ଭଞ୍ଜନଗର: ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟର ଜିଲ୍ଲା ମୁଖ୍ୟାଳୟ ଠାରୁ ୧୦୦ କିମି ଦୂରରେ ରହିଥିବା ବେଳେ ଏହି ଚିକିତ୍ସାଳୟ ଉପଖଣ୍ଡ ସମେତ ନୟାଗଡ ଏବଂ କନ୍ଧମାଳ ଜିଲ୍ଲାର କିଛି ଅଞ୍ଚଳର ଲୋକଙ୍କୁ ସ୍ବାସ୍ଥସେବା ଯୋଗାଇ ଆସୁଛି। ଏଠାରେ ଭେଷଜ, ସର୍ଜରୀ, ପ୍ରସୂତି, ଶିଶୁ, ଏସ୍ଏନ୍ସିୟୁ ଠାରୁ ଆରମ୍ଭ କରି ଏଆର୍ଟି କେନ୍ଦ୍ର, ରକ୍ତ ଭଣ୍ଡାର ସହ ଡାଏଲେସିସ୍ କେନ୍ଦ୍ର ଆଦି ରହିଛି। ଗତ ୮ ମାସରେ ପ୍ରାୟ ଏକ ଲକ୍ଷ ରୋଗୀ ଆଉଡୋରରେ ଚିକିତ୍ସା ସେବା ପାଇଥିବା ବେଳେ ୧୩୬୯୦ଜଣ ରୋଗୀଙ୍କୁ ଇନ୍ଡୋର୍ରେ ଚିକିତ୍ସା କରାଯାଇଛି। ଯାହାକି ବ୍ରହ୍ମପୁର ସିଟି ହସ୍ପିଟାଲ୍ ଅପେକ୍ଷା ଢେର ଗୁଣା ଅଧିକ। ଏହାକୁ ଜିଲ୍ଲା ଚିକିତ୍ସାଳୟର ମାନ୍ୟତା ପ୍ରଦାନ କରି ଆବଶ୍ୟକ ସଂଖ୍ୟକ ଡାକ୍ତର ପଦବୀ ପୂରଣ ଓ ନିୟମିତ ସମସ୍ତ ଓପିଡି ଖୋଲିବା ଦିଗରେ ପଦକ୍ଷେପ ନେବା ପାଇଁ ରୋଗୀ କଲ୍ୟାଣ ସମିତି ବୈଠକରେ ସଦସ୍ୟ ମାନେ ମତ ପ୍ରକାଶ କରିଛନ୍ତି। ମେଡିକାଲ ଅଧୀକ୍ଷକ ଡଃ. ସୀତାଂଶୁ ଶେଖର ଶତପଥୀଙ୍କ ପୌରହିତ୍ୟରେ ଆୟୋଜିତ ବୈଠକରେ ମୁଖ୍ୟଅତିଥି ଭାବେ ସମିତି ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ବ୍ଳକ ଅଧ୍ୟକ୍ଷ ନରୀସଭା ନାୟକ ଏବଂ ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହିଥିଲେ। ତେବେ ମାତୃ ଓ ଶିଶୁ ମାନଙ୍କ ସୁରକ୍ଷା ପାଇଁ ହେବାକୁ ଥିବା ନୂତନ ଚିକିତ୍ସାଳୟ କୋଠା ଆଉ ହେବନାହିଁ ବୋଲି ଅଧିକ୍ଷକ ସୂଚନା ଦେଇଛନ୍ତି। ମେଡିକାଲ ନିକଟରେ ଥିବା ପୁରୁଣା ଷ୍ଟାଫ କ୍ବାଟର ଗୁଡିକୁ ଭାଙ୍ଗି ସେଠାରେ ୨୪୦ ଫୁଟ ଲମ୍ବା ଓ ୧୨୦ ଫୁଟ ଓସାରରେ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ନେଇ ଯୋଜନା ରହିଥିବା ବେଳେ ସ୍ଥାନ ଓ ଆନୁଷଙ୍ଗିକ ଆବଶ୍ୟକତା ଅଭାବ ଯୋଗୁ ସେହି ପ୍ରକଳ୍ପ ଫେରି ଯାଇଥିବା ସେ ବୈଠକରେ ସୂଚନା ଦେଇଛନ୍ତି।
ଏହା ଚାରି ମହଲା ବିଶିଷ୍ଟ ଚିକିତ୍ସାଳୟରେ ମାତୃ ଓ ଶିଶୁଙ୍କ ପାଇଁ ବିଭିନ୍ନ ବିଭାଗରେ ଅତ୍ୟାଆଧୁନିକ ଚିକିତ୍ସା ପ୍ରଦାନ କରାଯିବା ନେଇ ଯୋଜନା ରହିଥିବା ବେଳେ ତାହା ଆଉ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି। ବର୍ତ୍ତମାନ କେବଳ ଗର୍ଭବତୀ ମହିଳାଙ୍କ ଚିକିତ୍ସା ପାଇଁ ସ୍ବତନ୍ତ୍ର ଓଜି କମ୍ପେକ୍ସ ନିର୍ମାଣ ହେବ ବୋଲି ସେ କହିଥିଲେ। ପ୍ରାରମ୍ଭରେ ମେଡିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ବିଗତ ବୈଠକର ଆଲୋଚନା ଏବଂ ଆୟବ୍ୟୟର ହିସାବ ଉପସ୍ଥାପନା ରଖିଥିଲେ। ଆଗାମୀ ଦିନରେ ‘ଲକ୍ଷ୍ୟ’ ଓ ‘ମୁସ୍କାନ୍’ ପୁରସ୍କାର ପାଇବା ଦିଗରେ ସମସ୍ତଙ୍କ ଉଦ୍ୟମ ସହ ରୂପରେଖ ପ୍ରସ୍ତୁତ କରିବା ପାଇଁ ଉପଜିଲ୍ଲାପାଳ ଶ୍ରୀ ରାୟ ପ୍ରକାଶ କରିଥିଲେ। ଏଥିସହ ଉକ୍ତ ମେଡିକାଲର ନିଶ୍ଚେତକ ଡାକ୍ତରଙ୍କୁ ସପ୍ତାହକୁ ତିନି ଦିନ ଡେପୁଟେସନରେ ଡ୍ୟୁଟି ଦିଆଯାଉଥିବାରୁ ଏଠାରେ ନିୟମିତ କରିବା ଓ ଏଠାରୁ ଦରମା ନେଇ ଅନ୍ୟସ୍ଥାନରେ କାର୍ଯ୍ୟ କରୁଥିବା ନର୍ସ ମାନଙ୍କୁ ଫେରାଇ ଆଣିବା ନେଇ ଆଲୋଚନା ହୋଇଥିଲା। ୫୦ ଶଯ୍ୟା ବିଶିଷ୍ଟ କୋଠା ନିର୍ମାଣ ବିଳମ୍ବ ଓ ଫିଜିଓଥେରାପି କାର୍ଯ୍ୟକାରୀ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ବୈଠକରେ ସଦସ୍ୟ ପ୍ରଶାନ୍ତ କୁମାର ମହାନ୍ତି, ରାଜେନ୍ଦ୍ର ପ୍ରସାଦ ପ୍ରଧାନ, ପ୍ରେସ କ୍ଳବ ସଭାପତି ଲୋକନାଥ କର, ପୂର୍ତ୍ତ ବିଭାଗ, ଜନସ୍ବାସ୍ଥ ବିଭାଗ, ବିଦ୍ୟୁତ ବିଭାଗ ଅଧିକାରୀ ମାନେ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ।