ଖୋର୍ଦ୍ଧା: ୬ମାସକୁ ଥରେ ସମୀକ୍ଷା ହେଉଛି, ଏହି ଅବଧି ମଧ୍ୟରେ ପୂର୍ବ ବୈଠକର ନିଷ୍ପତ୍ତି ଅନୁସାରେ ସଦ୍ୟତମ ରିପୋର୍ଟ ଦାଖଲ ହେଉନାହିଁ କି ବୈଠକରେ ବିଭାଗୀୟ ଉଚ୍ଚପଦାଧିକାରୀ ଉପସ୍ଥିତ ହେଉନାହାନ୍ତି। ଯଦି ଆମ କ୍ଷେତ୍ରରେ ଏଭଳି ସାଧାରଣ ଲୋକଙ୍କ କ୍ଷେତ୍ରରେ ଅଧିକାରୀମାନେ କିଭଳି ଦାୟିତ୍ୱବାନ ତାହା ସ୍ପଷ୍ଟ ହେଉଛି। ଏଭଳି ଦାୟିତ୍ୱହୀନତାକୁ ବରଦାସ୍ତ କରାଯିବନି ବୋଲି ଆଜି ଜିଲ୍ଲାପାଳ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲ୍ଲା ଉନ୍ନୟନ ସମନ୍ୱୟ ଓ ତଦାରଖ କମିଟି ବୈଠକରେ ଅଧ୍ୟକ୍ଷତା କରିଥିବା ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ତାଗିଦ୍ କରିଛନ୍ତି। ଆଜି ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ବେଳେ ବୈଠକ ଆରମ୍ଭ ହୋଇଥିଲା। ଏଥିରେ ସାଂସଦ ଶ୍ରୀମତି ଷଡ଼ଙ୍ଗୀ ଅଧ୍ୟକ୍ଷତା କରିଥିଲେ। କମିଟିର ସମ୍ପାଦକ ତଥା ଖୋର୍ଦ୍ଧା ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ ଅତିଥିଙ୍କ ସ୍ୱାଗତ କରିବା ସହ ବୈଠକର ବିବରଣୀ ସମ୍ପର୍କରେ ସୂଚନା ଦେଇଥିଲେ।

Advertisment

ଅନ୍ୟମାନଙ୍କ ମଧ୍ୟରେ ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉପସ୍ଥିତ ଥିଲେ। ତେବେ କମିଟିର ସହ ଅଧ୍ୟକ୍ଷ ତଥା ପୁରୀ ସାଂସଦ ପିନାକୀ ମିଶ୍ର ଅନୁପସ୍ଥିତ ଥିବା ବେଳେ ଦଳର ୨୬ତମ ପ୍ରତିଷ୍ଠା ଉତ୍ସବ ଯୋଗୁଁ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଯୋଗ ଦେଇ ପାରିନଥିଲେ। ବୈଠକ ଅପରାହ୍ନ ୨ଟା ଯାଏଁ ଚାଲିଥିଲା। ଏଜେଣ୍ଡାରେ ଥିବା ୩୯ଟି ବିଭାଗ ମଧ୍ୟରୁ ୧୦ ବିଭାଗର ସମୀକ୍ଷା କରାଯାଇଥିଲା। ବୈଠକରେ ଜଳସେଚନ ବିଭାଗ, ଆର୍ ଆଣ୍ଡ ବି ଓ ପୂର୍ତ ବିଭାଗର କୌଣସି ନିର୍ବାହୀ ଯନ୍ତ୍ରୀ ଯୋଗ ଦେଇନଥିବା ଓ ବିଭିନ୍ନ ପ୍ରକଳ୍ପର ସଦ୍ୟତମ ତଥ୍ୟ ଦାଖଲ କରିନଥିବାରୁ ସେମାନଙ୍କୁ ନେଇ ପରବର୍ତୀ ସମୟରେ ବୈଠକ କରିବାକୁ ନିଷ୍ପତ୍ତି ହୋଇଥିଲା। ଜିଲ୍ଲାରେ ଥିବା ମେଗା ଜଳସେଚନ ପ୍ରକଳ୍ପ ସମ୍ପର୍କରେ ଜିଲ୍ଲାପାଳ ୭ ଦିନ ମଧ୍ୟରେ ବିଭାଗୀୟ ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିବେ, ପିଏମ୍ଜିଏସ୍ୱାଇରେ ଚାଲିଥିବା ୪୧ଟି ପ୍ରକଳ୍ପର ଟେଣ୍ଡର ଆଦି କାମ ଆସନ୍ତା ୭ ଦିନ ମଧ୍ୟରେ ତ୍ୱରାନ୍ୱିତ କରିବାକୁ ନିଷ୍ପତ୍ତି ହୋଇଥିଲା। ତେବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ନେଇ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା। ବିଧାୟକ ତଥା ଉପସ୍ଥିତ ପଂଚାୟତ ସମିତି ଅଧ୍ୟକ୍ଷ ମାନେ ବିଶେଷତଃ ଟାଙ୍ଗୀ ବ୍ଲକ ଅଧ୍ୟକ୍ଷାମାନେ ଆବାସ ଯୋଜନା ନିମନ୍ତେ ହିତାଧିକାରୀଙ୍କ ଚୟନ ପ୍ରକ୍ରିୟାକୁ ନେଇ ଆପତ୍ତି ଉଠାଇଥିଲେ।

ହିତାଧିକାରୀଙ୍କ ତାଲିକା ସମ୍ପର୍କରେ ଜନପ୍ରତିନିଧିଙ୍କୁ କୌଣସି ସୂଚନା ଦିଆଯାଉନଥିବାରୁ ଏନେଇ ବ୍ୟବସ୍ଥା କରିବାକୁ କହିଥିଲେ। ବିଭିନ୍ନ ବ୍ଲକରେ ଶତାଧିକ ଯୋଗ୍ୟ ଆବେଦନକାରୀ ଅପେକ୍ଷାରେ ରହିଥିଲେ ମଧ୍ୟ ଜିଲ୍ଲାକୁ ଲକ୍ଷ୍ୟ କମ୍ ଦିଆଯାଉଥିବାରୁ ଏହାକୁ ବଢ଼ାଇବାକୁ ଚିଲିକା ବିଧାୟକ ଶ୍ରୀ ଜଗଦେବ କହିଥିଲେ। ସାଂସଦ ଶ୍ରୀମତି ଷଡ଼ଙ୍ଗୀ ନୂଆଦିଲ୍ଲୀ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ସହ କଥା ହୋଇ ଏହାର ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ନିଷ୍ପତ୍ତି ଅନୁସାରେ, ଜିଲ୍ଲା ପରିଷଦ (ଗ୍ରାମ୍ୟ ଉନ୍ନୟନ ବିଭାଗ) ଆବେଦନକାରୀଙ୍କ ତାଲିକାକୁ ସମସ୍ତଙ୍କ ଗୋଚାରର୍ଥେ ୱେବ୍ସାଇଟରେ ରଖିବେ। ଧାର୍ଯ୍ୟ ଲକ୍ଷ୍ୟ ଅନୁସାରେ ପ୍ରଥମେ ଚୟନ କରାଯାଇଥିବା ଯୋଗ୍ୟ ହିତାଧିକାରୀଙ୍କୁ ଅନୁଦାନ ଦେବା ପରେ ୱେଟିଂ ଲିଷ୍ଟରେ ଥିବା ହିତାଧିକାରୀଙ୍କୁ ପରବର୍ତୀ ସମୟରେ ଅନୁଦାନ ଦିଆଯିବ।

ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀ ରାଉତ, ପଳାଷୁଣିରେ ପ୍ରସ୍ତାବିତ ଫୁଟ ଓଭର ବ୍ରିଜ୍ ସହ ଏସ୍କାଲେଟର, କଳାରହଙ୍ଗରେ ରେଳପଥ ଫୁଟ ଓଭରବ୍ରିଜ, ଭୁବନେଶ୍ୱର ଇସ୍କନ୍ ମନ୍ଦିର ସମ୍ମୁଖ ରାସ୍ତାରେ ପାଣି ଜମୁଥିବା ସମସ୍ୟାର ସମାଧାନ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲେ। ଏନେଇ ଜାତୀୟ ରାଜପଥ ପ୍ରାଧିକରଣ, ପୂର୍ତ ବିଭାଗ, ଭୁବନେଶ୍ୱର ମହାନଗର ନିଗମର ଅଧିକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ବୈଠକରେ ପରବର୍ତୀ ପଦକ୍ଷେପ ନେଇ ଯୋଜନା କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହିଭଳି ଜିଲ୍ଲାପାଳ ଖୋର୍ଦ୍ଧାର ୯୨ଟି ପଂଚାୟତରେ କୌଣସି ବ୍ୟାଙ୍କର ଶାଖା ନଥିବା ନେଇ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିଥିବା ବେଳେ ବେଗୁନିଆ ଓ ଚିଲିକା ବିଧାୟକ ଟାଙ୍ଗୀ, ବାଣପୁର (ଦାମିଆଁ-ବରବରା ଓ ନୀଳାଦ୍ରୀ ପଂଚାୟତ), ବୋଲଗଡ଼ରେ ଇଂଟେରନେଟ୍ ସେବା ନଥିବରୁ କେନ୍ଦ୍ର ସରକାର ପଦକ୍ଷେପ ନେବାକୁ କହିଥିଲେ। ଏନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ଓ ଟେଲିକମ୍ ମନ୍ତ୍ରୀଙ୍କ ସହ ଆଲୋଚନା କରି ପଦକ୍ଷେପ ନେବାକୁ ସାଂସଦ ପ୍ରତିଶ୍ରୁତି ଦେଇଥିଲେ।। ମାଗଣା ଚାଉଳକୁ ନେଇ ବିଧାୟକ ଓ ସାଂସଦଙ୍କ ପରସ୍ପର କଟାକ୍ଷ କେନ୍ଦ୍ର ସରକାର କୋଭିଡ୍ ସମୟରେ ୧୦ କିଲୋଗ୍ରାମ ଚାଉଳ ମାଗଣା ଦେଉଥିଲେ, ବର୍ତମାନ ଏହାକୁ କମାଇ ୫ କିଲୋଗ୍ରାମ କରିଛନ୍ତି। ବର୍ତମାନ ମଧ୍ୟ କରୋନାଜନିତ ସମସ୍ୟା ହଟିନାହିଁ ଏଣୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇ ଏହାକୁ ୧୦ କିଲୋଗ୍ରାମ ବୃଦ୍ଧି କରିବାକୁ ବିଧାୟକମାନେ କହିଥିଲେ।

ଏହାର ଜାବାବରେ ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଥିଲେ ଯେ ପ୍ରଥମେ ଆପଣଙ୍କ ଦଳ କେନ୍ଦ୍ର ଦେଉଥିବା ୫ କିଲୋ ଚାଉଳ ପାଇଁ ନରେନ୍ଦ୍ର ମୋଦୀଙ୍କ ସରକାରଙ୍କୁ ଶ୍ରେୟ ଦେଲେ ବଳକା ୫ କିଲୋ ପାଇଁ ସେ ଚାପ ପକାଇବେ। ଭୁବନେଶ୍ୱରରେ ଜାଗା ମିଶନ ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଯୋଡ଼ିବାକୁ ପ୍ରସ୍ତାବକୁ ନେଇ କଥା କଟାକଟି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଲେ ଯେ ୨୦୨୩ ଅପ୍ରିଲ ମାସ ବେଳକୁ ଭୁବନେଶ୍ୱରର ବିଭିନ୍ନ ବସ୍ତିର ୧ଲକ୍ଷ ବାସିନ୍ଦାଙ୍କୁ ଜାଗା ଯୋଜନାରେ ପଟ୍ଟାଦିଆଯିବ। ଯଦି ସେମାନଙ୍କୁ ଘର ନିର୍ମାଣ କରିବାକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନୁଦାନ ଦିଆଯାଏ ତେବେ ଭଲ ହେବ। ଏନେଇ ସାଂସଦ ଶ୍ରୀମତି ଷଡ଼ଙ୍ଗୀ କହିଥିଲେ ଯେ ପ୍ରସ୍ତାବ ଭଲ ଅଛି, କିନ୍ତୁ ପଟ୍ଟା ବଂଟନ କିମ୍ବା ଅନ୍ୟ କୌଣସି କାର୍ଯ୍ୟକ୍ରମରେ ବିଜେଡି ଦଳ ଭୁବନେଶ୍ୱରର ଜଣେ ସାଂସଦ ଅଛନ୍ତି ବୋଲି ଭୁଲି ଯାଉଛନ୍ତି। ଏଣୁ ଏଭଳି କାର୍ଯ୍ୟକ୍ରମରେ ତାଙ୍କୁ ଟିକେ ମନେ ପକାଇଲେ ଭଲ ହୁଅନ୍ତା। ଏଥିରେ ପ୍ରଶାନ୍ତ ଜଗଦେ୍ଦବ କହିଲେ ଆପଣଙ୍କୁ ଆମେ ସବୁବେଳେ ପରୋକ୍ଷ ହେଉକି ପ୍ରତ୍ୟକ୍ଷ ମନେ ପକାଉଛୁ। ସାଂସଦ ଏହାର ପ୍ରତିକ୍ରିୟାରେ କହିଲେ ଆପଣ କିମ୍ବା ଆପଣଙ୍କ ଦଳ ମୋତେ ଭୁଲିବାକୁ ଚାହିଁଲେ ମଧ୍ୟ ମୁଁ ତାହା କରାଇଦେବି ନାହିଁ।