ଭଦ୍ରକ: ବିଦ୍ୟାର୍ଥୀ ବିକାଶ ମଞ୍ଚ, ଭଦ୍ରକର ସଭାପତି ଲକ୍ଷ୍ମୀଧର ବିଶ୍ଵାଳଙ୍କ ଆବାହକତ୍ଵ ଏବଂ ଉକ୍ତ ମଞ୍ଚର ମୁଖ୍ୟ ଉପଦେଷ୍ଟା ପ୍ରଫେସର ଡଃ. ଦେବେନ୍ଦ୍ର ନାଥ ରାଉତଙ୍କ ପୌରୋହିତ୍ୟରେ ସ୍ଥାନୀୟ ଜାନୁଗଞ୍ଜ ସ୍ଥିତ ଦିବ୍ୟମ୍ ହଲ୍ ପରିସରରେ ଅନୁଷ୍ଠାନ ତରଫରୁ ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ଭଦ୍ରକରେ ବିଶ୍ଵବିଦ୍ୟାଳୟ ସ୍ଥାପନ ଓ ଐତିହାସିକ ଭଦ୍ରକ କଲେଜର ଶୈକ୍ଷିକ ବାତାବରଣକୁ ଅବିଳମ୍ବେ ସଜାଡ଼ିବା ପାଇଁ ସମସ୍ତଙ୍କର ସହଯୋଗରେ କାର୍ଯ୍ୟ କରିବା ଲାଗି ଉକ୍ତ ବୈଠକରେ ବିଶେଷ ଆଲୋଚନା କରାଯାଇଥିଲା।
ଏହି ଅବସରରେ ପ୍ରାଧ୍ୟାପକ ଡଃ. ବ୍ରଜମୋହନ ମିଶ୍ରଙ୍କ ପ୍ରସ୍ତାବ ଏବଂ ଉପସ୍ଥିତ ସମସ୍ତ କର୍ମକର୍ତ୍ତା, ବରେଣ୍ୟ ଉପଦେଷ୍ଟା ମାନଙ୍କ ସର୍ବସମ୍ମତି ସମର୍ଥନକ୍ରମେ ଏକ ସଂକଳ୍ପ ପତ୍ର ପାରିତ କରାଯାଇଥିଲା। ଏହି ସଂକଳ୍ପ ପତ୍ର ଅନୁସାରେ ଭଦ୍ରକରେ ବିଶ୍ଵବିଦ୍ୟାଳୟ ପ୍ରତିଷ୍ଠା ଦାବିଟି ଭଦ୍ରକ ଜିଲ୍ଲାବାସୀଙ୍କର ମୌଳିକ ତଥା ଯଥାର୍ଥ ଦାବି। ଜନଜାଗରଣ ଓ ନେତୃତ୍ଵମାନଙ୍କର ଆନ୍ତରିକ ଉଦ୍ୟମ ଅଭାବରୁ ସରକାର ଜାଣିଶୁଣି ଏହି ଦାବିକୁ ଅଣଦେଖା କରି ବାରମ୍ବାର ଭଦ୍ରକବାସୀଙ୍କୁ ନିରାଶ କରୁଛନ୍ତି ବୋଲି ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷ ମତାମତ ଦେଇଥିଲେ।
ଏଣୁ ଏହି ଦାବିଟି ପୁରଣ ହୋଇ ଭଦ୍ରକରେ ବିଶ୍ଵବିଦ୍ୟାଳୟ ସ୍ଥାପନ ହେବା ଯାଏ ଉକ୍ତ ବିଦ୍ୟାର୍ଥୀ ବିକାଶ ମଞ୍ଚର କର୍ମକର୍ତ୍ତା ଓ ଉପଦେଷ୍ଟା ମାନେ ଭଦ୍ରକର ସମସ୍ତ ସାମାଜିକ, ସାଂସ୍କୃତିକ,ଧାମିର୍କ ସଂଗଠନର କର୍ମକର୍ତ୍ତା, ସଭ୍ୟ/ସଭ୍ୟା, ସଚେତନ ନାଗରିକ ଓ ଜନତାଙ୍କ ସହଯୋଗରେ ସଂଗ୍ରାମ ଜାରି ରଖିବା ପାଇଁ ବୈଠକରେ ଏକ ସଶକ୍ତ ଶପଥ ନେଇଥିଲେ। ଏହି ପରିପ୍ରେକ୍ଷୀରେ ପ୍ରଥମେ ଆସନ୍ତା ମେ ୨୧ ତାରିଖ ରବିବାର ଭଦ୍ରକ ଟାଉନହଲରେ ଭଦ୍ରକ ସାଂସଦ, ଜିଲ୍ଲାର ସମସ୍ତ ବିଧାୟକ, ସାମାଜିକ, ସାଂସ୍କୃତିକ ଓ ଧାମିର୍କ ସଂଗଠନର କର୍ମକର୍ତ୍ତା, ବୁଦ୍ଧିଜୀବୀ, ଜିଲ୍ଳାର ସମସ୍ତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ଜନଗଣଙ୍କୁ ନେଇ ଏକ ବିଶେଷ ଆଲୋଚନା କରାଯିବ। ପରେ ପୁଣି ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ ବୋଲି ବୈଠକରେ ମତ ପ୍ରକାଶ ପାଇଥିଲା। ଏହି ବୈଠକରେ ପ୍ରାଧ୍ୟାପିକା ଡଃ. ରାଧାରାଣୀ ମହାପାତ୍ର, ଡାକ୍ତର ରବୀନ୍ଦ୍ର କୁମାର ନାୟକ, ଡଃ. ଗୋଲକ ବିହାରୀ ସାହୁ, ରୋଟାରିଆନ ଅଭିଜିତ୍ ନାୟକ, ଯୋଗଗୁରୁ ସୁରେନ୍ଦ୍ର ଦାସ, ଗୁରୁଜୀ ଗୌତମ ମହାରଣା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଜେନା, ନାଟ୍ୟଶ୍ରୀ ନିର୍ମଳ ରାଉତ, ଉଦ୍ୟାନବିତ୍ ବିଚିତ୍ରାନନ୍ଦ ମହାନ୍ତି, ପ୍ରାକ୍ତନ ଅଧ୍ୟକ୍ଷ ଲକ୍ଷ୍ମୀଧର ରାଉତ, ସମାଜସେବୀ ପ୍ରେମାନନ୍ଦ ମହାନ୍ତି, ଅଧ୍ୟାପକ ସୁଧାଂଶୁ ପଣ୍ଡା, ଅନୁଷ୍ଠାନର କୋଷାଧ୍ୟକ୍ଷ ପ୍ରାମୋଦ ସାମଲ, କାର୍ଯ୍ୟାଳୟ ସମ୍ପାଦକ ବିଶ୍ଵନାଥ ରାଉତ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।