ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସ୍କେୱାଇ) ଯୋଜନାର ଅଗ୍ରଗତି ଓ ସମୀକ୍ଷା ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଜିଲ୍ଲାର ବିଏସ୍କେୱାଇ ସହ ଅନୁବନ୍ଧିତ ଥିବା ୯୦ଟି ଘରୋଇ ଚିକିତ୍ସାଳୟର ମାଲିକ ଓ ପ୍ରତିନିଧି ଯୋଗ ଦେଇଥିଲେ। ବୈଠକରେ, ବିଏସ୍କେୱାଇର ଅଗ୍ରଗତି ସମ୍ପର୍କରେ ପୁଂଖାନୁପୁଂଖ ଆଲୋଚନା କରାଯିବା ସହ ଏହାକୁ ଅଧିକ ସକ୍ରିୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏହାସହ ଘରୋଇ ଚିକିତ୍ସାଳୟରେ ରୋଗୀଙ୍କ ଚିକିତ୍ସା ଖର୍ଚ୍ଚ ଓ ବିଏସ୍କେୱାଇ କାର୍ଡ ସମ୍ବନ୍ଧିତ ଆସୁଥିବା ଅଭିଯୋଗର ମାନବୀୟ ଦୃଷ୍ଟିକୋଣରୁ ସମାଧାନ ଉପରେ ଗୁରୁତ୍ବ ଦେଇଥିଲେ।
ବୈଠକରୁ ମିଳିଥିବା ସୂଚନାରେ ଜିଲ୍ଲାରେ ବର୍ତ୍ତମାନ ୪ଲକ୍ଷ ୧୨ ହଜାର ପରିବାରର ୧୫ ଲକ୍ଷ ୧୮ ହଜାର ବିଏସ୍କେୱାଇ କାର୍ଡଧାରୀ ଅଛନ୍ତି। ଜିଲ୍ଲାରେ ୨୯୬ଟି ସରକାରୀ ଚିକିତ୍ସାଳୟ ସହ ମୋଟ ୩୮୬ଟି ଚିକିତ୍ସାଳୟ ସହ ବିଏସ୍କେୱାଇ ଚିକିତ୍ସା ପାଇଁ ଅନୁବନ୍ଧିତ ହୋଇଛନ୍ତି। ୨୦୨୨ରେ ଘରୋଇ ଚିକିତ୍ସାଳୟରେ ପ୍ରାୟ ୧ଲକ୍ଷ ଲୋକ ଏହି ଯୋଜନାରେ ଚିକିତ୍ସିତ ହୋଇଥିଲେ। ୨୦୨୩ ବର୍ତ୍ତମାନ ସୁଦ୍ଧା ୫୭ ହଜାର ହିତାଧିକାରୀଙ୍କୁ ଘରୋଇ ଚିକିତ୍ସାଳୟରେ ଚିକିତ୍ସା କରାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ. ଆର୍ତବନ୍ଧୁ ନାୟକ, ଡିପିଏମ୍, ବିଏସ୍କେୱାଇ ସଂଯୋଜକଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/Khordha-Dist-BSKY-review-Meeting.jpg)