ଜୟପୁର: ଜୟପୁର ପୌରପରିଷଦ ବୈଠକ ପୌର ଅଧ୍ୟକ୍ଷ ନରେନ୍ଦ୍ର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପୌରକାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଉପାଧ୍ୟକ୍ଷା ବି.ସୁନିତା, ବିଧାୟକ ପ୍ରତିନିଧି ନିହାର ରଂଜନ ବିଷୋଇ, ସାଂସଦ ପ୍ରତିନିଧି ହାସନ ମାଦାନି, ମୁଖ୍ୟକିରାଣୀ ଗୋପାଳ ସାହୁ, କାଉନସିଲର ବି.ବିଷ୍ଣୁ ବର୍ଦ୍ଧନ ରେଡ୍ଡୀ, ପାର୍ଥ ସାରଥୀ ମଲ୍ଲୀକ,.ସୀମାଞ୍ଚଳ ବି‌ଷୋଇ, ଜସପାଲ ସିଂହ, ଦେବେନ୍ଦ୍ର ଚୌଧୁରୀ, ଅନିତା ରାୟ, ଏ.ଭଦ୍ରବେଣୀ ପ୍ରମୁଖ ଭାଗ ନେଇଥିଲେ। ସହରର ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ସ୍ଥାନୀୟ ଗୁପ୍ତେଶ୍ବର କ‌ମ୍ପ୍ଲେକ୍ସ ସମ୍ମୁଖରେ ଥିବା ଭେଣ୍ଡିଂ ଜୋନକୁ ପଛ ପଟକୁ ୧୫ଫୁଟ ଘୁଞ୍ଚାଇବାକୁ ପାରିଷଦ ବୈଠକରେ ନିଷ୍ପତି ହୋଇଥିଲା। ପଛରେ ପୁରୁଣା ଉପଖଣ୍ଡ ଡାକ୍ତରଖାନା ତଥା କୋଭିଡ୍ ହସ୍ପିଟାଲ ଭିତରକୁ ଏହି ଭେଣ୍ଡିଂ ଜୋନରେ ଜାଗା ମିଳିପାରିବ। ଏହା ଫଳରେ ଉପୁଯୁ ଥିବା ଟ୍ରାଫିକ ସମସ୍ୟା କିଛି ମାତ୍ରାରେ ଦୁର ହୋଇ ପାରିବ ବୋଲି ନି‌ଷ୍ପତ୍ତି ହୋଇଥିଲା। ସିଡିଏମଓ ମଧ୍ୟ ଏହି ସ୍ଥାନ ପୌରପାଳିକାକୁ ଦେବାକୁ ସହମତି ପ୍ରକାଶ କରିଥିବା ବୈଠକରେ ନିର୍ବାହୀ ଅଧିକାରୀ ସୂଚନା ଦେଇଥିଲେ। ତେବେ ବେଶି ଟ୍ରାଫିକ ସମସ୍ୟା ଉପୁଜୁଥିବା ଏମଜିରୋଡରୁ ସାଇକେଲ ଷ୍ଟାଣ୍ଡ ଉଛେଦକୁ ପାରିଷଦ ମାନେ ମନା କରିଥିଲେ। ଏହାକୁ ଉଠାଇଲେ ଲୋକେ ଅମାନିଆ ହୋଇ ରାସ୍ତାର ଉଭୟ ପାର୍ଶ୍ବରେ ମନଇଛା ବାଇକ୍ ପାର୍କିଂ କରି କୃତ୍ରିମ ଟ୍ରାଫିକ ସମସ୍ୟା ସୃଷ୍ଟି କରିବେ ବୋଲି କହିଥିଲେ। ଏହି ନିଷ୍ପତି ହୋଇ ପାରିନଥିଲା। ବିଜୁ ଭେଣ୍ଡିଂ ଜୋନ ନିକଟରେ ଥିବା ୨ଟି ପରିତ୍ୟକ୍ତ ପୋଖରୀ ବିଜୁ ବୋଟିଂ କ୍ଲବ ଓ ଅନ୍ୟ ପୋଖରୀକୁ ମତ୍ସ୍ୟ ସଂପ୍ରସାରଣ ବିଭାଗ ପୌରପାଳିକାକୁ ହସ୍ତାନ୍ତର କରିବାକୁ ଚିଠି କରାଯିବ। ଆମ ପୋଖରୀ ଯୋଜନାରେ ଏହି ଦୁଇ ପୋଖରୀର ରୁପାନ୍ତରୀକରଣ କରାଯିବ ବୋଲି ପୌର କାର୍ୟ୍ୟନିର୍ବାହୀ ଅଧିକାରୀ ସୂଚନା ଦେଇଥିଲେ।

Advertisment

ରୁପାନ୍ତରିତ ହୋଇଥିବା ଖଜୁରୀବନ୍ଧ ଓ ଉକ୍ତ ଅଞ୍ଚଳକୁ ସୌନ୍ଦର୍ଯ୍ୟକରଣ କରାଯାଇଛି। ଉକ୍ତ ଅଂଚଳକୁ ବିଜୁ ଶାନ୍ତି ଉଦ୍ୟାନ ନାଁରେ ନାମକରଣ କରାଯିବ। ବିଜୁ ଭବନକୁ ବିଜୁ ସେବା ସମିତିକୁ ହସ୍ତାନ୍ତର କରାଯିବ। ସେଭଳି ଦାସସାହିର ନାଁ ପରିବର୍ତ୍ତନ କରାଯାଇ ସ୍ବାଧୀନତା ସଂଗ୍ରାମୀ ଦିବଙ୍ଗତ ଗଦାଧର ମହାପାତ୍ରଙ୍କ ନାଁରେ ନାମିତ କରାଯିବ। ଏବଂ ତାଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ଉପଯୁକ୍ତ ସ୍ଥାନ ନିରୁପଣ କରିବା ପାଇଁ ରାଜସ୍ବ ନିରୀକ୍ଷକଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ଖାଲସାହି ପାର୍କ ପରିସରରେ ପୂର୍ବତନ ମନ୍ତ୍ରୀ ଦିବଙ୍ଗତ ହରିଶ୍ଚନ୍ଦ୍ର ବକ୍ସିପାତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରିବାକୁ ନିଷ୍ପତି ହୋଇଥିଲା। ମାଦଳାସାହି ବ୍ୟାୟମଶାଳାକୁ ପୌରପାଳିକା ନିଜ ଅଧିନକୁ ନେଇ ତାହାର ପୁନଃରୁଦ୍ଧାର କରିବାକୁ ନିଷ୍ପତି ହୋଇଥିଲା। ସେଭଳି ପଞ୍ଚାନନ ମନ୍ଦିର ଛକରେ ଥିବା ଜବରଦଖଲ ଉଛେଦ କରାଯିବ। ଏହା ସହ ଏଠାରେ ଥିବା ଅସମତଳ କଲଭର୍ଟକୁ ସମତଳ କରିବା ସହ ଏହାର ପୁନଃରୁଦ୍ଧାର କରାଯିବ। ଏଠାରେ ‌ରୋଟାରୀ ସ୍ଥାପନ କରି ସୌନ୍ଦର୍ଯ୍ୟକରଣ କରାଯିବାକୁ ନିଷ୍ପତି ହୋଇଥିଲା। ଜଗତଜନନୀ ପାଠାଗାରର ପୁନଃରୁଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଥିବାରୁ ତୁରନ୍ତ ସାରିବାକୁ ମତ ପ୍ରକାଶ ପାଇଥିଲା। ଲକ୍ଷ୍ମୀନଗର ପାର୍କକୁ ଜବରଦଖଲ କରି କରାଯାଇଥିବା ଏକ ବେସରକାରୀ ସ୍କୁଲକୁ ଉଛେଦ କରିବାକୁ ନିଷ୍ପତି ହୋଇଥିଲା। ଜିଲ୍ଲା ଚିକିତ୍ସାଳୟରୁ ବାରିଣୀପୁଟ, ଜୟପୁର ବିମାନବନ୍ଦରର ସଫେଇ କରିବାକୁ ଅଧିକା ୧୦ଜଣ କର୍ମଚାରୀ ନିୟୋଜିତ କରିବାକୁ ନିଷ୍ପତ୍ତି ହୋଇଥିଲା।