ଔଷଧ, ସିଲିଣ୍ଡର ବାହାରେ ଗଡ଼ିବା ଘଟଣା: ଖବର ପ୍ରକାଶନ ପରେ ବଦଳିଗଲା ‘କ୍ୟାମ୍ପ’ର ଚିତ୍ର

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ଗ୍ରାମାଞ୍ଚଳରେ ସ୍ବାସ୍ଥ୍ୟ ସେବା ଯୋଗାଇ ଦେଉଥିବା ଏକ ସ୍ବେଚ୍ଛାସେବୀ ସଂସ୍ଥା ‘କ୍ୟାମ୍ପ’ କାର୍ଯ୍ୟାଳୟରେ ଜୀବନ ରକ୍ଷାକାରୀ ଔଷଧ ଓ ଅକ୍ସିଜେନ ସିଲିଣ୍ଡର ବାହାରେ ଅଳିଆ ଗଦାରେ ଗଡ଼ୁଥିବା ଖବର ଫଟୋ ସହ ଗତ ୧୩ ତାରିଖ ‘ସମ୍ବାଦ’ରେ ପ୍ରକାଶ ପାଇଥିଲା। ଯାହା ସାଧାରଣରେ ଉଦବେଗ ସୃଷ୍ଟି କରିଥିଲା। ଆଜି କିନ୍ତୁ ‘କ୍ୟାମ୍ପ’ କାର୍ଯ୍ୟାଳୟର ଚିତ୍ର ବଦଳିଯାଇଛି। ବାହାରେ ଗଡ଼ୁଥିବା ଅକ୍ସିଜେନ ସିଲିଣ୍ଡର ଓ ଫିଙ୍ଗାଫୋପଡ଼ା ଅବସ୍ଥାରେ ଥିବା ଔଷଧକୁ ସୁରକ୍ଷିତ ଭାବେ ସଜାଡ଼ି ରଖାଯାଇଥିବା ଦେଖିବାକୁ ମିଳିଛି।

ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଅନୁଦାନରେ ‘କ୍ୟାମ୍ପ’ ୨୦୧୭ରୁ ଜିଲ୍ଲାରେ ସେବା ଦେଇଆସୁଛି। ୨୫ଟି ଭ୍ରାମ୍ୟମାଣ ମେଡିକାଲ ଭ୍ୟାନ୍, ୯ଟା ଏଡଭାନ୍ସ ଲାଇଫ୍ ସପୋର୍ଟ ଆମ୍ବୁଲାନ୍ସ ସମେତ ୩୯ଟି ଆମ୍ବୁଲାନ୍ସ ଓ ୧୫ଟି ମହାପ୍ରୟାଣ ଗାଡ଼ି ନିୟୋଜିତ ରହିଥିବା ବେଳେ ସ୍ବତନ୍ତ୍ର ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀ ନିର୍ଦ୍ଧାରିତ ସମୟରେ ଗାଁକୁ ଲୋକଙ୍କୁ ପ୍ରାଥମିକ ଚିକିତ୍ସା ଓ ଔଷଧ ଦେଇ ଆସୁଥିବା ପ୍ରକାଶ। ଏହା ବ୍ୟତୀତ ଜରୁରୀ ରୋଗୀ ସେବା ପାଇଁ ୨୪ ଘଣ୍ଟିଆ ଆମ୍ବୁଲାନ୍ସ ସେବା ଗାଁର ଭିନ୍ନକ୍ଷମ, ବରିଷ୍ଠ ନାଗରିକମାନଙ୍କୁ ଦିଆଯାଉଛି।

ଅସୁସ୍ଥଙ୍କୁ ହସ୍ପିଟାଲ ଆଣିବା, ଘରେ ଛାଡ଼ିବା, ହସ୍ପିଟାଲ ସ୍ଥାନାନ୍ତର କରିବା କାର୍ଯ୍ୟରେ ଆମ୍ବୁଲାନ୍ସ ବ୍ୟବହାର ହେଉଥିବା ବେଳେ ଏବେ କରୋନା ସଂକ୍ରମିତଙ୍କ ସେବାରେ ଲାଗିଥିବା ସଂସ୍ଥା ସୂତ୍ରରୁ ପ୍ରକାଶ ପାଇଥିଲା। କିନ୍ତୁ କିଛି ଦିନ ତଳେ ସୁନ୍ଦରଗଡ଼ ବିଜୟା ଟକିଜ ରୋଡ୍ସ୍ଥିତ ସଂସ୍ଥା ଅଫିସ ବାହାରେ ଅଳିଆ ଆବର୍ଜନା ଭିତରେ ଅକ୍ସିଜେନ ସିଲିଣ୍ଡର ଗଡ଼ୁଥିବା ଓ ଅପରିଚ୍ଛନ୍ନ ମେଲା ବାରଣ୍ଡାରେ କାର୍ଟୁନ କାର୍ଟୁନ ଔଷଧ ବିଚ୍ଛୁରିତ ହୋଇ ପଡ଼ିଥିବା ଦେଖିବାକୁ ମିଳିଥିଲା। କୋଟି କୋଟି ଟଙ୍କାର ଅନୁଦାନ ଯୋଗାଉଥିବା ଜିଲ୍ଲା ଖଣିଜ ପ୍ରତିଷ୍ଠାନ ଓ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ସଂସ୍ଥାର କାର୍ଯ୍ୟ ପ୍ରତି ଆଖି ବୁଜି ଦେଇଥିବାରୁ ସଂସ୍ଥା ଏପରି ବେପରୱା ରହିଥିବା ଚର୍ଚ୍ଚା ହୋଇଥିଲା।

ସମ୍ବନ୍ଧିତ ଖବର