ରାଇରଙ୍ଗପୁର: ରାଇରଙ୍ଗପୁରକୁ ନୂତନ ଜିଲ୍ଲା ଗଠନ ପାଇଁ ରାଇରଙ୍ଗପୁରସ୍ଥିତ ପିସିଏମ୍ କଲ୍ୟାଣିମଣ୍ଡପଠାରେ କ୍ରିୟାନୁଷ୍ଠାନ କମିଟିର ଜରୁରୀକାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା। ରାଇରଙ୍ଗପୁର ଓକିଲ ସଙ୍ଘ ସଭାପତି ଅକ୍ଷୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ନୂତନ ରାଇରଙ୍ଗପୁର ଜିଲ୍ଲା ଗଠନ ପାଇଁ ଏକ ଦଳଗତ ନିର୍ବିଶେଷରେ ଆନ୍ଦୋଳନକୁ ଜୋରଦାର କରିବା ନିଷ୍ପତି ଗ୍ରହଣ କରିବା ସହିତ ଉପଖଣ୍ଡର ୭ ଟି ବ୍ଲକର ସମସ୍ତ ନିର୍ବାଚିତ ଲୋକ ପ୍ରତିନିଧି, ସାମାଜିକ ସଙ୍ଗଠନ, ବୁଦ୍ଧିଜୀବୀ, ବଣିକ ସଙ୍ଘ, ଓଡିଶା ମୋଟର ଚାଳକ ସଙ୍ଘ ସହିତ ସମସ୍ତ ଅନୁଷ୍ଠାନକୁ ଯୋଡି ଆନ୍ଦୋଳନକୁ ଜୋରଦାର କରାଯିବାର ନିଷ୍ପତ୍ତି ଗ୍ରହଣ କରାଯାଇଛି।
Advertisment
ଉଲ୍ଲେଖ ଥାଉ କି ପଶ୍ଚିମ ମୟୁରଭଞ୍ଜ ଜିଲ୍ଲା ଗଠନ ପାଇଁ ଦୀର୍ଘବର୍ଷ ଧରି ଦାବି ହୋଇ ଆସୁଥିବା ବେଳେ ରାଜ୍ୟ ସରକାର କର୍ଣପାତ କରୁ ନ ଥିବାରୁ ବୈଠକରେ କ୍ଷୋଭ ପ୍ରକାଶ ପାଇଥିଲା। ମୁଖ୍ୟମନ୍ତ୍ରୀ ଉପନିର୍ବାଚନ ପାଇଁ ପଦ୍ମପୁରକୁ ଜିଲ୍ଲା ଘୋଷଣା ପ୍ରତିଶ୍ରୁତି ଦେଇଛନ୍ତି। ତେବେ ରାଇରଙ୍ଗପୁର ଜିଲ୍ଲା ପାଇଁ ଦୀର୍ଘବର୍ଷର ଦାବିକୁ ଉପେକ୍ଷା କରି ଚାଲିଛନ୍ତି। ଆସନ୍ତା ୨୬ ନଭେମ୍ବର ଉପଖଣ୍ଡର ସମସ୍ତ ନିର୍ବାଚିତ ପ୍ରତିନିଧି,ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନଙ୍କୁ ନେଇ ବୈଠକ ହେବା ସହିତ କୋର କମିଟି ଗଠନ କରିବା ସହିତ ସମସ୍ତଙ୍କ ଦସ୍ଥଖତରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବଙ୍କୁ ନୂତନ ଜିଲ୍ଲା ଗଠନ ନେଇ ଦାବି ପତ୍ର ପ୍ରଦାନ କରିବାର ନିଷ୍ପତ୍ତି ନିଆଯାଇଛି।
ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଓକିଲ ରସାନନ୍ଦ ଲେଙ୍କା, ପ୍ରଭାସ କବି, ବିଜେପି ବରିଷ୍ଠ ନେତା ମନୋରଞ୍ଜନ ମହାନ୍ତି, ବିଧାୟକ ନବଚରଣ ମାଝୀ, ପୂର୍ବତନ ବିଧାୟକ ଲକ୍ଷଣ ମାଝୀ, ପ୍ରହଲ୍ଲାଦ ପୂର୍ତ୍ତ, ବିଜେପି ବରିଷ୍ଠ ନେତା ନବୀନ ରାମ,ସଂଜୀବ ମହାନ୍ତି, ବିଜେଡି ବରିଷ୍ଠ ନେତା ମନୁ ଚୌଧୁରୀ, ରତିକାନ୍ତ ପରୀକ୍ଷା, ଶିକ୍ଷାବିତ ବିଜୟ ରାମ,ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ପଟ୍ଟନାୟକ, ମାନସ ମହାନ୍ତି, କାଳି ପ୍ରସନ୍ନ ମହାନ୍ତି, ପୌରପାଳିକା ଉପାଧ୍ୟକ୍ଷା ମମିତା ଚୌଧୁରୀ ପ୍ରଭୁତି ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ।