ମାଲକାନଗିରି: ମାଲକାନଗିରି ଜିଲ୍ଲା ସଦର ମହକୁମାସ୍ଥିତ ଗ୍ରାମ୍ୟ ଉନ୍ନୟନ ବିଭାଗର ସଭାଗୃହରେ ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆଇଟି ଏବଂ କ୍ରୀଡା ତଥା ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଅଧ୍ୟକ୍ଷତା କରିଥିବା ବେଳେ ସାଂସଦ ରମେଶ ଚନ୍ଦ୍ର ମାଝି, ମାଲକାନଗିରି ବିଧାୟକ ଆଦିତ୍ୟ ମାଢି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ଆଦିବାସୀ ଉନ୍ନୟନ ସ୍ବତନ୍ତ୍ର ବିକାଶ ପରିଷଦର ଅଧ୍ୟକ୍ଷ ମାନସ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦଶରଥ ପଡିଆମି, ଯୋଜନା କମିଟିର ସଦସ୍ୟ ଜିଲ୍ଲାପାଳ ବିଶାଲ ସିଂହ, ବିନଖଣ୍ଡ ଅଧିକାରୀ କୋତ୍ତାପାଲୀ, ପିଡି, ଡିଆରଡିଏ ବାଳ ମୁକୁନ୍ଦ ଭୁୟାଁ ପ୍ରମୁଖ ଉପସ୍ଥିତ ଥିଲେ। ଏହି ବୈଠକରେ ୨୦୨୧-୨୨ ବର୍ଷ ପାଇଁ ବିସ୍ତୃତ ଜିଲ୍ଲା ବାର୍ଷିକ ଯୋଜନା ସମ୍ବନ୍ଧୟ ଆଲୋଚନା କରାଯାଇଥିଲା। ଏଥିସହ ସ୍ବାସ୍ଥ୍ୟ, ପରିବାର କଲ୍ୟାଣ, ବିଦ୍ୟୁତକରଣ, ଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ମହିଳା ଓ ଶିଶୁ ବିକାଶ, ରାସ୍ତା ଓ ବ୍ରିଜ ଉପରେ ହୋଇଥିବା କାର୍ଯ୍ୟର ସମୀକ୍ଷା ଓ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିଲା।
ଡାକ୍ତରମାନେ ଡାକ୍ତରଖାନାରେ ଉପସ୍ଥିତ ରହିବା ଓ ଔଷଧ ଯୋଗାଣ ଉପରେ ଗୁରୁତ୍ବ ଦେବା ପାଇଁ ସିଡିଏମଓଙ୍କୁ ମନ୍ତ୍ରୀ ଶ୍ରୀ ବେହେରା ନିର୍ଦେଶ ଦେଇଥିଲେ। ସେହିପରି ଗ୍ରାମାଞ୍ଚଳରେ ବିଦ୍ୟୁତ କରଣ କରିବା ପାଇଁ ଜଂଗଲ ବିଭାଗରୁ ଅନୁମୋଦନ ଆଣି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ସେହିପରି ରାସ୍ତା ଓ ଗୃହ ନିର୍ମାଣ ବିଭାଗକୁ ସମୟ ସୀମା ମଧ୍ୟରେ କାର୍ଯ୍ୟ ସମାପ୍ତ କରିବାକୁ ନିର୍ବାହୀ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ। ଜିଲ୍ଲାରେ ଶିକ୍ଷାର ଉନ୍ନତି କରିବା ସହ ଜିଲ୍ଲାର ବିକାଶରେ ସମସ୍ତଙ୍କର ଭାଗିଦାରି ରହିବା ଦରକାର ବୋଲି କୁହାଯାଇଥିଲା। ଏହି ବୈଠକରେ ଜିଲ୍ଲାର ସମସ୍ତ ଉଚ୍ଚପଦାଧିକାରୀ ଉପସ୍ଥିତ ଥିଲେ।