ରାଉରକେଲା: ବେଶ୍ ଉଚ୍ଚ ଶିକ୍ଷିତା। ଭଲ ଦରମା ବି ପାଉଥିଲେ। ଏମ୍ବିଏ ଶିକ୍ଷା ଲାଭପରେ ପାଖାପାଖି ୬ ବର୍ଷ ରାଜସ୍ଥାନ, ବାଙ୍ଗାଲୋର, ରାୟପୁରରେ ବିଭିନ୍ନ ପ୍ରତିଷ୍ଠିତ କମ୍ପାନିରେ ଚାକିରି କରିଥିଲେ। କିନ୍ତୁ ପର ଅଧୀନରେ କାମ କରିବା ଅପେକ୍ଷା ନିଜେ ସ୍ବାବଲମ୍ବୀ ହୋଇ ଅନ୍ୟକୁ ରୋଜଗାର ଯୋଗାଇବାକୁ ସଂକଳ୍ପ କରିଥିଲେ। ଗତ ପ୍ରାୟ ଅଢ଼େଇ ବର୍ଷ ହେଲା ରେସ୍ତୋରାଁ ବ୍ୟବସାୟ କରି ନିଜେ ସ୍ବାବଲମ୍ବୀ ହୋଇ ପାରିଛନ୍ତି। ଏହି ପ୍ରେରଣାଦାୟୀ ମହିଳା ହେଉଛନ୍ତି ରାଉରକେଲାର ଏମ୍ବିଏ ରୋସ୍ତୋରାଁବାଲି’ ବନ୍ଦନା ଆଚାର୍ଯ୍ୟ (୩୪)।
ରାଉରକେଲାରେ ସ୍କୁଲ ଶିକ୍ଷା ପରେ ବନ୍ଦନା ଉତ୍କଳ ବିଶ୍ବବିଦ୍ୟାଳୟରେ ଏମ୍ବିଏ ପଢ଼ିଥିଲେ। ପିଲାଟି ଦିନରୁ ମେଧାବୀ ବନ୍ଦନାଙ୍କୁ ରାଜସ୍ଥାନସ୍ଥିତ ହୋଣ୍ଡା କାର୍ସ ଇଣ୍ଡିଆ ଲିମିଟେଡ୍ରେ ଚାକିରି ମିଳିଥିଲା। ସେଠାରେ ପ୍ରାୟ ଦେଢ଼ ବର୍ଷ ଚାକିରି କରିବାପରେ ଏଫ୍ଜେଏମ୍ ସିଲିଣ୍ଡର୍ସ୍, ବ୍ଲାକ୍ ଡାଏମଣ୍ଡ୍ ମୋଟର୍ସରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପଦରେ ରହିଥିଲେ। ପ୍ରଥମେ ବିବାହ ଓ ପରବର୍ତ୍ତୀ ସମୟରେ ଏକମାତ୍ର ଝିଅ ଅଭିଶ୍ରୀଙ୍କ ଜନ୍ମ କାରଣରୁ ଚାକିରି ଛାଡ଼ିଥିଲେ। ଏହି ସମୟରେ ନିଜସ୍ବ ଷ୍ଟାର୍ଟଅପ୍ ଆରମ୍ଭ କରିବାକୁ ମନେମନେ ସ୍ଥିର କରିଥିଲେ। ୨୦୨୧ ମାର୍ଚ୍ଚ ୬ ତାରିଖରେ ସ୍ବାମୀଙ୍କ ସହ ମିଶି କୋଏଲନଗର, ସି/୨୧ କ୍ବାର୍ଟର୍ସ ଭଡ଼ା ନେଇ ‘ସାସି’ ନାମରେ ଏକ ରୋସ୍ତୋରାଁ ଆରମ୍ଭ କରିଥିଲେ।
ପରବର୍ତ୍ତୀ ସମୟରେ ସ୍ବାମୀ-ସ୍ତ୍ରୀ ଅଲଗା ଅଲଗା ରହିବାରୁ ରୋସ୍ତୋରାଁର ପରିଚାଳନା ଓ ପ୍ରବନ୍ଧନ ଭାର ବନ୍ଦନାଙ୍କ ଉପରେ ପଡ଼ିଥିଲା। ସେ ସମସ୍ତ ଦାୟିତ୍ବ ନିଜ କାନ୍ଧରେ ଉଠାଇ ରୋସ୍ତୋରାଁର ସବୁ କାମ ଏକାକୀ ତୁଲାଉଛନ୍ତି।
ସାମଗ୍ରୀ କିଣାକିଣିଠାରୁ ଆରମ୍ଭ କରି ଖାଦ୍ୟ ପ୍ରସ୍ତୁତି ପର୍ଯ୍ୟନ୍ତ ସବୁ ନିଜେ କରୁଛନ୍ତି। ଏହି ରେସ୍ତୋରାଁରେ ପିଜା, ଫ୍ରାଏଡ୍ ଗୁଡିଜ୍, ବର୍ଗର୍, ସ୍ୟାଣ୍ଡ୍ୱିଚ୍, ପାସ୍ତା, ଫ୍ରାଏଜ୍, ସେକ୍ ଆଦି ସ୍ନାକ୍ସ ସହିତ ବିଭିନ୍ନ ଆମିଷ ଓ ନିରାମିଷ ଖାଦ୍ୟ ଉପଲବ୍ଧ। ବିଶେଷ କରି ଏଠାକାର ୧୦ରୁ ଅଧିକ ପ୍ରକାରର ପିଜା ସମସ୍ତଙ୍କ ପ୍ରଥମ ପସନ୍ଦ ପାଲଟିଛି।
ଜମାଟୋ, ସ୍ବିଗି ଆଦି ଅନଲାଇନ ଖାଦ୍ୟ ଯୋଗାଣ ସଂସ୍ଥା ବନ୍ଦନାଙ୍କ ପ୍ରସ୍ତୁତ ଖାଦ୍ୟ ସହର ସାରା ପହଞ୍ଚାଉଛନ୍ତି। ବନ୍ଦନାଙ୍କ ଏହି ପ୍ରୟାସ କେବଳ ନିଜକୁ ପ୍ରତିଷ୍ଠିତ କରିବାରେ ସହାୟକ ହୋଇନି, ବରଂ ଏକାଧିକ ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ପାଲଟିଛି।