ଜ୍ବରରେ ଥରୁଛି ବୈରାଗୀହାଲୁଆର ଆଦିବାସୀ ଗାଁ, ପହଞ୍ଚିଲା ମେଡ଼ିକାଲ୍ ଟିମ୍, ୮୦ ସ୍ବାବ ସଂଗ୍ରହ

ଚିହ୍ନଟ ହେଲେ ୬ କରୋନା ପଜିଟିଭ୍

ରାୟଗଡ଼ା : ରାୟଗଡ଼ା ବ୍ଲକ୍ ବୈରାଗୀହାଲୁଆ ପଞ୍ଚାୟତର ୧୧ ଖଣ୍ଡ ଗାଁରେ ଜ୍ବରର ପ୍ରକୋପ ଦେଖା ଦେଇଛି। କରୋନା ଭୟରେ ଗାଁ ଲୋକ ଚିକିତ୍ସା ପାଇଁ ମେଡ଼ିକାଲକୁ ନ ଆସି ମେଡ଼ିସିନ୍ ଖାଇ ଘରେ ପଡ଼ି ରହିଛନ୍ତି। ଦିନକୁ ଦିନ ଜ୍ବରର ପ୍ରକୋପ ବଢ଼ୁଥିବାରୁ ଆଜି ମୋବାଇଲ୍ ହେଲଥ୍ ୟୁନିଟ୍ ଟିମ୍ ବୈରାଗୀହାଲୁଆରେ ପହଞ୍ଚି ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ କରିଛି। ପ୍ରାଥମିକ ପର୍ଯ଼୍ୟାୟରେ ଜ୍ବରରେ ପୀଡ଼ିତ ଥିବା ୫ଟି ଗାଁର ୮୦ ଜଣଙ୍କ ନିକଟରୁ ସ୍ବାବ ସଂଗ୍ରହ କରାଯାଇଛି। ସେଥି ମଧ୍ୟରୁ ୬ ଜଣଙ୍କ ରିପୋର୍ଟ କରୋନା ପଜିଟିଭ୍ ଆସିଛି। ସମସ୍ତ ଆକ୍ରାନ୍ତଙ୍କ ଉପରେ ନଜର ରଖାଯାଇଛି ବୋଲି ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ପ୍ରଦୀପ୍ତ କୁମାର ସୁବୁଦ୍ଧି ସୂଚନା ଦେଇଛନ୍ତି।

ସପ୍ତାହେ ହେଲା ବୈରାଗୀହାଲୁଆ ସମେତ ଗୁରୁରାଜୁଗୁଡା, ଉଶୁରିକାପାଡୁ, ବେଣିଆଡାଙ୍ଗ, ଉମରବାଲି, ସାନ ଲୁକୁଟି, ବଡଲୁକୁଟି, ବ୍ରାହ୍ମଣହାଲୁଆ, ଟି. କଣ୍ଟୁଆ ପରି ୧୧ ଖଣ୍ଡ ଗ୍ରାମରେ ଜ୍ବର ବ୍ୟାପିଛି। ଏହି ସବୁ ଗ୍ରାମର ବ୍ୟକ୍ତି ଜ୍ବର, କାଶ, ଥଣ୍ଡାରେ ପୀଡ଼ିତ ଥିବା ନେଇ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ମିଳିବା ପରେ ଗାଁରେ ମେଡ଼ିକାଲ୍ ଟିମ୍ ପହଞ୍ଚି ଲୋକଙ୍କୁ ମେଡ଼ିସିନ୍ ପ୍ରଦାନ କରିଥିଲା। ମେଡ଼ିସିନ୍ ଖାଇବା ସତ୍ତ୍ବେ ଜ୍ବର ନ କମିବାରୁ ସ୍ବାସ୍ଥ୍ୟ ବିଭାଗ ଆକ୍ରାନ୍ତଙ୍କ ସ୍ବାବ ସଂଗ୍ରହ ପାଇଁ ଚେଷ୍ଟା କରିଥିଲା। କିନ୍ତୁ ଗ୍ରାମବାସୀଙ୍କ ଅସହଯୋଗ ଯୋଗୁ ୩ ଥର ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ସ୍ବାବ ଟେଷ୍ଟ କରିବାକୁ ଯାଇ ବିଫଳ ହୋଇ ଫେରିଥିଲା। ଆଜି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ଡା. ସୁବୁଦ୍ଧି, ମୋବାଇଲ୍ ହେଲଥ୍ ୟୁନିଟର ଡା. ସୁନୀଲ କୁମାର ମହାରଣା, ସ୍ବାସ୍ଥ୍ୟ ବିଭାଗର ୬ ଜଣିଆ ଟିମ୍ ସହିତ ଆଶା, ଅଙ୍ଗନବାଡି, ସ୍ୱାସ୍ଥ୍ୟକର୍ମୀ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିଥିଲେ। ବୁଝାଶୁଝା ପରେ ୫ଟି ଗାଁର ଲୋକ ସ୍ବାବ ଟେଷ୍ଟ ପାଇଁ ରାଜି ହୋଇ ବୈରାଗୀହାଲୁଆକୁ ଆସିଥିଲେ।

ବୈରାଗୀହାଲୁଆ ଗାଁରେ ସ୍ବାସ୍ଥ୍ୟ ବିଭାଗ ଅସ୍ଥାୟୀ କ୍ୟାମ୍ପ କରି ସ୍ବାବ ସଂଗ୍ରହ କରିଥିଲା। ପର୍ୟ୍ୟାୟକ୍ରମେ ପଞ୍ଚାୟତର ଅନ୍ୟ ଗ୍ରାମ ଗୁଡ଼ିକ ମୋବାଇଲ୍ ହେଲଥ୍ ଟିମ୍ ପହଞ୍ଚି ଆକ୍ରାନ୍ତ ଲୋକଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିବା ସହ ସ୍ବାବ ଟେଷ୍ଟ ଦିଗରେ ପଦକ୍ଷେପ ନେବ। ପୂର୍ବରୁ ବୈରାଗୀହାଲୁଆ ଗାଁର ୨ ବ୍ୟକ୍ତି କରୋନାରେ ଆକ୍ରାନ୍ତ ଥିବା ବେଳେ ଆଜି ଚିହ୍ନଟ ହୋଇଥିବା ୬ ଆକ୍ରାନ୍ତଙ୍କ ମଧ୍ୟରେ ବୈରାଗୀହାଲୁଆରୁ ୫ ଜଣ ଏବଂ ଟି. କଣ୍ଟୁଆ ଗାଁର ଜଣେ ବ୍ୟକ୍ତିଙ୍କ ସ୍ବାବ ରିପୋର୍ଟ ପଜିଟିଭ୍ ଆସିଛି।

ସମ୍ବନ୍ଧିତ ଖବର