ଏମସିଏଲର ମିଛ କୋଲ୍ କରିଡର ବିରୋଧରେ ପୁଣି ଉଠିଲା ସ୍ବର

ସୁନ୍ଦରଗଡ଼: ବାଙ୍କିବାହାଲ-ଟପରିଆ ରାସ୍ତାରେ ଏମସିଏଲର କୋଇଲା ସହ ଅନ୍ୟ ଖଣିଜଦ୍ରବ୍ୟ ପରିବହନକୁ ନେଇ ବିଭିନ୍ନ ସମୟରେ ଉଠିଛି ବିବାଦ। ବିଶେଷ କରି ପରିବେଶ ମଞ୍ଜୁରି ସର୍ତ୍ତ ଉଲ୍ଲଂଘନ ପୂର୍ବକ ଗାଁ ରାସ୍ତାରେ କୋଇଲା ବୋଝେଇ ଭାରୀଯାନ ଚଳାଚଳ ସ୍ଥାନୀୟ ଅଞ୍ଚଳର ଜୀବନଜୀବିକାକୁ ବିପନ୍ନ କରିଥିବା ଅଭିଯୋଗ ନେଇ ଜନଶକ୍ତି ବିକାଶ ପରିଷଦର ତୀବ୍ର ବିରୋଧ ଓ ଆନ୍ଦୋଳନ, ବ୍ୟାପକ ଗିରଫଦାରି, ପରିବହନ ଉପରେ ମାନବାଧିକାର ଆୟୋଗଙ୍କ ରୋକ୍, ରୋକ୍କୁ ଉଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ ଆଦି ଘଟଣାକ୍ରମକୁ ନେଇ ଗତ ୨୦୨୧ ଜାନୁଆରିରୁ ଏଯାଏଁ ଏମସିଏଲର ଅଡ଼ୁଆ ବଢ଼ି ଯାଇଛି। ଏସ୍ଥିତିରେ ଓଡ଼ିଶା ହାଇକୋର୍ଟଙ୍କ ଆଦେଶକ୍ରମେ ଅକ୍ଟୋବର ୨୯ ତାରିଖରେ ଏମସିଏଲ ଖଣି ପ୍ରଭାବିତ ବାଙ୍କିବାହାଲ-ଟପରିଆ ଅଞ୍ଚଳରେ ଜିଲ୍ଲାପାଳଙ୍କ ନିରୀକ୍ଷଣ ଓ ଜନଶୁଣାଣିରେ ଅଞ୍ଚଳବାସୀ ପୁଣି ଥରେ ଏମସିଏଲର କୋଲ୍ କରିଡର୍ ମିଛକୁ ସାମ୍ନାକୁ ଆଣିଥିଲେ।

ବାଙ୍କିବାହାଲ-ଟପରିଆ ରାସ୍ତାରେ ଏମସିଏଲ କୌଣସି କୋଲ୍ କରିଡର୍ ନିର୍ମାଣ କରି ନାହିଁ। କିନ୍ତୁ ନିଜେ ଓ ଭୁବନେଶ୍ବରସ୍ଥିତ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ (ଏମଓଇଏଫସିସି) ପ୍ରଭାବ ଆକଳନ ବିଭାଜନ କୋଲ୍ କରିଡରର ମିଛ ରିପୋର୍ଟ ଦେଇ ୩୦ ବର୍ଷ ପାଇଁ କୁଲଡା କୋଇଲା ଖଣି ହାତେଇ ନେଇଥିବା ଅଭିଯୋଗ କରି ଗାଁ ରାସ୍ତାରେ କୋଇଲା ପରିବହନ ବନ୍ଦ ପାଇଁ ଦୃଢ଼ ଦାବି କରିଥିଲେ। ଏହା ମଧ୍ୟରେ ଏମସିଏଲ ଓ ଏମଓଇଏଫସିସିର ମିଛ ରିପୋର୍ଟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଜନଶକ୍ତି ବିକାଶ ପରିଷଦ।

ସୂଚନାଯୋଗ୍ୟ, ଏମସିଏଲ ୨୦୦୭-୦୮ରେ କୁଲଡା ଖଣି ପାଇଥିଲା। ଏଥିରୁ ସେ ପ୍ରତିବର୍ଷ ୧୦ ମିଲିୟନ ଟନ୍ କୋଇଲା ଉତ୍ପାଦନ କରୁଥିବା ବେଳେ ୨୦୧୭ରେ ଖଣି ସମ୍ପ୍ରସାରଣ ପାଇଁ ଆବେଦନ କରିଥିଲା। ଏଥିପାଇଁ ୨୦୧୭ ଡିସେମ୍ବର ୨୦ରେ ପରିବେଶ ମନ୍ତ୍ରାଳୟ ପକ୍ଷରୁ ବରପାଲି ଠାରେ ଜନଶୁଣାଣି ପାଇଁ ଡକାଯାଇଥିଲା। ଯେଉଁଥିରେ ପ୍ରଭାବିତ ଗୋଷ୍ଠୀ ପ୍ରତିନିଧିମାନେ ପ୍ରଭାବିତ ଗାଁର ଦାବି ସମୂହ ଓ ପ୍ରଦୂଷଣକୁ ସମ୍ପୂର୍ଣ୍ଣ ଭାବେ ରୋକିବା ପରେ ସମ୍ପ୍ରସାରଣ ଅନୁମତି ପାଇଁ ସମ୍ମତି ଦେବେ ବୋଲି କହି ବୈଠକକୁ ସମ୍ପୂର୍ଣ୍ଣ ବର୍ଜନ କରିଥିଲେ। ଲୋକେ ନଆସିବାରୁ ଉକ୍ତ ଦିନ ଜନଶୁଣାଣିକୁ ସ୍ଥଗିତ ରଖିଥିଲା ପ୍ରଶାସନ। ପରେ ୨୦୧୮ ଜାନୁଆରି ୧୦ରେ ଏମସିଏଲ ଷ୍ଟାଡ଼ିୟମୟରେ ଦ୍ବିତୀୟ ଜନଶୁଣାଣି ଆୟୋଜିତ ହୋଇଥିଲା। ଏଥିରେ ପ୍ରଭାବିତ ପରିବାରମାନେ ଏକତ୍ରିତ ହୋଇ ପରିବେଶ, ଜୀବନଜୀବିକା ପାଇଁ ହୋଇଥିବା ଚୁକ୍ତିନାମାପତ୍ରକୁ ହାତରେ ଧରି ଏହାର ସଠିକ ଅନୁପାଳନ କରାଯାଉନଥିବା ଅଭିଯୋଗ କରି ପ୍ରବଳ ବିରୋଧ କରିଥିଲେ। କିନ୍ତୁ ପ୍ରଶାସନ ଲୋକଙ୍କ ମତାମତକୁ ଗୁରୁତ୍ବ ନଦେଇ ଜନଶୁଣାଣି ଶେଷ ହୋଇଥିବା ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ପ୍ରଭାବିତ ଲୋକେ ମୂଲ୍ୟନିରୂପଣ ବିଶେଷଜ୍ଞ କମିଟି ପାଖରେ ଜନଶୁଣାଣି ଠିକ ଭାବେ ହୋଇ ନଥିବା ଓ ପରିବେଶ ସର୍ତ୍ତାବଳୀ ବ୍ୟାପକ ଉଲ୍ଲଂଘନ କରାଯାଇଥିବା ଅଭିଯୋଗ କରିଥିଲେ।

୨୦୧୮ ଫେବ୍ରୁଆରି ୨୭ରେ ବିଶେଷଜ୍ଞ କମିଟି ଅଭିଯୋଗକୁ ଭିତ୍ତି କରି ମାତ୍ର ବର୍ଷେ ପାଇଁ ୨୦୧୯ ମାର୍ଚ୍ଚ ୩୧ ଯାଏ ଖଣି ସମ୍ପ୍ରସାରଣ ପାଇଁ ସୁପାରିସ କରି ପରିବେଶ ସଂକ୍ରାନ୍ତୀୟ ସମସ୍ତ ସର୍ତ୍ତାବଳୀର ସଠିକ ଅନୁପାଳନ ନିର୍ଦ୍ଦେଶ ଦେଇଥିଲେ। ବିଶେଷତଃ ଖଣି କାର୍ଯ୍ୟ ଓ ଖଣିଜ ଦ୍ରବ୍ୟ ପରିବହନରେ ବ୍ୟବହୃତ ରାସ୍ତାରେ ହେଉଥିବା ଧୂଳିକୁ ୨୪ ଘଣ୍ଟା ପାଣି ସିଞ୍ଚନ କରି ହ୍ରାସ ଘଟାଇବା, ଖଣି ପାର୍ଶ୍ବବର୍ତ୍ତୀ ଗାଁ ଲୋକଙ୍କ ଜୀବନଜୀବିକାର ବିକାଶ, ତାଲିମ ପ୍ରଦାନ କରି ସେମାନଙ୍କୁ ରୋଜଗାରକ୍ଷମ କରିବା, ଧୂଳିକୁ ଦମନ ପାଇଁ ଖଣି ସୀମାରେ ୭୫ ମିଟର ଓସାରରେ ସବୁଜ ବଳୟ ସୃଷ୍ଟି ଓ ଗାଁ ଭିତରେ କୋଇଲା ପରିବହନକୁ ସମ୍ପୂର୍ଣ୍ଣ ଏଡ଼ାଇବାକୁ ବାଏପାସ ବା ସ୍ବତନ୍ତ୍ର କରିଡର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପରବର୍ତ୍ତୀ ସମୟରେ କୁଲଡା ଖଣିକୁ ପୁଣି ବର୍ଷେ ପାଇଁ ସମ୍ପ୍ରସାରିତ କରାଯାଇଥିଲା। କିନ୍ତୁ ଏମସିଏଲ ଖଣିଜ ଦ୍ରବ୍ୟ ପରିବହନ, ସଂରକ୍ଷଣ ଓ ବୋଝେଇରେ ସମସ୍ତ ସର୍ତ୍ତ, ଆଦେଶନାମା ଉଲ୍ଲଂଘନ ଜାରି ରଖିଥିବା ଅଭିଯୋଗ ହୋଇଥିଲା।

ଏହା ମଧ୍ୟରେ ମୂଲ୍ୟ ନିରୂପଣ ବିଶେଷଜ୍ଞ କମିଟି କୁଲଡା ଖଣି ପ୍ରକଳ୍ପର କୋଇଲା ପରିବହନ ଓ ପରିବେଶ ମଞ୍ଜୁରି ନିୟମ ବା ସର୍ତ୍ତାବଳୀର ସଠିକ ଅନୁପାଳନ ହେଉଛି କି ନାହିଁ ତାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଭୁବନେଶ୍ବରସ୍ଥିତ ଭାରତ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ (ଏମଓଇଏଫସିସି) ପ୍ରଭାବ ଆକଳନ ବିଭାଜନ ୨୦୧୯ ଡିସେମ୍ବର ୨ରେ କୁଲଡା ପ୍ରକଳ୍ପ ସମ୍ପର୍କରେ ମନିଟରିଂ ରିପୋର୍ଟ ଦାଖଲ କରି ଏମସିଏଲ ଗାଁ ରାସ୍ତାକୁ ଏଡ଼ାଇ ବାଏପାସ୍ ବା ସ୍ବତନ୍ତ୍ର କରିଡରରେ କୋଇଲା ପରିବହନ ଓ ପରିବେଶ ମଞ୍ଜୁରି ଆଇନର ସଠିକ ଅନୁପାଳନ କରୁଥିବା ଦର୍ଶାଇଥିଲା। ଏହି ରିପୋର୍ଟ ଆଧାରରେ ୨୦୧୯ ଡିସେମ୍ବର ୫ରେ ଅନୁଷ୍ଠିତ ମୂଲ୍ୟନିରୂପଣ ବିଶେଷଜ୍ଞ କମିଟି (ଏକ୍ସପର୍ଟ ଏଫ୍ରିଜଲ କମିଟି)ର ବୈଠକରେ କୁଲଡା ଖଣିକୁ ୩୦ ବର୍ଷ ବା ଆଜୀବନ (ଲାଇଫ୍ଟାଇମ୍) ସମ୍ପ୍ରସାରଣ ପାଇଁ ସୁପାରିସ କରିଥିଲେ। ଏହା ପରେ ଏମଓଇଏଫସିସି ଏମସିଏଲ ହାତରେ ପ୍ରତି ବର୍ଷ କୋଇଲା ଉତ୍ତୋଳନ ୧୦ ମିଲିୟନ ଟନ୍ରୁ ୧୪ ମିଲିୟନ ଟନ୍କୁ ବୃଦ୍ଧି କରି ୩୦ ବର୍ଷ ପାଇଁ କୁଲଡା ଖଣିକୁ ଟେକି ଦେଇଛି। କିନ୍ତୁ ପ୍ରକୃତରେ ଏମସିଏଲ ହେମଗିର ବ୍ଲକ୍ର ଡୁଡୁକା ଓ ଟାଙ୍ଗରପାଲି ବ୍ଲକ୍ର ଉଜ୍ବଳପୁର ଗାଁକୁ ଏଡ଼ାଇ ଦୁଇଟି ୨ କିଲୋମିଟର ବିଶିଷ୍ଟ ବାଏପାସ ରାସ୍ତା ବ୍ୟତୀତ ଅନ୍ୟ କୌଣସି ସ୍ଥାନରେ ବାଏପାସ୍ ବା ସ୍ବତନ୍ତ୍ର କୋଲ୍ କରିଡର ନିର୍ମାଣ କରି ନଥିବା ଜନଶକ୍ତି ବିକାଶ ପରିଷଦ ଅଭିଯୋଗ କରିଆସୁଛି।

ସମ୍ବନ୍ଧିତ ଖବର