ଖୋର୍ଦ୍ଧା: ରାଜ୍ୟର ଅନ୍ୟତମ ପୁରାତନ ବିଦ୍ୟାଳୟ ଖୋର୍ଦ୍ଧାର ବକ୍ସି ଜଗବନ୍ଧୁ ବିଦ୍ୟାଧର ସରକାରୀ ଉଚ୍ଚ ବିଦ୍ୟାଳୟର ୧୨୫ତମ ସାମ୍ବତ୍ସରିକ ଉତ୍ସବ ପାଳନ ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୁରାତନ ଛାତ୍ର ସଂସଦର ସଭାପତି ତଥା ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଅଧ୍ୟକ୍ଷତା କରିଥିଲେ। ପୁରାତନ ଛାତ୍ର ସଂସଦର ସଂଯୋଜକ ଦେବପ୍ରସାଦ ମଜୁମଦାର ବୈଠକରେ ଉତ୍ସବ ପାଳନର ସମ୍ଭାବ୍ୟ କାର୍ଯ୍ୟସୂଚୀ ନେଇ ତଥ୍ୟ ରଖିଥିଲେ । ନଭେମ୍ବର ୨୫ରୁ ୨୭ ତାରିଖ ଯାଏଁ ଉତ୍ସବ ଆୟୋଜନ କରିବାକୁ ଆପାତତଃ ସ୍ଥିର ହୋଇଛି।
ଏହି ଉତ୍ସବରେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ସମେତ ଅନ୍ୟ ସ୍ୱନାମଧନ୍ୟ ବ୍ୟକ୍ତିଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିବାକୁ ନିଷ୍ପତ୍ତି ହୋଇଛି। ସଂସଦର ସମ୍ପାଦକ ଗୋପାଳକୃଷ୍ଣ ଦାସ, ଏହି ଅବସରରେ ପ୍ରକାଶ ପାଇବାକୁ ଥିବା ସ୍ମରଣିକା ‘ଅବକାଶ'ର ଅଗ୍ରଗତି ନେଇ ତଥ୍ୟ ରଖିଥିଲେ। ଅନ୍ୟତମ ସଂଯୋଜନା ବିମଳ ଚନ୍ଦ୍ର ଷଡ଼ଙ୍ଗୀ ଉତ୍ସବର ସଫଳତା ଓ ବିଦ୍ୟାଳୟର ଉନ୍ନତି ପାଇଁ ପୁରାତନ ଛାତ୍ରମାନେ ଆର୍ଥିକ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ସଂଗୃହିତ ପାଣ୍ଠୀ ସମ୍ପର୍କରେ ଲକ୍ଷ୍ମୀ ନାରାୟଣ ଭଂଜ ତଥ୍ୟ ରଖିଥିଲେ । ବୈକୁଣ୍ଠନାଥ ରାଜଗୁରୁ ଓ ଦିଲିପ ପଟ୍ଟନାୟକ ଏହି ଅବସରରେ ବିଦ୍ୟାଳୟର ଛାତ୍ରଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ସମ୍ପର୍କରେ ଆବଶ୍ୟକ ପ୍ରସ୍ତାବ ରଖିଥିଲେ । ୧୨୫ ବର୍ଷ ପୂର୍ତ୍ତି ଅବସରରେ ବିଦ୍ୟାଳୟର ଛାତ୍ରଙ୍କ ସ୍ୱାଧୀନତା ସଂଗ୍ରାମରେ ଯୋଗଦାନ ଆଦିକୁ ସ୍ମରଣୀୟ ରଖିବାକୁ ଫ୍ଲାଗ୍ ଫାଉଣ୍ଡେସନ ଅଫ୍ ଇଣ୍ଡିଆ ଦ୍ୱାରା ୧୨୫ ଫୁଟର ଜାତୀୟ ପତାକା ସ୍ତମ୍ବ ସ୍ଥାପନ ପାଇଁ ପ୍ରସ୍ତାବ ରହିଥିବା ନେଇ ସଂସଦ ପକ୍ଷରୁ ସୂଚନା ଦିଆଯିବା ସହ ଏନେଇ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା।
ଏହି ଅବସରରେ ବିଧାୟକ ହାତପାଣ୍ଠୀ ଅନୁଦାନରେ ନବୀକରଣ ହୋଇଥିବା ସଭାଗୃହକୁ ବିଧାୟକ ଶ୍ରୀ ମିତ୍ର ଉଦ୍ଘାଟନ କରିଥିଲେ । ୨୦୨୨-୨୩ ୧୦ମ ବୋର୍ଡ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ପର୍ଶୁରାମ ମହାପାତ୍ରଙ୍କୁ ଆର୍ଥିକ ପୁରସ୍କାର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ପ୍ରାକ୍ତନ ଛାତ୍ର ନାରାୟଣ ଦୋରା, ବିଧାନ ଚନ୍ଦ୍ର ମହାନ୍ତି, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଅଂଜନ କୁମାର ରାୟ, ସହକାରୀ ଶିକ୍ଷକ ନବ କିଶୋର ମିଶ୍ର, ଛାତ୍ର ସଂସଦର ସହସମ୍ପାଦକ ସରୋଜ ସୁନ୍ଦର ପଟ୍ଟନାୟକ ପ୍ରମୁଖ ପରିଚାଳନାରେ ସହାୟତା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/BJP-school-ra-125-tama-barshika-utsav-pain-prastuti-Khordha-1.jpeg)