ବିନା ଅନୁମତିପତ୍ରରେ ଔଷଧ ବିକ୍ରି, ଦୋକାନ ସିଲ

ଖୋର୍ଦ୍ଧା: ଖୋର୍ଦ୍ଧା ସହରରେ ଆଜି ଡ୍ରଗ୍ସ ନିରୀକ୍ଷକଙ୍କ ପକ୍ଷରୁ ଚଢ଼ଉ କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଏକ ଔଷଧ ଦୋକାନକୁ ସିଲ କରାଯାଇଛି । ବିନା ଅନୁମତିପତ୍ରରେ ସେଡ୍ୟୁଲ୍‌ଡ-ଏଚ୍ ଔଷଧ ଓ ନିମ୍ନମାନର ଔଷଧ ବିକ୍ରି କରିବା ଯୋଗୁଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଡ୍ରଗ୍ସ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ଜଣାଯାଇଛି ।

ସୂଚନାନୁସାରେ, ଆଜି ପୂର୍ବାହ୍‌ଣରେ ଜିଲ୍ଲା ମୁଖ୍ୟଚିକିତ୍ସାଧିକାରୀଙ୍କ କାର୍ଯ୍ୟାଳୟ କଡ଼ରେ ଥିବା ମହାବୀର ମେଡିସିନ୍ ଷ୍ଟୋର ଉପରେ ଡ୍ରଗ୍ସ ନିରୀକ୍ଷକଙ୍କ ଏକ ଟିମ୍ ଚଢ଼ଉ କରିଥିଲା । ଏହି ଟିମ୍‌ରେ ଖୋର୍ଦ୍ଧା ଡ୍ରଗ୍ସ ନିରୀକ୍ଷକ ତୁଷାର ରଂଜନ ପାଣିଗ୍ରାହୀ, ଭୁବନେଶ୍ୱର-୧ ନିରୀକ୍ଷକ ପ୍ରବେଶ କୁମାର ଲେଙ୍କା, ଭୁବନେଶ୍ୱର-୩ ନିରୀକ୍ଷକ ଡା ସୁଦର୍ଶନ ବିଶ୍ୱାଳ ଯୋଗ ଦେଇଥିଲେ । ଚଢ଼ଉ ସମ୍ପର୍କରେ ସୂଚନା ଦେଇ ଖୋର୍ଦ୍ଧା ଡ୍ରଗ୍ସ ନିରୀକ୍ଷକ କହିଛନ୍ତି ଯେ ଯେଉଁ ଔଷଧଗୁଡ଼ିକ ଫାର୍ମାସିଷ୍ଟ କିମ୍ବା ଡାକ୍ତରଙ୍କ ତତ୍ୱାବଧାନରେ ବିକ୍ରି କରିବା କଥା ସେହି ଔଷଧଗୁଡ଼ିକ ବିନା ଲାଇସେନ୍‌ସରେ ବିକ୍ରି କରାଯାଉଥିବା ସୂଚନା ମିଳିଥିଲା ।

ଚଢ଼ଉରେ ଦୋକନର ପ୍ରକୃତ ମାଲିକ ବସନ୍ତ କୁମାର ଷଡ଼ଙ୍ଗୀ ନଥିଲେ, ତାଙ୍କ ଭାଇ ସନ୍ତୋଷ କୁମାର ଷଡ଼ଙ୍ଗୀ ଥିଲେ । ଦୋକାନରୁ ୩୭ଟି ପ୍ରକାରର ସେଡ୍ୟୁଲ୍‌ଡ-ଏଚ୍ ଔଷଧ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷ ଟଙ୍କା ହେବ । ଏହା ସହ ନିମ୍ନମାନର ଔଷଧ ବିକ୍ରି ଯାଂଚ ପାଇଁ ଦୁଇଟି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ଏନେଇ ଏସ୍‌ଡିଜେଏମ୍ କୋର୍ଟରେ ଉଭୟଙ୍କ ବିରୋଧରେ ଏକ ଫୌଜଦାରୀ ମାମଲା ରୁଜୁ କରାଯାଇଛି । କୋର୍ଟଙ୍କ ନିର୍ଦ୍ଦେଶାନୁସାରେ ପରବର୍ତୀ ପଦକ୍ଷେପ ନିଆଯିବ ।

ସୂଚନାଯୋଗ୍ୟ ଉକ୍ତ ଔଷଧ ଦୋକାନ ସେହି ସ୍ଥାନରେ ଗତ ପ୍ରାୟ ଦୁଇ ଦଶନ୍ଧୀ ଧରି ସେଠାରେ ରହିଛି । ଦୋକାନ ମାଲିକ କହିଛନ୍ତି ଯେ ସେ ଦୋକାନର ରିନୁଏଲ୍ ୨୦୧୮ରେ କରିଛନ୍ତି । କିନ୍ତୁ ଦୋକାନରେ ଫାର୍ମାସିଷ୍ଟ ରହିବା କଥା ତାହା ତାଙ୍କ ଦୋକାନ କ\’ଣ ଖୋର୍ଦ୍ଧାର କୌଣସି ଦୋକାନରେ ନାହାନ୍ତି ।

ସମ୍ବନ୍ଧିତ ଖବର