ପୁଣି ଖଣିରେ ପଶି କୋଇଲା ଚୋରି, ସନ୍ଦେହ ଘେରରେ ଏମସିଏଲ୍ କର୍ମଚାରୀ

ସୁନ୍ଦରଗଡ଼: ଏମସିଏଲ ଖଣିରୁ ପୁଣି କୋଇଲା ଚୋରି। ତା’ ପୁଣି ଲୁଚାଛପାରେ ନୁହେଁ, ଖୋଲାଖୋଲି ଖଣି ଭିତରେ ପଶି। ଘଟଣାକ୍ରମେ ଗତ ୨୦ ତାରିଖ ରାତିରେ ଏକ ଟ୍ରେଲର୍ ( ଓଡି୧୬ ସି ୮୩୫୮) ସିଧା ସାଇଡିଂ ରାସ୍ତାରେ ଗର୍ଜନବାହାଲ ଖଣିକୁ ପଶି ୩୦ ଟନ୍ କୋଇଲା ବୋଝେଇ କରିଥିଲା। ବାହାରକୁ ଆସିବା ବେଳେ ଜଣାପଡ଼ିଥିଲା ଗାଡ଼ିରେ ଟିପି, ଜିପି ପରି କାଗଜପତ୍ର ନାହିଁ। ଖଣିରେ କାର୍ଯ୍ୟରତ କର୍ମଚାରୀ ହଡ଼ବଡ଼େଇ ଯାଇଥିଲେ। ତୁରନ୍ତ କୋଇଲା ଉତାରି ଯିବାକୁ ଡ୍ରାଇଭରକୁ କହିଥିଲେ କର୍ମଚାରୀ।

ତେବେ ଗାଡ଼ି ଡ୍ରାଇଭର କୋଇଲା ଉତାରିଥିଲେ ମଧ୍ୟ ପ୍ରାୟ ୬ ଟନ୍ କୋଇଲା ଗାଡ଼ିରେ ରଖି ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲେ। ଯେହେତୁ କୋଇଲା ଚୋରି କଥାଟି ପ୍ରଘଟ ହୋଇଯାଇଥିଲା, ତେଣୁ ଖଣି କର୍ମଚାରୀମାନେ ତାକୁ ଗୋଡ଼ାଇ ଧରି ପୁଲିସକୁ ହସ୍ତାନ୍ତର କରିଥିଲେ। ପୁଲିସ ଗାଡ଼ିକୁ ଜବତ କରି ଡ୍ରାଇଭର ଓ ହେଲ୍ପରକୁ ଗିରଫ କରିଥିଲେ। ତେବେ ବିନା କାଗଜପତ୍ରରେ ଖଣି ଭିତରକୁ ଗାଡ଼ି କିପରି ପଶିଲା ଓ କର୍ମଚାରୀ କିପରି କୋଇଲା ବୋଝେଇ ଦେଲେ ତାକୁ ନେଇ ଉଠିଛି ପ୍ରଶ୍ନ। ସୂଚନାଯୋଗ୍ୟ, ଖଣି ଭିତରକୁ ସାଇଡିଂ ଓ ରୋଡସେଲ୍ ପାଇଁ ଅଲଗା ରାସ୍ତା ରହିଛି। ଟ୍ରକଗୁଡ଼ିକ ଏ ଦୁଇ ରାସ୍ତାରେ ପଶି କାଗଜପତ୍ର ଦେଖାଇବା ପରେ କୋଇଲା ବୋଝେଇ କରାଯାଇଥାଏ। ଏହା ପରେ ଗାଡ଼ିକୁ ୱେବ୍ରିଜ୍ରେ ଓଜନ କରି ବାହାରକୁ ଛଡ଼ାଯାଇଥାଏ। କିନ୍ତୁ ଅନେକ ସମୟରେ ଏସବୁ ପ୍ରକ୍ରିୟା ନାମକୁ ମାତ୍ର ଚାଲିଥିବା ଅଭିଯୋଗ ହୋଇଛି।

ଏମସିଏଲ କର୍ମଚାରୀଙ୍କ ସମ୍ପୃକ୍ତିରେ କୋଇଲା ଚୋରି ହେଉଛି। ବିଶେଷ କରି ଖଣି ଏବେ ଠିକା, ପରିବହନ ସଂସ୍ଥା କବଜାରେ। ଖଣି ଖନନ, ଉତ୍ପାଦନ ଠାରୁ ଆରମ୍ଭ କରି ପରିବହନ ଯାଏ ସବୁ କାର୍ଯ୍ୟ ଠିକା ସଂସ୍ଥା ହାତରେ। ତେଣୁ ଏହି ସୁଯୋଗରେ ଏଠାରୁ ବେଧଡ଼କ କୋଇଲା ଚୋରି ହେଉଛି। ଏଥିରେ ଖଣି ୱେବ୍ରିଜ୍ ସାଜିଛି ଚୋରିର ମୁଖ୍ୟ ବାଟ। ଏହାର ପରିଚାଳନା ଓ ନିୟନ୍ତ୍ରଣ ଏମସିଏଲ କର୍ମଚାରୀଙ୍କ ହାତରେ ଥିବା ସତ୍ତ୍ବେ ଅନେକ ସମୟରେ ୱେବ୍ରିଜରେ ଠିକା ସଂସ୍ଥା କର୍ମଚାରୀ ବସୁଛନ୍ତି। ଯେଉଁଥିପାଇଁ କୋଇଲା ଚୋରି ସହଜ ହୋଇଥିବା କୁହାଯାଉଛି। ରେଲ ସାଇଡିଂ ହେଉ କି ରୋଡସେଲ୍ ହେଉ କୋଇଲା ବୋଝେଇ ଟ୍ରକ ଓଜନ ପାଇଁ ଥିବା ୱେବ୍ରିଜରେ ଠିକା ସଂସ୍ଥା କର୍ମଚାରୀ ଥିବାରୁ ଓଭରଲୋଡିଂ ଟ୍ରକ ସହଜରେ ବାହାରକୁ ଆସିଯାଉଛି।

ଏହି ବାଟରେ ଥରକେ ମଲ୍ଟି ଏକ୍ସଲ ଟ୍ରକରେ ୨ରୁ ୪ ଟନ୍ କୋଇଲା ଚୋରି ହେଉଥିବା କୁହାଯାଉଛି। ତେବେ ୱେବ୍ରିଜ୍ରେ ଏମସିଏଲ କର୍ମଚାରୀଙ୍କ ପରିବର୍ତ୍ତେ ଠିକା ସଂସ୍ଥା କର୍ମଚାରୀଙ୍କୁ ନିୟୋଜିତ କରିବାକୁ କିଏ ଅନୁମତି ଦେଇଛି, ତାକୁ ନେଇ ଉଠିଛି ପ୍ରଶ୍ନ। ନିଜ ପକେଟ ଭରିବା ପାଇଁ ଅଧିକାରୀ, କର୍ମଚାରୀ, ସିଧାସଳଖ କୋଇଲା ଚୋରିକୁ ପ୍ରୋତ୍ସାହିତ କରି ଆସୁଛନ୍ତି। ଆଉ ଏହି କାରଣରୁ ଉଭୟ ଏମସିଏଲ ଓ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି। ହେଲେ ଖଣି ବିଭାଗ ୱେବ୍ରିଜର ଏ ବେନିୟମ ପରିଚାଳନା ଓ ନିୟନ୍ତ୍ରଣକୁ ଧରିପାରୁ ନାହାନ୍ତି, ନା ସବୁ ଜାଣି ନିରବରେ ବସି ଯାଉଛନ୍ତି। କୋଇଲା ଚୋରି ପଛରେ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ।

ସମ୍ବନ୍ଧିତ ଖବର