ଭଞ୍ଜନଗର: ଆଗକୁ ଆସୁଛି ପାର୍ବଣ ଋତୁ। ଏହି ସମୟରେ ଅପରାଧକୁ ନିୟନ୍ତ୍ରଣ କରିବା ସହ ନିର୍ବାଚନ ପୂର୍ବରୁ ଗ୍ରାମାଞ୍ଚଳ ଗୁଡ଼ିକରେ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରିବା ନିମନ୍ତେ ପୁଲିସ ପକ୍ଷରୁ ପାଗଭିଡ଼ା ଆରମ୍ଭ ହୋଇଛି। ଏବେଠାରୁ ହିଁ ଆଇନ ଶୃଙ୍ଖଳାକୁ ନିୟନ୍ତ୍ରଣ କରି ଅପରାଧୀକ କାର୍ଯ୍ୟକଳାପକୁ ଦମନ କରିବା ପାଇଁ ବ୍ଳୁପ୍ରିଣ୍ଟ୍ ପ୍ରସ୍ତୁତ ହୋଇଛି। ଏନେଇ ଭଞ୍ଜନଗର ପୁଲିସ ଉପଖଣ୍ଡ ପୁଲିସର ଏକ ସମୀକ୍ଷା ବୈଠକ ଏସ୍ଡ଼ିପିଓଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏସ୍ଡ଼ିପିଓ ଶୁଭ୍ରାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଶେଷ କରି ପାର୍ବଣ ସମୟରେ ଦାଦା ବଟି ମାଗୁଥିବା ଅପରାଧୀ ମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ପେଶାଗତ ଅପରାଧ ମାନଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ଜଣାପଡିଛି। ଏଥିସହ ଆଗକୁ ପଞ୍ଚାୟତ ନିର୍ବାଚନ ସମୟରେ ଯେଉଁଭଳି କୌଣସି ଅପ୍ରତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥି ନିମନ୍ତେ ଏବେ ଠାରୁ ପୁଲିସ୍ ସମ୍ବେଦନଶୀଳ ଗ୍ରାମ ପ୍ରତି କଡା ଦୃଷ୍ଟି ରଖି ଠିକଣା ସମୟରେ ଘଟଣା ସ୍ଥଳରେ ପହଞ୍ଚି ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଆଲୋଚନା ହୋଇଥିଲ।

Advertisment

ଏଥିସହ ପୁରୁଣା ୱାରେଣ୍ଟ୍, ମାଦକ ଦ୍ରବ୍ୟ କାରବାର ଧରପଗଡ, ଯାନ ବାହାନ ଯାଞ୍ଚ କଡାକଡି କରିବା ନେଇ ଆଲୋଚନା ହୋଇଥିଲା। ଏଥିସହ ତୁରନ୍ତ ଥାନାରେ ପଡି ରହିଥିବା ମାମାଲା ଗୁଡ଼ିକର ଫଇସଲା କରିବା ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ସମସ୍ତ ଥାନା ଅଧିକାରୀଙ୍କୁ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ। ବର୍ତ୍ତମାନ କିଛି ନୂଆ ଅପରାଧୀ ମୁଣ୍ଡ ଟେକୁ ଥିବାରୁ ସେମାନଙ୍କୁ ଦମନ କରିବା ସହ ଜନସାଧାରଣଙ୍କ ଧନଜୀବନ ସୁରକ୍ଷା ପାଇଁ ପୁଲିସ କିଭଳି କଡା ଆଭିମୁଖ୍ୟ ଗ୍ରହଣ କରିବ ସେଦିଗରରେ ଆଲୋଚନା କରାଯାଇଥିଲା। ଏହି ବୈଠକରେ ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ, ଗାଙ୍ଗପୁର ଥାନା ଅଧିକାରୀ ଧୀରେଶ କୁମାର ଦାସ, ବୁଗୁଡ଼ା ଥାନା ଅଧିକାରୀ ଚିତ୍ତରଞ୍ଜନ ବେହେରା, ତାରସିଂହ ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାସ, ଗାଲେରୀ ଫାଣ୍ଡି ଅଧିକାରୀ ଚନ୍ଦ୍ର ଶେଖର ବେହେରା, ବାଲିପଦର ଫାଣ୍ଡ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଜଗନ୍ନାଥପ୍ରସାଦ ଏସ୍ଆଇ ସୁଶାନ୍ତ ପ୍ରଧାନ ପ୍ରମୁଖ ଏହି ବୈଠକରେ ଉପସ୍ଥିତ ଥିଲେ।