ନାଲକୋ ଜମିହରା ବିବାଦ:୧୪ ଦଫା ଦାବି ଦେଲେ ବିସ୍ଥାପିତ, ଚାଲିବ ଶାନ୍ତିପୂର୍ଣ୍ଣ ଆ‌ନ୍ଦ‌ୋଳନ 

କୋରାପୁଟ: କୋରାପୁଟ ଜିଲ୍ଲା ନାଲକୋ ପରିସରରେ ଆଜି ପୁଲିସ, ବିକ୍ଷୋଭକାରୀ, ପ୍ରଶାସନ ଓ ନାଲକୋର ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ଆଲୋଚନା ହୋଇଛି। ଆଜି ଶାନ୍ତି କମିଟି ବୈଠକରେ କୋରାପୁଟ, ପଟାଙ୍ଗି ଓ ଲକ୍ଷ୍ମୀପୁର ବିଧାୟକ ହୋଇଥିବାବେଳେ ପୁଲିସ ଓ ପ୍ରଶାସନ ପକ୍ଷରୁ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି।

ବୈଠକର ନିଷ୍ପତ୍ତି ଅନୁସାରେ ଆସନ୍ତାକାଲିଠାରୁ ନାଲକୋ ପରିସରରେ ଉତ୍ପାଦନ ଆରମ୍ଭ ହେବ। ଏହାସହ ବିଭିନ୍ନ ଦାବି ମଧ୍ୟରୁ ଏହିଠାରେ କିଛି ସମାଧାନ କରିବାକୁ ରହିଥିବାବେଳେ ଅନ୍ୟ କିଛି ଦାବି କୁ ନେଇ କେନ୍ଦ୍ର ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯିବ। ଦାବି ପୂରଣ ନ ହେଲା ଯାଏ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲିବ ବୋଲି ଜଣାପଡିଛି।

ପୂର୍ବରୁ ପ୍ରଶାସନିକ ଆଲୋଚନା ବିଫଳ ହେବା ପରେ ସେଠାରେ ୧୪୪ ଧାରା ଜାରି କରାଯାଇଥିଲା।  ଏହାକୁ ଅମାନ୍ୟ କରି ବିକ୍ଷୋଭକାରୀମାନେ ମୁତୟନ ଥିବା ପୁଲିସ ଉପରେ ଗୋଡାଇ ଗୋଡାଇ ଟେକାପଥର ମାଡ଼ କରିଥିଲେ। କିଛି ସମୟ ଧରି ନାଲୋକୁ ଯୋଡୁଥିବା ରାସ୍ତା ରଣକ୍ଷେତ୍ର ପାଲଟିଥିଲା।

ପାଞ୍ଚଦିନ ବନ୍ଦ ରହିଛି କୋରାପୁଟ ଜିଲ୍ଲା ଦାମନଯୋଡ଼ି ଠାରେ ଥିବା ନାଲକୋର ଉତ୍ପାଦନ।  ମାଥାଲପୁଟ ନିକଟରେ ବିସ୍ଥାପିତ କଲୋନି ବାସିନ୍ଦା ଓ ପାଖଆଖର ୧୩ଟି ଗ୍ରାମର ଲୋକେ ଧାରଣାରେ ବସିଥିଲେ। ସେମାନଙ୍କ ମୌଳିକ ସମସ୍ୟା ପ୍ରତି ନାଲକୋ କର୍ତ୍ତୃପକ୍ଷଙ୍କ ଅଣଦେଖାକୁ ବିରୋଧ କରି ନାଲକୋ ଖଣିକୁ ଯାଉଥିବା ରାସ୍ତା ଉପରେ ବୁଧବାରରୁ ଆରମ୍ଭ ହୋଇଥିଲା ଆନ୍ଦୋଳନ। ଆନ୍ଦୋଳନକାରୀ ଏହି ଗାଁଗୁଡ଼ିକରେ ମୌଳିକ ସୁବିଧା ପହଞ୍ଚାଇବା ସହ ଜମିହରା ତଥା ବିଧବାମାନଙ୍କୁ ନାଲକୋ କମ୍ପାନିରେ ଚାକିରି ଦେବା ପାଇଁ ଅଡ଼ି ବସିଥିଲେ।

ସମ୍ବନ୍ଧିତ ଖବର