ରୋଗୀଙ୍କୁ ମିଳୁନି, ଫିଙ୍ଗା ହେଉଛି ଔଷଧ: ସିଡିଏମଓ କହିଲେ ଘଟଣାର ତଦନ୍ତ କରାଯିବ

ଭୂତଳ ପୋଲ ନିକଟରେ ସରକାରୀ ଔଷଧ

ବଲାଙ୍ଗୀର: ସରକାରୀ ଡାକ୍ତରଖାନାରେ ଔଷଧ ମାଗଣା। ଡାକ୍ତର ସରକାରୀ ଚିଠାରେ କେବଳ ସରକାରୀ ଔଷଧ ଲେଖିବା ନିୟମ ରହିଛି। ସେହିପରି ଗ୍ରାମାଞ୍ଚଳରେ ଗର୍ଭବତୀଙ୍କ ପାଇଁ ମଧ୍ୟ ଅନେକ ଔଷଧ ରହିଛି। ହେଲେ ବିଭିନ୍ନ ସମୟରେ ଲୋକେ ସରକାରୀ ଔଷଧ ମିଳୁ ନଥିବା ଅଭିଯୋଗ ହୋଇ ଆସୁଛି। ଏଭଳି ସ୍ଥିତିରେ ସରକାରୀ ଔଷଧ ଫିଙ୍ଗା ହେଉଥିବା ଚିତ୍ର ସାମ୍ନାକୁ ଆସିଛି। ଦାମିକା ଆଣ୍ଟିବାଇଓଟିକ୍ ଇଞ୍ଜେକସନ ସହ ଗର୍ଭବତୀଙ୍କ ପାଇଁ ଆସୁଥିବା ଆଇରନ ଓ ଫଲିକ ଏସିଡ ଟାବଲେଟ, ପେଟରୋଗୀଙ୍କ ପାଇଁ ସୁକ୍ରାଲଫେଟ ସସପେନସନ, ଛୋଟ ଶିଶୁଙ୍କ ପାଇଁ ପେଟ ଦରଜ ପାଇଁ ଆସୁଥିବା ଡାଇସାଇକ୍ଲୋମାଇନ ସସପେନ୍ସନ ବଲାଙ୍ଗୀର ଉପକଣ୍ଠର ଏକ ନିଛାଟିଆ ସ୍ଥାନରେ ଫିଙ୍ଗା ହୋଇଥିବା ଦେଖିବାକୁ ମିଳିଛି। ଔଷଧ ପକାଇ ନିଆଁ ଲଗାଇ ନଷ୍ଟ କରିବାକୁ ଚେଷ୍ଟା କରାଯାଇଛି।

ସୂଚନା ଅନୁସାରେ ବଲାଙ୍ଗୀର-ସୋନପୁର ୫୭ ନଂ ଜାତୀୟ ରାଜପଥର ପୁଇନ୍ତଳା-ଲଖପାଲି ରାସ୍ତାରେ ଅନେକ ସରକାରୀ ଔଷଧ ପଡ଼ି ରହିଥିବା ଦେଖାଯାଇଛି। ପୁଇନ୍ତଲାଠାରୁ ପ୍ରାୟ ଏକ କିମି ଦୂର ରାସ୍ତା କଡ଼ରେ ବିପୁଳ ପରିମାଣରେ ସରକାରୀ ଔଷଧ ପଡ଼ି ରହିଛି। ବିପୁଳ ପରିମାଣରେ ସେଫଟ୍ରିଆକଜୋନ ୧ ଗ୍ରାମର ଶହ ଶହ ଇଜେଂକସନ ପଡ଼ି ରହିଛି। ଅମୃତସରର ଜେକସନ ଲେବୋରେଟୋରୀ ଦ୍ବାରା ନିର୍ମିତ ଏହି ଇଞ୍ଜେକସନର ବ୍ୟାଚ ନମ୍ବର ଆଇ-୧୦୧୩୨ ଥିବାବେଳେ ଅକ୍ଟୋବର ୨୦୧୫ରେ ତିଆରି ଓ ସେପ୍ଟେମ୍ବର ୨୦୧୭ରେ ଏକ୍ସପାଇରୀ ତାରିଖ ରହିଛି। ସେହିପରି ହରିଦ୍ବାରର ସାଇକୋଟ୍ରୋପିକ୍ସ କମ୍ପାନିର ସୁକ୍ରାଲଫେଟ ସସପେନ୍ସନ(୧୦୦ ମିଲି)ର ବ୍ୟାଚ ନଂ ଆରଆର-୨୭୪, ତିଆରି ନଭେମ୍ବର ୨୦୧୫ ଓ ଏକସପାଇରୀ ଅକ୍ଟୋବର ୨୦୧୭ ରହିଛି। ହଜାର ହଜାର ସଂଖ୍ୟାରେ ଆଇରନ ଓ ଫଲିକ ଏସିଡ ଟାବଲେଟ, ଶିଶୁଙ୍କ ପାଇଁ ଡାଇସାଇକ୍ଳୋମାଇନ ସସପେନସନ ପଡ଼ି ରହିଛି।

ସମସ୍ତ ଔଷଧର ଅବଧି ପୂର୍ବରୁ ଦୁଇ ତିନି ବର୍ଷ ପୂର୍ବରୁ ଶେଷ ହୋଇ ଯାଇଛି। ଏଠାରେ ପଡ଼ି ରହିଥିବା ଔଷଧରେ ହଜାର ହଜାର ସଂଖ୍ୟାରେ ରୋଗୀ ଉପକୃତ ହୋଇ ପାରିଥାନ୍ତେ। ଏଗୁଡ଼ିକୁ ରୋଙ୍କୂ ନ ଦେଇ ଅବଧି ଶେଷ ହେବା ପରେ ନଷ୍ଟ କରିବା ଚେଷ୍ଟା କରାଯାଇଛି। ପଡ଼ି ରହିଥିବା ଔଷଧର ପରିମାଣକୁ ଦେଖିଲେ କୌଣସି ଏକ ଚାରି ଚକିଆ ଯାନରେ ଆଣି ଫିଙ୍ଗା ଯାଇଥିବା ଅନୁମାନ କରାଯାଉଛି। ଔଷଧ ଫିଙ୍ଗିବା ପରେ ନିଆଁ ଲଗାଇ ନଷ୍ଟ କରିବା ଚେଷ୍ଟା କରାଯାଇଥିବା ସ୍ପଷ୍ଟ ବାରି ହେଉଛି। ଏ ବିଷୟରେ ସିଡିଏମଓ ଡା. ନାରାୟଣ ଥନାପତିଙ୍କ ଦୃଷ୍ଟି ଆକର୍ଷଣ କରାଯିବାରେ ଘଟଣା ବିଷୟରେ ତଦନ୍ତ କରିବି ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର