ରାୟଗଡା: ଉତ୍କଳ ଗୋପାଳ ଗଉଡ ସମାଜ ରାଜ୍ୟ ସଭାପତି ଧରଣୀଧର ବେହେରାଙ୍କ ନିର୍ଦ୍ଦେଶକ୍ରମେ ରାୟଗଡା ଜିଲ୍ଳା ଉତ୍କଳ ଗଉଡ଼ ସମାଜର ପ୍ରଥମ ପ୍ରସ୍ତୁତି ବୈଠକ ଆଜି କାଶିପୁର ବ୍ଳକ ଖୁରିଗାଁ ଗ୍ରାମ ପଞ୍ଚାୟତର ଚେରକେଟା ଜଳ ପ୍ରପାତ ସ୍ଥାନରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଉତ୍କଳ ଗୋପାଳ ଗଉଡ଼ ସମାଜର ଜିଲ୍ଳା ସଭାପତି ସୁରତ କୁମାର ଗୋପାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ବ୍ଳକର ୧୧୩ ଖଣ୍ଡ ଗାଁରେ ବସବାସ କରୁଥିବା ଗଉଡ ସମ୍ପ୍ରଦାୟର ୬୦୦ରୁ ୭୦୦ଜଣ ଗ୍ରାମବାସୀ ଯୋଗ ଦେଇଥିଲେ। ଜିଲ୍ଳା ଉପସଭାପତି ଶରତ ଗଉଡ ପ୍ରଥମେ ଅତିଥି ପରିଚୟ ପ୍ରଦାନ କରି କାର୍ଯ୍ୟକ୍ରମରେ ସଂଯୋଜନା କରିଥିବା ବେଳେ ଆଗାମୀ ଦିନରେ ସଙ୍ଗଠନକୁ କିପରି ସୁଦୃଢ କରାଯାଇ ପାରିବ ଏବଂ ଜିଲ୍ଳାରେ ରହୁଥିବା ସମସ୍ତ ଗଉଡ ଭାଇଭଉଣୀଙ୍କୁ ଏକଜୁଟ କରି ସଙ୍ଗଠନକୁ ଆହୁରି ମଜବୁତ କରି ହେବ ସେ ନେଇ ଜିଲ୍ଳା ସମ୍ପାଦକ ଶିବ ନାରାୟଣ ଗଉଡ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ।

Advertisment

ସେହିପରି ଉତ୍କଳ ଗୋପାଳ ଗଉଡ ସମାଜର ପ୍ରସ୍ତୁତି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଓ ଆଭିମୁଖ୍ୟ, ସଙ୍ଗଠନ ସୁଦୃଢିକରଣ ସହ ଗାଁ ଠାରୁ ଆରମ୍ଭ କରି ଜିଲ୍ଳାସ୍ତରରେ ଗଉଡ ସମାଜର କମିଟି ଗଠନ, ଗଉଡ ଜାତିର ମହାନତା ବିଷୟରେ ବିସୃତ ଭାବେ ବକ୍ତବ୍ୟ ରଖିବା ସହ ନିଶା ନିବାରଣ ଓ ଶିକ୍ଷାଗ୍ରହଣ ଭଳି କାର୍ଯ୍ୟକ୍ରମକୁ ଗଉଡ଼ ସମାଜ ଗୁରୁତ୍ୱ ଦେବା ପାଇଁ ଜିଲ୍ଳା ସଭାପତି ଶ୍ରୀ ଗୋପାଳ ଉପସ୍ଥିତ ସଦସ୍ୟ ମାନଙ୍କୁ ଉଦବୋଧନ ଦେଇଥିଲେ।

publive-image Sambad

ଗଉଡ଼ ସମ୍ପ୍ରଦାୟର ଜମିହୀନ ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ଏବଂ ବାସହୀନ ଗରିବ ଲୋକଙ୍କୁ ୪ ଡିସିମିଲ୍ ଘରଡିହ ପଟ୍ଟା ସହ ବିପିଏଲ ଓ ଏପିଏଲ୍‌ରୁ ବାଦ ପଡିଥିବା ହିତାଧିକାରୀଙ୍କୁ ଅନ୍ୟ ସରକାରୀ ସୁବିଧା  ପ୍ରଦାନ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଉତ୍କଳ ଗୋପାଳ ଗଉଡ଼ ସମାଜର ମହିଳା, କୃଷକ, ଓକିଲ, ଯୁବକ, ଶିକ୍ଷକ, ଡାକ୍ତର, ମିଡିଆ, ପ୍ରଶାସନିକ, ଇଂଜିନିୟର ଓ ଛାତ୍ର ଭଳି ଦଶଟି ସଙ୍ଗଠନ ରହିଥିବାରୁ ଏହି ସବୁ ସଙ୍ଗଠନ ଦ୍ୱାରା ଗଉଡ ସମାଜର ଜାତି ଭାଇଭଉଣୀ ମାନେ ବିଭିନ୍ନ କ୍ଷେତ୍ରରେ ସାହାର୍ଯ୍ୟ ପାଇ ପାରିବେ ବୋଲି ସଭାପତି ଗୋପାଳ କହିବା ସହ ଉତ୍କଳ ଗୋପାଳ ଗଉଡ ଜାତି ଭଗବାନ ଶ୍ରୀକୃଷ୍ଣଙ୍କର ପରମ ଭକ୍ତ ଅଟନ୍ତି। ଗୋପାଳ ଗଉଡ ଜାତି ଏକ କ୍ଷତ୍ରିୟ ବୈଷ୍ୟ ଜାତି ହୋଇଥିବା ବେଳେ ଏହି ଜାତି ଏକ ଲଢୁଆ ଓ ସଂଗ୍ରାମୀ ଜାତି ରହି ଆସିଛି ବୋଲି ମଧ୍ୟ ପ୍ରକାଶ କରିଥିଲେ। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ  ଜଳଧର ଗଉଡ, ଗୋପଚନ୍ଦ୍ର ଗଉଡ, ସୁରେନ୍ଦ୍ର ଗଉଡ, କୃଷ୍ଣ ଗଉଡ, ରାମେଶ୍ୱର ଗଉଡ, ଜଗନ୍ନାଥ ଗଉଡ, ଡମ୍ବୁରୁଧର ଗଉଡ, ମାଙ୍ଗତିଆ ଗଉଡ, ଜଗ ଗଉଡ, ଚନ୍ଦ୍ର ଗଉଡ, ବୁଟି ଗଉଡଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଯାଦବ ମହାସଭା ସଂଘର ରାଜ୍ୟସ୍ତରୀୟ ସମ୍ପାଦକ ଅମିତ ଗଉଡ ମଧ୍ୟ ଯୋଗ ଦେଇ ଜାତି ଭାଇଭଉଣୀ ମାନଙ୍କ ବିକାଶ ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି କହିଥିଲେ।