ଚାନ୍ଦବାଲି: ଚାନ୍ଦବାଲି ବ୍ଲକ କ୍ରିୟାନୁଷ୍ଠାନ କମିଟି ତରଫରୁ ଭଦ୍ରକରେ ମେଡ଼ିକାଲ କଲେଜ ପ୍ରତିଷ୍ଠା ଦାବିରେ ବୁଧବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ଚାନ୍ଦବାଲି ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଭଦ୍ରକ ଜିଲ୍ଲାବ୍ୟାପୀ ଚାଲିଥିବା ଉକ୍ତ ଆନ୍ଦୋଳନର ଉଷ୍ମତା ଶେଷ ସୀମା ଚାନ୍ଦବାଲି ଅଞ୍ଚଳକୁ ବ୍ୟାପୀ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ଆହ୍ଵାନରେ ବୁଧୁବାର ଶତାଧିକ ଲୋକ ଯୋଗ ଦେଇ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରୁ ଏକ ଶୋଭାଯାତ୍ରାରେ ବାହାରି ଚାନ୍ଦବାଲି ବିଡ଼ିଓ ଜ୍ୟୋତି ବିକାଶ ଦାସଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଶୋଭାଯାତ୍ରାରେ ବହୁ ବୁଦ୍ଧିଜୀବୀ, ରାଜନେତା ଓ ବରିଷ୍ଠ ନାଗରିକ ମାନେ ଯୋଗ ଦେଇ ମେଡ଼ିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗକୁ ଦୃଢ଼ କରିଛନ୍ତି।
୨୦୦୯ ମସିହାରୁ ଆରମ୍ଭ ହୋଇଥିବା ଏହି ଆନ୍ଦୋଳନ ଚଳିତ ଥର ସଫଳ ହେବ ବୋଲି ବହୁ ବୁଦ୍ଧିଜୀବୀ ଦୃଢୋକ୍ତି ପ୍ରକାଶ କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବ୍ଲକ କ୍ରିୟାନୁଷ୍ଠାନ କମିଟିରେ ମୁଖ୍ୟ ଆବାହକ ସାମ୍ବାଦିକ ବାସୁଦେବ ଦାସ ମତ ବ୍ୟକ୍ତ କରିଛନ୍ତି। ଉକ୍ତ ଦାବିପତ୍ର ପ୍ରଦାନ ପରେ ସ୍ଥାନୀୟ ପୂର୍ତ୍ତବିଭାଗ ଡାକବଙ୍ଗଳା ପରିସରରେ ଏକ ବୈଠକ ଅନୁଷ୍ଠିତ ହୋଇ ଆଗାମୀ କାର୍ଯ୍ୟପନ୍ଥା ସ୍ଥିର କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ସୁଧାକର ରାଉତ, ସମାଜସେବୀ ବିଶ୍ଵ କେଶରୀ ମହାନ୍ତି, ଆଇନଜୀବୀ ଉପେନ୍ଦ୍ର ରାଉଳ, ବରିଷ୍ଠ ନାଗରିକ ମୂରଲୀଧର ପରିଡ଼ା, ବ୍ରହ୍ମାନନ୍ଦ ପରିଡ଼ା, ଡମ୍ବରୁଧର ସାହୁ, ପ୍ରମୋଦ ତ୍ରିପାଠୀ, ଆଶିଷ କୁମାର ବେହେରା, ପ୍ରଫୁଲ୍ଲ ସାହୁ, ବରିଷ୍ଠ ନାଗରିକ ତାରାପଦ ମହାନ୍ତି, ନିର୍ମଳ କୁମାର ରାଉତ, ଉଦୟ କେତନ ବିଶ୍ଵାଳ, ଦିଲ୍ଲୀପ କୁମାର ରାଉତ, ଦିବେନ୍ଦୁ ମହାପାତ୍ର, ବିଶ୍ୱନାଥ ସୂତାର ପ୍ରମୁଖ ସାମିଲ ହୋଇଛନ୍ତି।