କନ୍ଧମାଳ ମେଡିକାଲ କଲେଜ ପାଇଁ ଅର୍ଥ ମଂଜୁର, ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସାଂସଦ ଓ ବିଧାୟକ 

ଫୁଲବାଣୀ: କନ୍ଧମାଳରେ ହେବ ମେଡିକାଲ କଲେଜ। ଏଥି ନିମନ୍ତେ ରାଜ୍ୟ ସରକାର ବହୁ ପୂର୍ବରୁ ଘୋଷଣା କରିଛନ୍ତି। ଏନେଇ ଜାଗା ଚିହ୍ନଟ ସରିଛି। ହେଲେ କ୍ୟାବିନେଟରେ ପାସ ହୋଇ ନଥିଲା କି ଏଥି ନିମନ୍ତେ ଅର୍ଥ ମଂଜୁର ହୋଇ ନଥିଲା। ଆଜି କ୍ୟାବିନେଟରେ ଏନେଇ ପାସ ହେବ ସହ ଅର୍ଥ ମଂଜୁର ହୋଇଛି। ଏହାକୁ ନେଇ କନ୍ଧମାଳରେ ମେଡିକାଲ କଲେଜ ହେବ କି ନାହିଁ ଲାଗି ରହିଥିବା ଆଶଙ୍କା ଦୁର ହୋଇଛି।

ଏନେଇ ଆଜି ଫୁଳବାଣୀ ଗାନ୍ଧିସ୍ମୃତି ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ କ୍ୟାବିନେଟରେ ପାସ ସହ ଅର୍ଥ ମଂଜୁର ହୋଇଥିବା ନେଇ ସୂଚନା ଦେଇଥିଲେ। ମେଡିକାଲ କଲେକ ପ୍ରତିଷ୍ଠା ହେଲେ କନ୍ଧମାଳବାସୀଙ୍କ ସ୍ବାସ୍ଥ୍ୟସେବାରେ ଆଉ ସେମିତି କିଛି ସମସ୍ୟା ରହିବ ନାହିଁ ‌ବୋଲି ସେ କହିଥିଲେ। ଏଥି ନିମନ୍ତେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଥିଲେ।

ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା ପ୍ରଧାନ ଏବଂ ବିଜେଡି ଜିଲ୍ଲା ସଭାପତି ସରୋଜ କର୍ଣ୍ଣ ବି କନ୍ଧମାଳବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। କନ୍ଧମାଳରେ ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ଏଠାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରିବା ପାଇଁ କୁଇ ସମାଜ ସମନ୍ବୟ ସମିତି ପକ୍ଷରୁ ବହୁ ବର୍ଷ ହେଲା ଦାବି ହୋଇ ଆସୁଥିଲା। ଏଥି ସହ ମିଳିତ ନାଗରିକ କମିଟି,କନ୍ଧମାଳ ପିପୁଲସ ଫୋରମ,ବରିଷ୍ଠ ନାଗରିକ,ଓକିଲ ସଂଘ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବି ହୋଇ ଆସୁଥିଲା।

ସମ୍ବନ୍ଧିତ ଖବର