ଗରଦପୁର: ସରକାର ସ୍ବାସ୍ଥ୍ୟସେବାର ଭିତ୍ତିଭୂମି ସଜାଡ଼ିବାକୁ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ଥାକ ଥାକ ଯୋଜନା ବି ହେଉଛି। ହେଲେ, ଗରଦପୁର ବ୍ଲକ୍ ମଧୁଶାସନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନି‌ରେଖିଲେ ବ୍ୟତିକ୍ରମ ବାରି ହୋଇପଡ଼ୁଛି। ସରକାରଙ୍କ ସବୁ ଯୋଜନା ଯେ କେବଳ ପ୍ରହସନ ତାହା ଜଳଜଳ ହୋଇ ଦିଶିଯାଉଛି। ଯାବତ୍ୟ ସମସ୍ୟା ଭିତରେ ପୋତି ହୋଇପଡ଼ିଥିବା ଏହି ସ୍ବାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମି ଭୁଶୁଡ଼ିପଡ଼ିଛି। ସୂଚନା ଥାଉ କି, ୧୯୯୧-୯୨ ମସିହାରେ ପ୍ରତିଷ୍ଠିତ ଗରଦପୁର ବ୍ଲକ୍ ମଧୁଶାସନ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ନାନା ସମସ୍ୟା ଭିତରେ ଗତି କରୁଛି। ଗ୍ରାମାଞ୍ଚଳର ଲୋକଙ୍କୁ ହାତ ପା’ନ୍ତାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଓ ପୂର୍ବତନ ଜଳସମ୍ପଦ ମନ୍ତ୍ରୀ ବିଜୟ ମହାପାତ୍ରଙ୍କ ଉଦ୍ୟମରେ ଏହି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯାଇଥିଲା। ଇତିମଧ୍ୟରେ ୩୦ ବର୍ଷ ବିତି ଯାଇଥିଲେ ବି ସ୍ବାସ୍ଥ୍ୟକେନ୍ଦ୍ରର ଭିତ୍ତିଭୂମି ସୁଦୃଢ଼ ହୋଇପାରି ନାହିଁ।

Advertisment

ସ୍ବାସ୍ଥ୍ୟକେନ୍ଦ୍ର କୋଠାର ଛାତ ବିପଦସଙ୍କୁଳ ଅବସ୍ଥାରେ ରହିଛି। ନିଦାନ ପ୍ରକୋଷ୍ଠ, ଡ୍ରେସିଂରୁମ୍‌ର ଛାତରୁ ପ୍ଲାଷ୍ଟର ଛାଡ଼ି ରଡ୍‌ ଦେଖାଯାଉଛି। ୨ ମହଲା ନୂତନ ପ୍ରସୂତି କୋଠା କାମ ଚାଲିଛି ‌ଯେ ଚାଲିଛି। ୨ ବର୍ଷ ହେଲା ଶେଷ ହୋଇପାରୁନି। ବର୍ଯ୍ୟବସ୍ତୁ ପରିଚାଳନା କୋଠା ବି ପୂର୍ଣ୍ଣାଙ୍ଗ ହୋଇପାରି ନାହିଁ। ନିକଟରେ ଥିବା ସ୍ବାସ୍ଥ୍ୟ ଉପକେନ୍ଦ୍ରରେ ମହିଳା ଷ୍ଟାଫ ନର୍ସ ରହି ସେବା ଯୋଗାଉଥିଲେ। କିନ୍ତୁ ଦୁର୍ବୃତ୍ତମାନେ ସେହି କୋଠାରୁ ଝରକା, କବାଟ ତାଡ଼ି ନେଇ ଗଲେଣି। ତାହା ରହିବା ଉପଯୋଗୀ ହେଉନାହିଁ। ଡାକ୍ତରଙ୍କ କ୍ବାର୍ଟର୍ସ ଏବେ ଭୂତକୋଠିରେ ପରିଣତ ହୋଇଛି। ସେହିପରି ସ୍ବାସ୍ଥ୍ୟକେନ୍ଦ୍ରରେ ପାନୀୟ ଜଳ ଓ ବିଦ୍ୟୁତ୍‌ ବ୍ୟବସ୍ଥା ମଧ୍ୟ ନାହିଁ। ଜଣେ ଏମ୍‌ବିବିଏସ୍‌ ଡାକ୍ତର, ଜଣେ ଆୟୁଷ ଡାକ୍ତର, ଜଣେ ଫାର୍ମାସିଷ୍ଟ, ଜଣେ ଷ୍ଟାଫ ନର୍ସ, ଡ୍ରେସର, ସୁଇପର୍‌ ଓ ୨ଜଣ ସିକ୍ୟୁରିଟି ସେବା ଯୋଗାଉଛନ୍ତି। ତେଣୁ ପିଏଚ୍‌ସିର ଭିତ୍ତିଭୂମି ସୁଦୃଢ଼ କରିବା ସହ ଆବଶ୍ୟକ ପଦବି ପୂରଣ କରିବାକୁ ପୂର୍ବତନ ସରପଞ୍ଚ ଅରୁଣ ନାୟକ, ବନବିହାରୀ ପାତ୍ର, ସରପଞ୍ଚ ମଞ୍ଜୁଲତା ବେହେରା ପ୍ରମୁଖ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।