ଏନଏସଏସ ଉପଦେଷ୍ଟା ମଣ୍ଡଳୀ ବୈଠକ: ବନାଗ୍ନି ରୋକିବାକୁ ହେବ ସଚେତନତା ପଦଯାତ୍ରା

ବାରିପଦା: ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ  ଜାତୀୟ ସେବା ଯୋଜନା (ଏନଏସଏସ) ଉପଦେଷ୍ଟା ମଣ୍ଡଳୀର ଏକ ବୈଠକ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର କିଶୋର କୁମାର ବସାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି। ଜାତୀୟ ସେବା ଯୋଜନା ବ୍ୟୁରୋର ସଂଯୋଜକ ଶୁଭେନ୍ଦୁ ଦାସ ବିଗତ ବର୍ଷରେ ହୋଇଯାଇଥିବା କାର୍ଯ୍ୟକ୍ରମର ବିବରଣୀ ପ୍ରଦାନ ସହିତ ୨୦୨୧-୨୨ ଶିକ୍ଷା ବର୍ଷ ପାଇଁ ବାର୍ଷିକ ଖର୍ଚ୍ଚର ଯୋଜନା ଅଟକଳ ପାଇଁ ପ୍ରସ୍ତାବ ଆଗତ କରି କାର୍ଯ୍ୟସୂଚୀ ଉପସ୍ଥାପନ କରିଥିଲେ। ଉପସ୍ଥିତ ସମସ୍ତଙ୍କୁ କୂଳପତି ଏନଏସଏସ୍‌କୁ ବିଶେଷ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ ନିମନ୍ତେ ସହଯୋଗ କାମନା କରି କେତେକ ଉଲ୍ଲେଖନୀୟ ପ୍ରସ୍ତାବ ପ୍ରଦାନ କରିଥିଲେ। ମହାବିଦ୍ୟାଳୟ ସ୍ତରରେ ଅନ୍ତରୀଣ ରିଭ୍ୟୁ କରିବାପାଇଁ ପରାମର୍ଶ ଦେବା ସହିତ, ଅଗ୍ନି ନିରାପତ୍ତା ସହିତ ଜଙ୍ଗଲ ଅଗ୍ନି ନିରୋଧ ସମ୍ୱନ୍ଧରେ ଏକ ବଡ଼ ଧରଣର ପଦଯାତ୍ରା  ଜିଲ୍ଲା ପ୍ରଶାସନ ସହଯୋଗରେ ବିଶ୍ୱବିଦ୍ୟାଳୟରୁ ଆରମ୍ଭ କରି ୧୦୦ ଟି ଗ୍ରାମ ପ୍ରଦକ୍ଷିଣ ସହିତ ବାର୍ତ୍ତା ଦିଆଯିବାକୁ ପରାମର୍ଶ ଦେଇଥିଲେ। ଏହା ସହିତ ମୟୁରଭଞ୍ଜ ଓ କେଉଁଝରର ସମସ୍ତ ସବଡିଭିଜନରେ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ୱନ୍ଧୀୟ କାର୍ଯ୍ୟକ୍ରମ ସହିତ ବିକାଶମୂଳକ କାର୍ଯ୍ୟକ୍ରମ କରିବା ପାଇଁ ପ୍ରସ୍ତାବ ଦେଇଥିଲେ।
ନିଶା ସେବନ ଦ୍ୱାରା ଧନ ଜୀବନ କ୍ଷତି ହେବା ସହିତ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହେଉଥିବାରୁ ଏହାର ନିରାକରଣ ନିମନ୍ତେ ସୁଚିନ୍ତିତ କାର୍ଯ୍ୟପନ୍ଥା ସ୍ଥିର ପାଇଁ ଜାତୀୟ ସେବା ଯୋଜନା ପ୍ରମୁଖ ଭୂମିକା ଗ୍ରହଣ ନିମନ୍ତେ ପରାମର୍ଶ ଦେଇ କୂଳପତି ସମସ୍ତଙ୍କର ସହଯୋଗ କାମନା କରିଥିଲେ। ଏହି ବୈଠକରେ ରାଜ୍ୟ ଜାତୀୟ ସେବା ଯୋଜନା ଅଧିକାରୀ ତଥା ଉଚ୍ଚଶିକ୍ଷା ବିଭାଗର ଉପସଚିବ ରମେଶ ଚନ୍ଦ୍ର ବେହେରା, ବିଶ୍ୱବିଦ୍ୟାଳୟ କୂଳସଚିବ ସହଦେବ ସମାଡିହା, ସ୍ନାତକତ୍ତୋର ପରିଷଦର ଅଧ୍ୟକ୍ଷ ପ୍ରଫେସର ଅନିଲ କୁମାର ବିଶ୍ୱାଳ, ବିତ୍ତଅଧିକାରୀ ଶୁକଦେବ ତରେଇ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ସୁଜୟ ପତି, ସମାଜସେବୀ ବିବେକାନନ୍ଦ ପଟ୍ଟନାୟକ, ଏମ ହିମା ବିନ୍ଦୁ, ପ୍ରମୋଦ କୁମାର ଶତପଥୀ, ଏମ.ପି.ସି କଲେଜ ଅଧ୍ୟକ୍ଷା ଦମୟନ୍ତୀ ବେଶ୍ର, ଲକ୍ଷ୍ମୀକାନ୍ତ କଲେଜ ଅଧ୍ୟକ୍ଷା ପୁଷ୍ପା ପାତ୍ର, ଏମ.ସି.ଏମ କଲେଜ ଅଧ୍ୟକ୍ଷ ପ୍ରଦୀପ ନାୟକ, ନୂଆସାହି କଲେଜ ଅଧ୍ୟକ୍ଷା ଲିପିକା ବେହେରା, ବିଷ୍ଣୁୟା ହାଁସଦା, ସଂଜୟ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ତୃପ୍ତି ପାତ୍ର, ରୀକା ପଣ୍ଡା ଏବଂ ରାମଚନ୍ଦ୍ର ମୁଖୀ ଉପସ୍ଥିତ ଥାଇ ସହଯୋଗ କରିଥିଲେ। ଜାତୀୟ ସେବା ଯୋଜନା ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ସ୍ମୃତି ରଞ୍ଜନ ଦାସ ସମସ୍ତଙ୍କର  ଉପସ୍ଥିତି ଆଲୋଚନା ଓ ବୈଠକର ସଫଳତା ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ।
ସମ୍ବନ୍ଧିତ ଖବର