ଗୁଣପୁର: ରୋଗୀ ସେବା ପାଇଁ ନା ଅଛନ୍ତି ବିଶେଷଜ୍ଞ ନା ଅଛନ୍ତି ଡାକ୍ତର। ଭେଷଜ, ସର୍ଜରୀ, ଆନାସଥେସିଆ, ଚକ୍ଷୁ, ଅସ୍ଥିଶଲ୍ୟ, ଦନ୍ତ, ପାଥୋଲୋଜି ଭଳି ୧୦ ବିଭାଗ ମୁରବି ଶୂନ୍ୟ। କନସଲଣ୍ଟାଣ୍ଟଙ୍କ ଦ୍ବାରା ଚାଲିଛି ସ୍ତ୍ରୀ ଓ ପ୍ରସୂତି ବିଭାଗ। ପ୍ରାଥମିକ ସ୍ବାସ୍ଥ୍ୟସେବା ଯୋଗାଇବାକୁ ପାରା ମେଡ଼ିକାଲ ଷ୍ଟାଫ ମଧ୍ୟ ନାହାନ୍ତି। ଖାଲି ପଦବି ପୂରଣ ହେଉନଥିବାରୁ ମେଡ଼ିକାଲ ସୁପରିଟେଣ୍ଡଣ୍ଟ୍ ଡଃ. ରମେଶ ଚନ୍ଦ୍ର ସାହୁ ଅଲ୍ ଇନ୍ ୱାନ୍ ଦାୟିତ୍ବ ତୁଲାଉଛନ୍ତି। ଇନଡୋର, ଆଉଟଡୋର୍, ଜରୁରୀକାଳିନ ରୋଗୀ ସେବା ସହ ମେଡ଼ିକାଲ ପରିଚାଳନା ଦାୟିତ୍ବ ସମ୍ଭାଳୁଛନ୍ତି ଡଃ. ସାହୁ। ଗୁଣପୁର ଉପଖଣ୍ଡ ଚିକିତ୍ସାଳୟ ଉପରେ ଗୁଣପୁର, ଗୁଡାରି, ପଦ୍ମପୁର, ରାମନାଗୁଡା, ଚନ୍ଦ୍ରପୁର ବ୍ଲକର ଲକ୍ଷାଧିକ ଜନସାଧାରଣ ନିର୍ଭର କରି ଆସୁଛନ୍ତି। ସ୍ବାସ୍ଥ୍ୟ ସମସ୍ୟା ସହ ଦୁର୍ଘଟଣାର ସମ୍ମୁଖୀନ ଲୋକେ ଜରୁରି ଚିକିତ୍ସା ପାଇଁ ମେଡ଼ିକାଲକୁ ଆସୁଥିବା ବେଳେ ଡାକ୍ତର ଓ ବିଶେଷଜ୍ଞ ନଥିବାରୁ ପ୍ରାଥମିକ ଚିକିତ୍ସା ପରେ ଆନ୍ଧ୍ରପ୍ରଦେଶ, ବ୍ରହ୍ମପୁର, ଭୁବନେଶ୍ବର, କଟକ ଯାଇ ଖର୍ଚ୍ଚାନ୍ତର ଶିକାର ହେଉଛନ୍ତି। ଉପଖଣ୍ଡ ଚିକିତ୍ସାଳୟରେ ସ୍ଥାୟୀ ଡାକ୍ତର, ପାରା ମେଡ଼ିକାଲ ସଂଖ୍ୟା ୧୯ ଥିବା ବେଳେ ଏବେ ସୁପରିଟେଣ୍ଡଣ୍ଟଙ୍କୁ ମିଶାଇ ଅଛନ୍ତି ମାତ୍ର ୮ ଜଣ।

Advertisment

ଶିଶୁ ବିଭାଗରେ ହିଁ ଜଣେ ବରିଷ୍ଠ ଡାକ୍ତର ଥିବା ବେଳେ ଅନ୍ୟ ବିଭାଗ ଅତିଥି ଡାକ୍ତରଙ୍କ ଦ୍ବାରା ଚାଲିଛି। ପାଳି କରି ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଡାକ୍ତର ଆସି ଦିନଟିଏ ଡ୍ୟୁଟି କରି ଫେରି ଯାଉଛନ୍ତି। ଫଳରେ ରୋଗୀସେବାରେ ସୁଧାର ଆସି ପାରୁନି। ସ୍ଥିତିରେ ସୁଧାର ଆଣିବା ପାଇଁ ମେଡ଼ିକାଲ ସୁପରିଟେଣ୍ଡଣ୍ଟ ଶ୍ରୀ ସାହୁ ଉଦ୍ୟମ ଜାରି ରଖିଥିଲେ ମଧ୍ୟ ସରକାର ନୂତନ ଡାକ୍ତର ନିଯୁକ୍ତି ଦେଉନଥିବାରୁ ରୋଗୀ ସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଡଃ. ରତିକାନ୍ତ ସାହୁ ଜଣେ ହିଁ ସ୍ଥାୟୀ ଡାକ୍ତର ଭାବେ ନିୟୋଜିତ ଥିବା ବେଳେ ଡଃ. ସୁଜାତା ଦେବୀ, ସନ୍ଦୀପ କୁମାର ସ୍ୱାଇଁ, ପ୍ରଦୀପ କୁମାର ପଣ୍ଡା, ନାରାୟଣ ପଣ୍ଡାଙ୍କୁ ଡେପୁଟେସନରେ ଏଠାରେ ଅବସ୍ଥାପିତ କରାଯାଇଛି। ରକ୍ତ ଭଣ୍ଡାର ଅଧିକାରୀ ଭାବେ କାର୍ଯ୍ୟରତ ଡଃ. ଲକ୍ଷ୍ମଣ ପାତ୍ର ଉଚ୍ଚ ଶିକ୍ଷା ପାଇଁ ଚାଲି ଯିବା ପରେ ରକ୍ତ ଭଣ୍ଡାର ପରିଚାଳନା‌ରେ ମଧ୍ୟ ଅସୁବିଧା ସୃଷ୍ଟି ହୋଇଛି। ସେହିପରି ଡଃ. ପି. ଶ୍ରୀ ହର୍ଷା, ଋତୁପୂର୍ଣ୍ଣା ପଟ୍ଟନାୟକ ଉଚ୍ଚ ଶିକ୍ଷା ନିମନ୍ତେ ଛୁଟିରେ ଯାଇଛନ୍ତି। ଖାଲି ପଡିଥିବା ୨ଟି ସିନିୟର ମେଡ଼ିକାଲ ଅଫିସର ପଦବି ମଧ୍ୟ ସରକାର ପୂରଣ କରୁ ନଥିବାରୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଚାଲିଥିବା ବିଭିନ୍ନ ଯୋଜନାର ସଠିକ ତଦାରଖ ହୋଇ ପାରୁନି। ଏବେ ଉପଖଣ୍ଡ ଚିକିତ୍ସାଳୟକୁ ରାଜ୍ୟ ସରକାର ୫ଟିରେ ସାମିଲ କରିବା ପରେ ଖାଲି ପଡିଥିବା ବିଶେଷଜ୍ଞ, ଡାକ୍ତରୀ ପଦବି ପୂରଣ ସହ ରୋଗୀସେବାରେ ସୁଧାର ଆସିବା ନେଇ ଉପଖଣ୍ଡବାସୀ ଆଶା କରିଛନ୍ତି।