ଖୋର୍ଦ୍ଧା : ରାଜସ୍ୱ ବିଭାଗର ବୈଠକ, ପ୍ରତି ଗାଁରେ ହେବ ଖଣିଜ ସମ୍ପଦ ସୁରକ୍ଷା ସମିତି

ବେଆଇନ ପଥର ଖଣିରେ ଶ୍ରମିକଙ୍କୁ ଦିଆଯିବ ବିକଳ୍ପ ନିଯୁକ୍ତି

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ ପ୍ରତି ଗ୍ରାମରେ ବନ ସୁରକ୍ଷା ସମିତି ଢାଂଚାରେ ଗଠିତ ହେବ ଖଣିଜ ସମ୍ପଦ ସୁରକ୍ଷା ସମିତି । ଏହା ସହ ବେଆଇନ ପଥର ଖଣି ଓ କ୍ରସର ୟୁନିଟ୍ ରେ କାମ କରୁଥିବା ଶ୍ରମିକଙ୍କୁ ବିକଳ୍ପ ନିଯୁକ୍ତି ଦିଆଯିବ ବୋଲି ଜିଲ୍ଲାପାଳ ସନତ କୁମାର ମହାନ୍ତି ସୂଚନା ଦେଇଛନ୍ତି ।
ଆଜି ଗଡ଼ମାଣତ୍ରୀ ଠାରେ ଅନୁଷ୍ଠିତ ମାସିକ ରାଜସ୍ୱ ବିଭାଗର ବୈଠକରେ ଜିଲ୍ଲାପାଳ ଶ୍ରୀ ମହାନ୍ତି ଅଧ୍ୟକ୍ଷତା କରିଥିଲେ । ଏଥିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅନୁଜ ଦାସପଟ୍ଟନାୟକ, ଅତରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ, ଉପଜିଲ୍ଲାପାଳ ଅଶୋକ ବେଉରିଆ, ପ୍ରକଳ୍ପ ନିର୍ଦେଶକ ଦିଗନ୍ତ ରାଉତରାୟ, ବିଭିନ୍ନ ତହସିଲର ତହସିଲଦାର, ଆରଆଇ ପ୍ରମୁଖ ଯୋଗ ଦେଇଥିଲେ । ବୈଠକ ସମ୍ପର୍କରେ ଜିଲ୍ଲାପାଳ ସୂଚନା ଦେଇ କହିଛନ୍ତି ଯେ ଦିନରେ ରାଜସ୍ୱ ବିଭାଗ କର୍ମଚାରୀ ଲଘୁ ଖଣିଜଦ୍ରବ୍ୟର ଚୋରାଚାଲାଣ ଧରପଗଡ଼ କରୁଛନ୍ତି, କିନ୍ତୁ ରାତିରେ ଚାଲାଣରେ ଅନେକ ସମସ୍ୟା ଓ କର୍ମଚାରୀଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି ।

ଅନେକ ସମୟରେ ଚଢ଼ଉ ସମୟରେ ଆବଶ୍ୟକ ପୁଲିସ ସହାୟତା ମିଳିପାରୁନାହିଁ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ବନାଂଚଳର ସୁରକ୍ଷା ପାଇଁ ଯେଭଳି ବନ ସୁରକ୍ଷା କମିଟି ଗାଁଗହଳିରେ ଗଠିତ ହୋଇଛି ସେଭଳି କମିଟି ଜିଲ୍ଲାରେ ଗଠିତ ହେବ । ଏହି କମିଟି ପଲ୍ଲୀସଭା ମାଧ୍ୟମରେ ଚୟନ କରାଯିବ । ସେହିଭଳି ବେଆଇନ ପଥର ଖଣି ବିଶେଷତଃ କ୍ରସର ୟୁନିଟ୍ ଗୁଡ଼ିକରେ ହାତରେ ପଥର ବାଡ଼େଇ ଗେଟି ଆଦି ପ୍ରସ୍ତୁତ କରୁଥିବା ଶ୍ରମିକଙ୍କୁ ବିକଳ୍ପ ନିଯୁକ୍ତି ଦିଆଯିବ । ଏନେଇ ଏକ ପ୍ରସ୍ତାବ ରାଜ୍ୟସରକାରଙ୍କ ନିକଟକୁ ପଠାଯିବ ଓ ଏହା ଖୁବ୍ ଶୀଘ୍ର କାର୍ଯ୍ୟକାରୀ ହେବ ବୋଲି ସେ ଆଶା ରଖିଛନ୍ତି ।

ଜିଲ୍ଲାପାଳ କହିଛନ୍ତି ଯେ କୋଭିଡ୍ କଟକଣାରେ ଅନଲାଇନରେ ବୈଠକ ହେଉଥିଲା । ଆଜି ପ୍ରଥମ ଥର ପାଇଁ ଗଡ଼ମାଣତ୍ରୀରେ ପ୍ରତ୍ୟକ୍ଷ ବୈଠକ ଅନୁଷ୍ଠିତ ହୋଇଛି । ଏହା ସହ ସେ ରାମଚଣ୍ଡୀ ଆଦି ବୁଲି ପରିସ୍ଥିତିର ସମୀକ୍ଷା ମଧ୍ୟ କରିଛନ୍ତି । ବୈଠକରେ ରାଜ୍ୟ ସରକାର ଦେଇଥିବା ରାଜସ୍ୱ ଆଦାୟ ଲକ୍ଷ୍ୟ ପୂରଣ, ବେଆଇନ ଲଘୁ ଖଣିଜ ଦ୍ରବ୍ୟର ଚାଲାଣ ଉପରେ ନିୟନ୍ତ୍ରଣ, ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଚିହ୍ନଟ ଆଦି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

ସମ୍ବନ୍ଧିତ ଖବର