ନରସିଂହପୁର ପୀଡିତାଙ୍କୁ ଭେଟିଲେ ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ ସଦସ୍ୟା

ଥାନାରେ ମହିଳା ଓ ଶିଶୁ ଡେସ୍କକୁ ଅଧିକ କ୍ରିୟାଶୀଳ କରିବାକୁ ନିର୍ଦ୍ଦେଶ; ପ୍ରତି ଥାନାରେ ଶିଶୁମିତ୍ର ଭାବାପନ୍ନ ପରିବେଶ ସୃଷ୍ଟି କରିବା ଉପରେ ଗୁରୁତ୍ବାରୋପ

କଟକ: ନରସିଂହପୁର ପୀଡିତାଙ୍କୁ ମଙ୍ଗଳବାର ବସୁନ୍ଧରାରେ ଭେଟିଛନ୍ତି ରାଜ୍ୟ ଶିଶୁ ସୁରକ୍ଷା ଆୟୋଗର ସଦସ୍ୟା ମନ୍ଦାକିନୀ କର। ସେଦିନର ଘଟଣା ଓ କେମିତି ଉକ୍ତ ନାବାଳିକା ପୀଡିତାଙ୍କୁ ଥଇଥାନ କରାଯିବ ସେ ସଂପର୍କରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ପୁଲିସ ଅଧିକାରୀ, ଆଠଗଡ଼ ଏସ୍‌ଡିପିଓ ମାନଙ୍କ ସହିତ ଆଲୋଚନା କରିଥିଲେ। ଉକ୍ତ ନାବାଳିକା ବସୁନ୍ଧରାରେ ରହିବ ଓ ସେଠାରେ ତାର ପାଠ ପଢିବାର ବ୍ୟବସ୍ଥା କରାଯିବ। ଅନ୍ୟପଟେ ବର୍ତ୍ତମାନ ଉକ୍ତ ପୀଡିତା ନିଜେ ସ୍ବାବଲମ୍ବୀ ହେବା ପାଇଁ ସିଲେଇ ଶିଖୁଥିବା ଜଣାପଡିଛି। ତେବେ ତାଙ୍କୁ କିପରି ତୁରନ୍ତ ସହାୟତା ରାଶି ମିଳିପାରିବ ସେ ସଂପର୍କରେ ପଦକ୍ଷେପ ନେବା ପାଇଁ ଆଠଗଡ଼ ଏସ୍‌ଡିପିଓ ଆଲୋକ ରଂଜନ ରାୟଙ୍କ ସହିତ ଆଲୋଚନା କରିଥିଲେ। ଅନ୍ୟପଟେ ଆୟୋଗର ସଦସ୍ୟା ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ସାକ୍ଷାତ କରି ଜିଲ୍ଲାର ବିଭିନ୍ନ ସମସ୍ୟା ଓ ଘଟଣା ସଂପର୍କରେ ଆଲୋଚନା କରିଥିଲେ।

ଏଥିସହ ଆୟୋଗର ସଦସ୍ୟା ବିଡାନାସୀ ଓ କ୍ୟାଣ୍ଟନମେଣ୍ଟ ଥାନା ପରିଦର୍ଶନ କରିବା ସହ ଥାନାରେ ମହିଳା ଓ ଶିଶୁ ଡେସ୍କ କିପରି ଚାଲିଛି ସେ ସଂପର୍କରେ ଅନୁଧ୍ୟାନ କରିଥିଲେ। ଯେହେତୁ ଦିନକୁ ଦିନ ଏସବୁ ମାମଲା ବଢିଚାଲିଛି ତେଣୁ ଉକ୍ତ ଡେସ୍କକୁ ଅଧିକ କ୍ରିୟାଶୀଳ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ। ତା’ ସହିତ ଥାନାକୁ ଶିଶୁ, ମହିଳା ସଂକ୍ରାନ୍ତୀୟ ଆସୁଥିବା ଅଭିଯୋଗ ପାଇଁ ଥାନା ପରିସରରେ ଶିଶୁ ମିତ୍ର ଭାବାପନ୍ନ ପରିବେଶ ସୃଷ୍ଟି (ଚାଇଲ୍ଡ ଫ୍ରେଣ୍ଡଲି କର୍ଣ୍ଣର) କରିବା ଉପରେ ମଧ୍ୟ ଗୁରୁତ୍ବାରୋପ କରିଥିଲେ। ଅନ୍ୟପଟେ ପ୍ରତି ମାସରେ ପୁଲିସ ବିଭାଗରେ ଯେଉଁ ମାସିକ ସମୀକ୍ଷା ବୈଠକ ହେଉଛି ସେଠାରେ ଅଧଘଣ୍ଟାଏ କେବଳ ସବୁ ଥାନାର ମହିଳା, ଶିଶୁ ନିର୍ଯ୍ୟାତନା ମାମଲା ତଥା ସେ ସଂପର୍କୀତ ମାମଲା ଉପରେ ସମୀକ୍ଷା କରାଯିବା ଓ ସେଥିରେ ଡିସିପିଓ ଓ ସିଡବ୍ଲୁସିର ସଦସ୍ୟମାନେ ଉପସ୍ଥିତ ରହିବା ପାଇଁ ପରାମର୍ଶ ଦେଇଥିଲେ।

ପ୍ରତି ଥାନା ଅଂଚଳରେ ଥିବା ସମ୍ବେଦନଶୀଳ ଅଂଚଳଗୁଡିକରେ ସଚେତନତା କାର୍ଯ୍ୟକ୍ରମ କରାଯିବା ଉପରେ ମଧ୍ୟ ଆୟୋଗର ସଦସ୍ୟା ଡିସିପିଙ୍କ ପ୍ରତିନିଧିଙ୍କୁ ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ। ଏହି ଗସ୍ତ ସମୟରେ ଡିସିପିଓ ପ୍ରଗତି ମହାନ୍ତିଙ୍କ ସମେତ ‌ସିଡବ୍ଲୁସିର ଅଧ୍ୟକ୍ଷା ମନ୍ଦାକିନୀ ଜେମା, ସଦସ୍ୟ ଚିତ୍ତ ରଂଜନ ମହାନ୍ତି, ଅମୀୟ ଭୂଷଣ ବିଶ୍ବାଳ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର