ଖୋର୍ଦ୍ଧା: ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)ର ଖୋର୍ଦ୍ଧା ଜିଲ୍ଲା ଶାଖା ପକ୍ଷରୁ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ମୁକୁନ୍ଦପ୍ରସାଦ ଠାରେ ଥିବା ବିଶ୍ୱାମିତ୍ର ଜନସେବା ଟ୍ରଷ୍ଟର କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ଅଧ୍ୟକ୍ଷ ରାମଶଙ୍କର ଅଧ୍ୟକ୍ଷତା କରିଥିଲେ। ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ବିଧାୟକ ଓ ମୋନାର ସଭାପତି ପଦ୍ମଚରଣ ନାୟକ ଅତିଥି ଭାବେ ଯୋଗ ଦେଇ ସଭାର ଉଦ୍ଘାଟନ କରିଥିଲେ। ରାଜ୍ୟ ସଂଗଠନ ସମ୍ପାଦକ ଶୁଭେନ୍ଦୁ ରାଉତରାୟ ପୁରୀ ଠାରେ ଚଳିତମାସ ୫ ଓ ୬ ତାରିଖରେ ଅନୁଷ୍ଠିତ ହୋଇଥିବା ରାଜ୍ୟ ସମ୍ମିଳନୀର ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ରାଜ୍ୟରେ ନିଶା ବ୍ୟବସାୟ ବନ୍ଦ କରିବା ସହ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ଅତିଥି ମାନେ ବକ୍ତବ୍ୟ ରଖିଥିଲେ।
ନିଶା ଯୋଗୁଁ ଦୁର୍ଘଟଣା ବୃଦ୍ଧି ପାଇବା, ପାରିବାରିକ କଳହ ଓ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବାରୁ ଏନେଇ ଯୁବସମାଜକୁ ସଚେତନ କରାଇବା ଆବଶ୍ୟକ ବୋଲି ଅତିଥିମାନେ ମତ ଦେଇଥିଲେ। ଏହି ଅବସରରେ ଜିଲ୍ଲାର ୧୦ଟି ବ୍ଲକ, ଦୁଇଟି ପୌର ପରିଷଦ ଓ ଦୁଇଟି ବିଜ୍ଞପିତ ଅଂଚଳ ପରିଷଦର ସଦସ୍ୟଙ୍କୁ ନେଇ ଏକ କାର୍ଯ୍ୟକାରୀ ପରିଷଦ ଗଠନ କରାଯାଇଥିଲା। ଏତିରେ ସଭାପତି ରୂପେ ଆଇନଜୀବୀ ଅର୍ଜ୍ଜୁନ ଚରଣ ସାମନ୍ତରାୟ, ସମ୍ପାଦକ ରାମଶଙ୍କର, ଉପସଭାପତି ଆଇନଜୀବୀ ବସନ୍ତ କୁମାର ଦାଶ, ପ୍ରଭାତ ରାଉତରାୟ, କୋଷାଧ୍ୟକ୍ଷ ସତ୍ୟ ନାରାୟଣ ସାମନ୍ତସିଂହାର, ସଦସ୍ୟ ଭାବେ ବିଭୂ ପ୍ରସାଦ, କୁଳମଣୀ ଜେନା, ଶାନ୍ତିଲତା ରାଉତରାୟ, ଅରୁଣ ସ୍ୱାଇଁ ଓ ପ୍ରଭାସ ମଙ୍ଗରାଜଙ୍କୁ ମନୋନୀତ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/Nisha-Nibaran-Baithak-Khordha.jpeg)