ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ

ସୋନପୁର: ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲାପାଳ ଅନ୍ୟା ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଏଥିରେ ସମ୍ଭାବ୍ୟ ବନ୍ୟା ମୁକାବିଳା ପାଇଁ ବିଭାଗୀୟ ପ୍ରସ୍ତୁତି ଓ କାର୍ଯ୍ୟକାରିତା ଉପରେ ଆଲୋଚନା ହୋଇଥିଲା। ଜିଲ୍ଲାର ସମ୍ପୃକ୍ତ ପ୍ରତ୍ୟେକ ଅଧିକାରୀ ତଥା କର୍ମଚାରୀ ସମ୍ଭାବ୍ୟ ବନ୍ୟାର ମୁକାବିଲା ନିମନ୍ତେ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହି ପରିସ୍ଥିତିକୁ ଦେଖି ତ୍ୱରିତ ପଦକ୍ଷେପ ନେବାକୁ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲା, ଉପଖଣ୍ଡ, ବ୍ଲକ ସ୍ତର ତଥା ସମ୍ପୃକ୍ତ ବିଭିନ୍ନ ବିଭାଗ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲରୁମ କାର୍ଯ୍ୟକ୍ଷମକୁ ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀ ଓ ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ବିପର୍ଯ୍ୟୟର ସଫଳ ମୁକାବିଲାକୁ ସୁନିଶ୍ଚିତ ତଥା ବ୍ୟବସ୍ଥିତ କରିବା ନିମନ୍ତେ ଆସନ୍ତା ୧୮ ତାରିଖ ପୂର୍ବାହ୍ଣ ୧୦ ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଜିଲ୍ଲାସ୍ତରୀୟ ଓ ଅପରାହ୍‌ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ବ୍ଲକ୍‌ ଓ ୟୁଏଲ୍‌ବିସ୍ତରୀୟ ଦୁଇଟି ପର୍ଯ୍ୟାୟରେ ଟେବୁଲଟପ୍‌ ଏକ୍ସରସାଇଜ ଅନୁଷ୍ଠିତ ହେବାକୁ ଥିବା ବେଳେ ତା ୧୯ ତାରିଖ ଦିନ ଜିଲ୍ଲାରେ ଥିବା ୬ଟି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ମକ୍‌ଡ୍ରିଲ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଥିଲା। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ, ସିଡିଓ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଅଶ୍ୱିନୀ ମେହେର, ସୋନପୁର ଉପଜିଲ୍ଲାପାଳ ସୂରଜ ପଟ୍ଟନାୟକ, ବୀରମହାରାଜପୁର ଉପଜିଲ୍ଲାପାଳ ଲଲାଟେନ୍ଦୁ ସି ପ୍ରମୁଖ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର