କାଗଜ କଳ ଅବସରପ୍ରାପ୍ତ ଶ୍ରମିକଙ୍କ ବୈଠକ: ୧୧ଦିନ ପରେ ବି ଚାଳୁ ହୋଇନି ମିଲ୍

ଜୟପୁର:  ଆଜି ସେବା କାଗଜ କଳ ଅବସରପ୍ରାପ୍ତ ଶ୍ରମିକମାନଙ୍କ ବୈଠକ ସ୍ଥାନୀୟ ଯାଦବ ଭବନ ଠାରେ ଆବାହକ ତଥା ଫାଷ୍ଟ ୟୁନିଅନ ସଭାପତି ପ୍ରମୋଦ କୁମାର ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଗତ ୨୭ତାରିଖରୁ ୧୧ଦିନ ହେବ କାଗଜକଳ କଂଚାମାଲ ଅଭାବରୁ ବନ୍ଦ ପଡ଼ିଥିବାକୁ  ନେଇ ସରଗରମ ଆଲୋଚନା କରାଯାଇଥିଲା। ଏହା ସାଙ୍ଗକୁ ଜିଲ୍ଲାପାଳ ଆସନ୍ତା ୯ତାରିଖ ଦିନ ନିଜ କାର୍ଯ୍ୟାଳୟରେ ରଖିଥିବା ବୈଠକକୁ ଅଚାନକ ଭାବେ ସାମୟିକ ସ୍ଥଗିତ କରିବା ସହ ପରବର୍ତ୍ତୀ ତାରିଖ ନିର୍ଦ୍ଧାରଣ କରି ଜଣାଇବେ ବୋଲି ଚିଠି କରି ଜଣାଇଛନ୍ତି। ଏହି ଚିଠିକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳ କରିବାକୁ ଥିବା ପରବର୍ତ୍ତୀ ବୈଠକ ପର୍ଯ୍ୟନ୍ତ ଅପେକ୍ଷା କରିବା ସହ ଏହାରି ମଧ୍ୟରେ ରାଜ୍ୟ ସରକାର ନୂଆରେ କାଗଜକଳର ପରିଚାଳନା ଭାର ନେଇଥିବା ମଦର ଆର୍ଥ୍ କମ୍ପାନୀକୁ ଦେଇଥିବା ଏନ୍ ଓ ସି (ନୋଓଭଜେକ୍ସନ୍ ସାର୍ଟିପିକେଟ) ସମ୍ବନ୍ଧରେ ସୂଚନା ଅଧିକାର ବଳରେ ଇଡକଲ ଠାରୁ ତଥ୍ୟ ମଗାଯିବା ପାଇଁ ନିଷ୍ପତ୍ତି ହୋଇଥିଲା। ସୂଚନା ଅଧିକାରରେ ସବୁ ତଥ୍ୟ ମିଳିବା ପରେ କୋର୍ଟର ଆଶ୍ରୟ ନେବାକୁ ନିଷ୍ପତ୍ତି ହୋଇଥିଲା। ଏଥିରେ ଇଡିକଲ୍ , ମୁଖ୍ୟ ଶାସନ ସଚିବ, ଶିଳ୍ପ ଓ ଶ୍ରମ ସଚିବ ଙ୍କୁ ପକ୍ଷଭୁକ୍ତ କରାଯିବାକୁ ନିଷ୍ପତି ନିଆଯାଇଥିଲା।

ଗତ ୧୧ଦିନ ହେବ କାଗଜକଳ କଂଚାମାଲ ଅଭାବରୁ ବନ୍ଦ ରହିଛି। ପରିଚାଳନା କର୍ତ୍ତୃପକ୍ଷ କଂଚାମାଲ ଆସିଲେ ହିଁ ମିଲ୍ ଚାଳିବ ବୋଲି ସପେଇ ଦେଉଛନ୍ତି। ତେବେ କଂଚାମାଲରେ କାଠ, କୋଇଲା ଓ କେମିକାଲ ଯୋଗାଉଥିବା ‌ସଂସ୍ଥା ଗୁଡିକର ବକେୟା ବ୍ୟାପକ ପରିମାଣର ରହିଥିବାରୁ ସେମାନେ ଏହାର ଭରଣା କରିବା ପରେ ହିଁ ଯୋଗାଇବେ ବୋଲି କହୁଥିବା ଶ୍ରମିକ ସଂଗଠନର ନେତା ଓ କାଠ ଯୋଗାଣ କରୁଥିବା ଜୈନେକ ଠିକାଦାର କହିଛନ୍ତି। ଅପରପକ୍ଷରେ ମିଲ୍ ଚାଳୁ ନଥିଲେ ହେଁ କର୍ମଚାରୀ ମାନେ ପୂର୍ବପରି ପ୍ରତିଦିନ ନିଜ ନିଜ ସିପ୍ଟରେ ମିଲକୁ ଯାଉଛନ୍ତି। ଏହି ସ୍ଥିତି ଲାଗି ରହିଲେ ପୁଣି ମିଲ୍ ବନ୍ଦ ହୋଇ ଯିବ ନାହିଁତ ଏହି  ସଂଦେହ ସଂପ୍ରତି ଦେଖାଦେଇଛି ଶ୍ରମିକ ନେତା ମାନେ ସଂଦେହ ପ୍ରକାଶ କରୁଛନ୍ତି। ରାଜ୍ୟସରକାର, ଜିଲ୍ଲାପ୍ରଶାସନ, ସ୍ଥାନୀୟ ଲୋକପ୍ରତିନିଧି ମାନେ ଏଦିଗରେ ଦୃଷ୍ଟି ଦେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

 

ସମ୍ବନ୍ଧିତ ଖବର