ପାରିବାରିକ କଳହ ତୁଟାଇବାକୁ ଯାଇଥିବା ବ୍ୟକ୍ତିଙ୍କୁ ହତ୍ୟା

ହାଟଡିହି: କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍‌ ନନ୍ଦିପଦା ଥାନା ଅଧୀନ କଳିଗାଁ ପଞ୍ଚାୟତ ଶାଳକଣିଆ ଗ୍ରାମରେ ପାରିବାରିକ କଳହ ସମାଧାନ କରିବାକୁ ଯାଇଥିବା ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି। ମୃତକ ଜଣଙ୍କ ହେଲେ ସେହି ଗ୍ରାମର ଦୈତାରୀ ପାତ୍ର। ଏହାକୁ କେନ୍ଦ୍ରକରି ଗ୍ରାମରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଗାଁରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ, ଶାଳକଣିଆ ଗ୍ରାମର ଆନନ୍ଦ ଯେନାଙ୍କ ୬ ପୁଅ। ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗିଥିଲା। ଜୁନ୍‌ ୧୫ ତାରିଖ ରାତିରେ ଆନନ୍ଦ ଓ ତାଙ୍କ ପତ୍ନୀ ପଡ଼ୋଶୀ ଦୈତାରୀ ପାତ୍ର ଓ ତାଙ୍କ ସାନଭାଇ ଅଶୋକଙ୍କୁ ଡାକି ପିଲାଙ୍କୁ ବୁଝାସୁଝା କରିବାକୁ କହିଥିଲେ। ଦୈତାରୀ ଓ ଅଶୋକ ଆନନ୍ଦଙ୍କ ଘରକୁ ଯାଇ ବୁଝାସୁଝା କରିବା ସହ ପାଟିତୁଣ୍ଡ ନ କରିବାକୁ ପରାମର୍ଶ ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ଆନନ୍ଦଙ୍କ ପରିବାରର ଆନନ୍ଦ ଯେନା, ଭଗବାନ ଯେନା, ସନା ଯେନା, ନନ୍ଦିଆ ଯେନା, ଗୋପୀ ଯେନା, ମୂଷା ଯେନା, ଧୂଷା ଯେନା, ସହଦେବ ଯେନା ପ୍ରମୁଖ ସଂଘବଦ୍ଧ ଭାବେ ଦୈତାରୀ ଓ ଅଶୋକଙ୍କୁ ଗାଳିଗୁଲଜ କରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲେ। ଗଣ୍ଡଗୋଳ ଦେଖି ଅଶୋକଙ୍କ ପତ୍ନୀ ସସ୍ମିତା ଘଟଣାସ୍ଥଳକୁ ଆସି ପ୍ରତିବାଦ କରିବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ।

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସସ୍ମିତା ଓ ଦୈତାରୀଙ୍କୁ ପ୍ରଥମେ ଆନନ୍ଦପୁର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଏନେଇ ନନ୍ଦିପଦା ଥାନାରେ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରିବା ସହ ୧୭ ତାରିଖରେ ଆନନ୍ଦଙ୍କ ପରିବାରର ୪ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ଦୈତାରୀଙ୍କ ମୃତ୍ୟୁ ଘଟିଛି। ଏହି ଖବର ପହଞ୍ଚିବା ପରେ ଗାଁରେ ତୀବ୍ର ଉତ୍ତେଜନା ଦେଖାଦେଇଛି। ଆକ୍ରମଣକାରୀଙ୍କ ପରିବାର ଲୋକେ ଘରଛାଡ଼ି ପଳାଇଥିବାବେଳେ ଘରେ ଥିବା କିଛି ମହିଳାଙ୍କୁ ପୁଲିସ ସୁରକ୍ଷିତ ସ୍ଥାନରେ ନେଇ ରଖିଛି। ଗାଁରେ ୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ଅତିରିକ୍ତ ଏସ୍‌ପି, ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାସ, ଏସ୍‌ଡିପିଓ ଅସିତ ମହାନ୍ତିଙ୍କ ସମେତ ନୟାକୋଟ ଥାନା, କେନ୍ଦୁଝର ସଦର ଥାନା, ଆନନ୍ଦପୁର, ଘସିପୁରା, ରାମଚନ୍ଦ୍ରପୁର, ନନ୍ଦିପଦା, ସୋସୋ ଓ ବନ୍ତ ଥାନାର ଥାନାଧିକାରୀମାନେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ଆହୁରି ୫ଜଣ ଅଭିଯୁକ୍ତ ଫେରାର ଅଛନ୍ତି। ତୁରନ୍ତ ସେମାନଙ୍କୁ ଗିରଫ କରିବାକୁ ମୃତ ଦୈତାରୀଙ୍କ ପରିବାର ଲୋକେ ଦାବି କରିଛନ୍ତି। ଅପରାହ୍‌ଣ ୫ଟାବେଳେ ଗାଁରେ ଶବ ପହଞ୍ଚିଥିଲା। ୭ଦିନ ମଧ୍ୟରେ ଫେରାର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ପରିବାର ଲୋକେ ଶବ ସତ୍କାର କରିବାକୁ ନେଇଛନ୍ତି।

ସମ୍ବନ୍ଧିତ ଖବର