ଭାଟିପଡ଼ାରେ ପହଞ୍ଚିଲା ମେଡ଼ିକାଲ୍ ଟିମ୍: ନିୟୋଜିତ ହେଲେ ସ୍ବେଚ୍ଛାସେବୀ, ସପ୍ତାହେ ଚାଲିବ ସଚେତନତା

ରାୟଗଡ଼ା: ଜେକେପୁରର ଭାଟିପଡ଼ା ସାହିରୁ ଜଣେ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ପରେ ତତ୍ପର ହୋଇଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ବି. ଏଲ୍. ଏନ୍. ପୃଷ୍ଟିଙ୍କ ତତ୍ତ୍ବାବଧାନରେ ଆଜି ୫ ଜଣିଆ ମେଡ଼ିକାଳ୍ ଟିମ୍ ଭାଟିପଡ଼ାରେ ପହଞ୍ଚି ଲୋକଙ୍କୁ ସଚେତନ କରିଛନ୍ତି। ସାହିର ବିଭିନ୍ନ ସ୍ଥାନରେ ନାଳ, ନର୍ଦମାରେ ପାଣି ଜମି ରହିଥିବାରୁ ମଶା ବଂଶ ବୃଦ୍ଧି ହୋଇ ଡେଙ୍ଗୁ ବ୍ୟାପିଥିବା ସ୍ବାସ୍ଥ୍ୟ ବିଭାଗ ଅନୁମାନ କରିଛି। ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷଙ୍କ ଉପସ୍ଥିତ‌ିରେ ଆଜି ସାହିକୁ ସଂପୂର୍ଣ୍ଣ ଭାବେ ସଫା କରାଯାଇଛି। ଚର୍ତୁପାର୍ଶ୍ବରେ ବ୍ଲିଚିଂ ପାଉଡର ସିଞ୍ଚନ ସହ ଜମି ରହିଥିବା ଅଳିଆ, ଆବର୍ଜନାକୁ ସ୍ଥାନାନ୍ତର କରାଯାଇଛି।

ଆସନ୍ତାକାଲିଠୁ ଘରକୁ ଘର ସର୍ଭେ ଆରମ୍ଭ ହେବା ସହ ଏକ ସପ୍ତାହ ଧରି ସଚେତନତା କାର୍ଯ୍ୟକ୍ରମ ଚାଲିବ। ଏଥି ପାଇଁ ଜଣେ ସ୍ବେଚ୍ଛାସେବୀକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିଯୁକ୍ତି ଦିଆଯାଇଛି। ସାହିର ଅନ୍ୟ କେହି ଜ୍ବରରେ ପୀଡ଼ିତ ନଥିବା ମେଡ଼ିକାଲ୍ ଟିମର ସର୍ଭେରୁ ସ୍ପଷ୍ଟ ହୋଇଛି। ଡା. ଶ୍ରୀ ପୃଷ୍ଟିଙ୍କ ସହ ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ ପରାମର୍ଶଦାତା ସନ୍ତୋଷ ପଣ୍ଡା, ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଡା. ଶୁଭଦ୍ରା ବେହେରା, ମନୋଜ ପଣ୍ଡା, ମହିଳା ସ୍ବାସ୍ଥ୍ୟ କର୍ମୀ ଆରତୀ ଲେଙ୍କା ପ୍ରମୁଖ ଭାଟିପଡାରେ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ସୂଚନାଯୋଗ୍ୟ, ଭାଟିପଡ଼ାର ସୁଶାନ୍ତ ମିଶ୍ର ସପ୍ତାହକ ତଳେ ଜ୍ବରରେ ପୀଡ଼ିତ ହୋଇଥିଲେ। ଘରୋଇ କ୍ଲିନିକରେ ଚିକିତ୍ସିତ ହେବା ପରେ ଜ୍ବର ନ କମିବାରୁ ଚିକିତ୍ସା ପାଇଁ କଟକ ଯାଇଥିଲେ। ଏସସିବିରେ ରକ୍ତ ନମୁନା ପରୀକ୍ଷା ପରେ ଡେଙ୍ଗୁରେ ଆକ୍ରାନ୍ତ ଥିବା ଜଣା ପଡିଥିଲା। ଖବର ସ୍ବାସ୍ଥ୍ୟ ବିଭାଗ ନିକଟରେ ପହଞ୍ଚିବା ପରେ ଆଜିଠୁ ଭାଟିପଡ଼ାରେ ସଚେତନତା ସହିତ ସଫେଇ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଜ୍ବରରେ ପୀଡ଼ିତ ହେବା ସଙ୍ଗେ ସଙ୍ଗେ ଆକ୍ରାନ୍ତ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସି ପରୀକ୍ଷା କରିବା ପାଇଁ ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ପ୍ରଦୀପ୍ତ କୁମାର ସୁବୁଦ୍ଧି କହିଛନ୍ତି। ବହୁ ଆକ୍ରାନ୍ତ କ୍ବାକ ଏବଂ ଅନ୍ୟ ସ୍ଥାନକୁ ଯାଉଥିବାରୁ ସ୍ଥିତି ବିଗୁଡ଼ୁଥିବା ଶ୍ରୀ ସୁବୁଦ୍ଧି କହିଛନ୍ତି। ସେହିପରି ସାହି, ବସ୍ତିକୁ ଅଳିଆ, ଆବର୍ଜନାମୁକ୍ତ ରଖିବାକୁ ସେ କହିଛନ୍ତି।

ସମ୍ବନ୍ଧିତ ଖବର