ଭାରତର ସ୍ୱାଧୀନତା ସଂଗ୍ରାମରେ ପାଇକ ବିଦ୍ରୋହର ଗୁରୁତ୍ବ ରହିଛି

ଖୋର୍ଦ୍ଧା: ଭାରତର ପ୍ରଥମ ସ୍ୱାଧୀନତା ସଂଗ୍ରାମର ନବ ଉନ୍ମେଷ-୧୮୧୭ ପାଇକ ବିଦ୍ରୋହ ଶୀର୍ଷକ ଏକ ଆଲୋଚନାଚକ୍ର ରବିବାର ଜିଲ୍ଲା ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। କଳିଙ୍ଗ ପାଇକ ସଂଗଠନ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ସଂଗଠନର ଉପଦେଷ୍ଟା ଭୀମସେନ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ ପ୍ରାରମ୍ଭିକ ସୂଚନା, ବକ୍ସି ଜଗବନ୍ଧୁ ସ୍ମାରକ ମଞ୍ଚର ସମ୍ପାଦକ ସମରେନ୍ଦ୍ର ବଳିଆରସିଂହ ଅତିଥି ପରିଚୟ, କଳିଙ୍ଗ ପାଇକ ସଂଗଠନର ଉପଦେଷ୍ଟା ସତ୍ୟବାଦୀ ବଳିଆରସିଂହ ସ୍ୱାଗତ ଭାଷଣ ଦେଇଥିଲେ। ବକ୍ତାଭାବେ ନିରାକାରପୁର କ୍ଷେତ୍ରବାସୀ କେବିଡିଏଭି ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଡଃ. ପ୍ରତିଭାମୟୀ ମିତ୍ର, କିଟ୍ ସ୍କୁଲ ଅଫ୍ ମ୍ୟାନେଜମେଂଟର ପ୍ରଫେସର ଡଃ. ରବିନାରାୟଣ ସୁବୁଦ୍ଧି, ବାଇକଂଟିଆର କାର୍ଯ୍ୟକାରୀ ସମ୍ପାଦକ ମଦନମୋହନ ମହାପାତ୍ର, ଉତ୍କଳ ବିକାଶ ପରିଷଦର ସଚିବ ଇଂ. ଋଷି ଗୁମାନସିଂହ, କାଇପଦର ଶ୍ରୀଜଗନ୍ନାଥ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡଃ. ଅଶୋକ କୁମାର ରାୟସିଂହ ଯୋଗ ଦେଇଥିଲେ। କଳିଙ୍ଗ ପାଇକ ସଂଗଠନର ମୁଖ୍ୟ ସଞ୍ଚାଳକ ଇଂ. ଶିଶିର କୁମାର ନାୟକ ସମୀକ୍ଷକ ଥିଲେ। ପାଇକ ବିଦ୍ରୋହ ଓଡ଼ିଆ ଜାତିର ଅସ୍ମିତା ଓ ସ୍ୱାଭିମାନ। ଭାରତର ସ୍ବାଧୀନତା ପାଇଁ ପ୍ରଥମେ ପାଇକମାନେ ବିଦ୍ରୋହ କରିଥିଲେ। ସ୍ବାଧୀନତା ସଂଗ୍ରାମରେ ସେମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ୧୮୧୭ର ପାଇକ ବିଦ୍ରୋହ ଦେଶର ପରବର୍ତ୍ତୀ ବ୍ରିଟିଶ ବିରୋଧୀ ଆନ୍ଦୋଳନ ପାଇଁ ପ୍ରେରଣା ଦେଇଥିଲା।

ଏଥିରେ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତେ ଯୋଗ ଦେଇ ଓଡ଼ିଶାର ବ୍ରିଟିଶ ଶାସନକୁ ହଟାଇବାକୁ ହାତରେ ଅସ୍ତ୍ରଶସ୍ତ୍ର ଧରିଥିଲେ। ଓଡ଼ିଶାର ପାଇକ ବୀର ଥିଲେ ମଧ୍ୟ ଏକତା ଅଭାବରୁ ବ୍ରିଟିଶ ସେନାର ସଂଗଠିତ ଶକ୍ତି ଆଗରେ ହାରିଯାଇଥିଲେ। ପୁନର୍ବାର ପାଇକ ରେଜିମେଣ୍ଟ ଗଠନ, ବରୁଣେଇରେ ପାଇକ ସ୍ମାରକୀ ସ୍ଥାପନ ଲୋଡ଼ା। ଏଥିପାଇଁ ସମସ୍ତ ଐତିହାସିକ, ବୁଦ୍ଧିଜୀବୀ ଓ ପାଇକ ସଂଗଠନ ଏକଜୁଟ ହେବା ଆବଶ୍ୟକ ବକ୍ତାମାନ‌େ ମତ ଦେଇଥିଲେ।ଦଳବେହେରା ମୃତ୍ୟୁଞ୍ଜୟ ଛୋଟରାୟ, ପ୍ରଫୁଲ୍ଲ ବାହୁବଳେନ୍ଦ୍ର, ସଏଦ୍ ଅବଦୁଲ୍ କଲାମ ଆଜାଦ, ପ୍ରଭାକର ପାଲଟାସିଂହ, ଶ୍ରୀରଂଜନ ମଙ୍ଗରାଜ, ପ୍ରଦୀପ ବିଶ୍ୱାଳ, ପ୍ରଫୁଲ୍ଲ ସାମନ୍ତରାୟ, ଦୈବ୍ୟନାଥ ବରାଳ, ରଶ୍ମିତା ନାୟକ, ନିରଂଜନ ସାମନ୍ତସିଂହାର, ଡଃ. ଦେବେନ୍ଦ୍ରନାଥ ମାନସିଂହ, ଗୋବିନ୍ଦ ଚନ୍ଦ୍ର ମହାରଣା ପ୍ରମୁଖଙ୍କ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଓ ବୁଦ୍ଧି ଯୋଗଦେଇ ପାଇକ ବିଦ୍ରୋହ ସମ୍ପର୍କରେ ନିଜନିଜ ମତ ଦେଇଥିଲେ। ପିଣ୍ଡିକି ବାହୁବଳେନ୍ଦ୍ର ସ୍ମୃତି କମିଟିର ଉପସଭାପତି ଅମରେନ୍ଦ୍ର ମହାପାତ୍ର ଧନ୍ୟବାଦ ଦେଇଥିଲେ। ଧରଣୀଧର ଛୋଟରାୟ ଓ କଳିଙ୍ଗ ପାଇକ ସଂଗଠନର ସଦସ୍ୟମାନେ ଏହାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର