଣିବା ପରେ ବିଚଳିତ ହୋଇପଡ଼ିଥିଲେ ପରିବାରବର୍ଗ। ଏହା ପରଠାରୁ ପର୍ଶୁରାମଙ୍କ ସହିତ ପରିବାର ପକ୍ଷରୁ କୌଣସି ଯୋଗାଯୋଗ ହୋଇପାରିଲା ନାହିଁ । ଏପରିକି ପ୍ରକଳ୍ପର ଅଧିକାରୀଙ୍କ ସହିତ ମଧ୍ୟ ପରିବାରବର୍ଗଙ୍କ କୌଣସି ସମ୍ପର୍କ ହୋଇପାରିଲାନାହିଁ । ସମୟ ଗଡି ଚାଲିବା ସହିତ ଦୁଃଖରେ ମ୍ରିୟମାଣ ପରିବାରଙ୍କ ଆଖିରୁ ନିଦ ଏବଂ ଭୋକ ହଜିଯାଇଛି। ଆଜି ବର୍ଗଙ୍କ ନିଦ ହଜିଗଲା । ଏପରିକି ଗତ ୩ଦିନ ଧରି ପୁଅର କୌଣସି ଖୋଜ ଖବର ମିଳୁନଥିବାରୁ ଘରେ ଚୁଲି ମଧ୍ୟ ଜଳିନାହିଁ । ଶେଷରେ ପୁଅକୁ ଖୋଜି ଆଣିବା ପାଇଁ ଆଜି ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି ପର୍ଶୁରାମଙ୍କ ବାପା ରବୀନ୍ଦ୍ରନାଥ। ଜିଲ୍ଲାପାଳଙ୍କ ଭେଟି ଘରର ମେରୁଦଣ୍ଡକୁ ଖୋଜି ଆଣିବାକୁ ଗୁହାରି କରିଛନ୍ତି।

ଏସମ୍ପର୍କରେ ଜିଲ୍ଲାପାଳ ବିନୀତ ଭରଦ୍ବାଜ କହିଛନ୍ତି ଯେ ଏସଆରସି ଉତ୍ତରାଖଣ୍ଡ ସରକାରଙ୍କୁ ଏସମ୍ପର୍କରେ ପତ୍ର ଲେଖିଛନ୍ତି। ଆମ‌େ ମଧ୍ୟ ଏସମ୍ପର୍କରେ ଅବଗତ ଅଛୁ।ଉତ୍ତରାଖଣ୍ଡ ସରକାର ସହିତ ଯୋଗାଯୋଗରେ ଅଛୁ। କୌଣସି ସୂଚନା ମିଳିଲେ ଆମେ ଯାହା ଆବଶ୍ୟକ କରିବୁ ବୋଲି ଜିଲ୍ଲାପାଳ ଶ୍ରୀ ଭରଦ୍ବାଜ ସୂଚନା ଦେଇଛନ୍ତି। ଘରର ଆର୍ଥିକ ସ୍ଥିତିରେ ସୁଧାର ଆସିବା ନେଇ ଘରୁ ଗୋଡ଼ କାଢ଼ିଥିବା ବଡ଼ପୁଅକୁ ଚାତକ ପରି ଚାହିଁ ରହିଛନ୍ତି ମା ରତ୍ନମଞ୍ଜରୀ। ପର୍ଶୁରାମଙ୍କ ସମ୍ପର୍କରେ ଖବର ନେବାକୁ ଫୋନ ଟ୍ରାକିଙ୍ଗ୍ କରିବା ପାଇଁ ଖୁଣ୍ଟା ପୁଲିସ ନିକଟରେ ଲିଖିତ ଭାବେ ଜଣାଇଥିଲେ ପିତା ରବୀନ୍ଦ୍ରନାଥ। ପ୍ରକାଶଥାଉକି ତିନି ଭାଇ ଏବଂ ଗୋଟିଏ ଭଉଣୀଙ୍କ ମଧ୍ୟରେ ପର୍ଶୁରାମ ସବୁଠାରୁ ବଡ଼ ଥିଲେ । ପର୍ଶୁରାମଙ୍କ ବିବାହ ମଧ୍ୟ ସରିଛି। ଘରେ ଏବେ ପାଞ୍ଚବର୍ଷର ଏକ ପୁଅ ରହିଛି । ପୁରା ପରିବାର ପର୍ଶୁରାମଙ୍କ ଉପରେ ନିର୍ଭର କରି ଚଳିଆସୁଥିଲେ । ହେଲେ ପ୍ରକୃତିର ତାଣ୍ଡବରେ ନିଖୋଜ ଅଛନ୍ତି ପର୍ଶୁରାମ। ପୁରା ଗାଁ ଏବଂ ସ୍ଥାନୀୟ ଅଞ୍ଚଳ ପର୍ଶୁରାମଙ୍କ ସୁରକ୍ଷିତ ଫେରିବା ନେଇ ପ୍ରାର୍ଥନା କରୁଛନ୍ତି।

ସମ୍ବନ୍ଧିତ ଖବର