ଚଳିତ ଖରିଫ ଋତୁରେ ୪,୩୭,୦୦୦ ହେକ୍ଟର ଜମିରେ ଖରିଫ ଫସଲ ଲକ୍ଷ୍ୟ ଧାର୍ଯ୍ୟ

ମୟୂରଭଞ୍ଜ ଜିଲ୍ଲା ସ୍ତରୀୟ କୃଷିନୀତି ନିର୍ଦ୍ଧାରଣ କମିଟି ବୈଠକ

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ଚଳିତ ୨୦୨୧ ଖରିଫ ଫସଲ ଚାଷ ପାଇଁ ଜିଲ୍ଲା ସ୍ତରୀୟ କୃଷି ନୀତି ନିର୍ଦ୍ଧାରଣ ବୈଠକ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଗତକାଲି ଗୁଗୁଲମିଟ‌ରେ ଭର୍ଚ୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସଞ୍ଜୟ କୁମାର ମହାନ୍ତି ଜିଲ୍ଲାର କୃଷି ଯୋଜନା କାର୍ଯ୍ୟ ଖସଡା ଉପସ୍ଥାପନ କରି ବିବରଣୀ ପ୍ରଦାନ କରିଥିଲେ।

ଚଳିତ ଖରିଫ ଫସଲ ୨୦୨୧ କାର୍ଯ୍ୟଖସଡା ଉପରେ ବିଷଦ ଭାବରେ ଆଲୋଚନା କରାଯାଇ ମୋଟ ୪ଲକ୍ଷ ୩୭ ହଜାର ହେକଟର ଜମୀରେ ବିଭିନ୍ନ ଖରିଫ ଫସଲ କରାଯିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏଥିରେ ବିଭିନ୍ନ ଫସଲ ମଧ୍ୟରେ ୨ଲକ୍ଷ ୮୩ ହଜାର ହେକଟର ଜମୀରେ ଧାନ ଓ ଅଣଧାନ ଯଥା ମକା ୪୦୦ ହେକଟର, ଡାଲିଜାତୀୟ ୫୮ ହଜାର ୯୪୦ ହେକଟର, ତୈଳବୀଜ ଜାତୀୟ ଫସଲ ୭ହଜାର ୪୫ ହେକଟର, ପନିପରିବା ଜାତୀୟ ଫସଲ ୭୦ହଜାର ୯୮୫ ହେକଟର ଓ ମସଲା ଜାତୀୟ ୧୫ ହଜାର ହେକଟର ଜମୀରେ ଫସଲ କରାଯିବାର ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖା ଯାଇଛି।

ଚାଷୀ ମାନଙ୍କୁ ଅଣଧାନ ଫସଲ ଚାଷ ପ୍ରତି ପ୍ରତ୍ସାହିତ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ଭରଦ୍ୱାଜ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାର ବିଭିନ୍ନ ଜଳସେଚିତ ଉପଯୋଗୀତାକୁ ଦୃଷ୍ଟି ଦେଇ ଚାଷ ଜମୀରେ ଅଣଧାନ ଫସଲ ଉପରେ ମକା, ମୁଗ ଓ ପନୀପରିବା ଚାଷର ଅଧିକ ପ୍ରସାର କରିବା ପାଇଁ ମଧ୍ୟ ଗୁରୁତ୍ୱ ଦିଆଯାଇ ଥିବା ବେଳେ, ଜଳସେଚନ ପ୍ରକଲ୍ପ ଅଂଚଳରେ ଥିବା ଚାଷଜମୀରେ ୧ଲକ୍ଷ ୫୪ ହଜାର ୯୬୧ ହେକଟର ଜମୀରେ ଅଣଧାନ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।

ସେହିପରି ଧାନ, ମୁଗ, ବିରି, ହରଡ, ଧନିଚା, ଖସା ଆଦି ମିଶ୍ରଫସଲ ମୋଟ ୧ଲକ୍ଷ ୪ହଜାର ୬୧୫ କୁଇଂଟାଲ ବିହନ ଚାଷୀଙ୍କୁ ଯୋଗାଇ ଦେବାର ଲକ୍ଷ୍ୟ ରଖା ଯାଇଛି। ଏଥି ସହିତ ବୈଠକରେ ୨୮ ତମ କୃଷିବୈଷୟିକ ପରିଚାଳନା ସଂସ୍ଥା (ଆତ୍ମା) ଯୋଜନା କାର୍ଯ୍ୟକ୍ରମ ଉପରେ ଉପସ୍ଥାପିତ କାର୍ଯ୍ୟଖସଡା ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇ ୨୦୨୧ ବର୍ଷର ରବି ଫସଲ ଚାଷ କାର୍ଯ୍ୟକ୍ରମରେ ଗତ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ହୋଇ ଥିବା ବ୍ୟୟ ଏବଂ ଚଳିତ ଖରିଫ ଫସଲ ଚାଷ କାର୍ଯ୍ୟକ୍ରମରେ ଚାଷୀ ମାନଙ୍କ ପାଇଁ ଉଦିଷ୍ଟ ଥିବା କୃଷି ଭିତ୍ତିକ ଦକ୍ଷତା ବିକାଶ ଓ ସ୍ୱାବଲମ୍ବି ପାଇଁ ପ୍ରସ୍ତାବିତ ଯୋଜନା ଅଟକଳ ଅନୁମୋଦନ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା।

ଏହି ଅବସରରେ ସହକାରୀ କୃଷି ନିର୍ଦ୍ଦେଶକ ତଥା ମୃତ୍ତିକା ରସାୟନବିତ ମନୋଜ କୁମାର ଚାନ୍ଦଙ୍କ ଦ୍ୱାରା ପ୍ରସ୍ତୁତ ଗ୍ରାମ୍ୟ ସ୍ତରୀୟ ମୃତ୍ତିକା ସ୍ୱାସ୍ଥ୍ୟ ଇନଡେକ୍ସ ପୁସ୍ତିକା ଜିଲ୍ଲାପାଳଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ୩ହଜାର ୭୫୧ ଗ୍ରାମରେ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ ଜରିଆରେ ଚାଷୀମାନେ ସେମାନଙ୍କ ଜମୀର ସ୍ୱାସ୍ଥ୍ୟ ବୀବରଣୀ ସମନ୍ଧରେ ଜାଣି ସାରର ସୁପରିଚାଳନା କରିବାରେ ବେଶ ସହାୟକ ହୋଇ ପରିବା ଦିଗରେ ଗୁରୁତ୍ୱ ଦିଆଯାଇଛି।

ଉକ୍ତ ବୈଠକରେ ପିଡି ଡିଆରଡିଏ, ଭବେଷ କୁମାର ନାୟକ, ଜିଲ୍ଲା ଜରୁରୀ ଅଧିକାରୀ ଡେପୁଟୀ କଲେକ୍ଟର ସୁଜୟ କୁମାର ପତି, ଉଦ୍ୟାନ କୃଷି ଉପନିର୍ଦ୍ଦେଶକ ଦୟାନିଧି ରାଉତ, ଡିଆରସିଏସ ଦମୟନ୍ତୀ ସିଂହ, ଶ୍ୟାମାଖୁଂଟା କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ସଂଘମିତ୍ରା ପଟ୍ଟନାୟକ, ଯଶିପୁର କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଦୀପକ କୁମାର ମହାନ୍ତି, ଏଲ.ଡି.ଏମ. ବ୍ୟାଙ୍କ ଅଫ ଇଣ୍ଡିଆ ଦୁଲାରାମ ମାଝି, ଡି.ଡି.ଏମ. ନାବାର୍ଡ ପ୍ରମୁଖ ସମେତ ଜିଲ୍ଲାର ସମସ୍ତ କୃଷି ଅଧିକାରୀ, ଉଦ୍ୟାନ କୃଷି ଅଧିକାରୀ ଓ ସଂପୃକ୍ତ ବିଭାଗୀୟ ପଦାଧିକାରୀ ମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର