ରାଉରକେଲା : କରୋନାର ଦ୍ବିତୀୟ ଲହରକୁ ମୁକାବିଲା କରିବାକୁ ପୁରା ସଜାଗ ହୋଇଛି ସୁନ୍ଦରଗଡ ଜିଲ୍ଲା ପ୍ରଶାସନ। ରାଜ୍ୟରେ ଆକ୍ରାନ୍ତ ସଂଖ୍ୟା ତାଲିକାରେ ସୁନ୍ଦରଗଡ ଜିଲ୍ଲା ସର୍ବଦା ପ୍ରଥମ ଓ ଦ୍ବିତୀୟ ସ୍ଥାନରେ ରହୁଥିବାରୁ ବେଶ୍ ତତ୍ପର ହୋଇଛନ୍ତି ପ୍ରଶାସନିକ ଅଧିକାରୀ। ଆଗାମୀ ଦିନରେ ସହରରେ ସଚେନନତା କାର୍ଯ୍ୟକ୍ରମ, ଟିକାକରଣ, ଏନ୍ଫୋର୍ସମେଣ୍ଟ ସ୍କ୍ବାର୍ଡ ଗଠନ ସହ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡି କରିବାକୁ ନେଇ ଆଜି ଜିଲ୍ଲା ପ୍ରଶାସନର ଗୁରୁତ୍ବପୂର୍ଣ୍ଣ ବୈଠକ ଅତିରିକ୍ତ ଜିଲ୍ଲାପାଳଙ୍କ ଅଫିସରେ ଅନୁଷ୍ଠିତ ହୋଇଯାଇଛି।
ଅତିରିକ୍ତ ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଏହି ବୈଠକରେ ଅଧ୍ୟକ୍ଷତା କରିଥିଲେ। ଉପସ୍ଥିତ ଥିଲେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରାଉରକେଲା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡା, ଏସ୍ପି ମୁକେଶ କୁମାର ଭାମୁ, ପାନପୋଷ ଉପଜିଲ୍ଲାପାଳ ଦୌଲତ ଚନ୍ଦ୍ରାକାର, ଆର୍ଏମ୍ସିର ଡେପୁଟି କମିଶନର ସୁଧାଂଶୁ ଭୋଇ, ସୀତାଦେବୀ ମାଝି, ଆର୍ଜିଏଚ୍ର ଡାକ୍ତର ଶଶାଙ୍କ କବି ଶତପଥୀ, ପାନପୋଷ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ପୁଷ୍ପାମିତ୍ର ମିଶ୍ର ସମେତ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀ। ବୈଠକରେ ବଢ଼ୁଥିବା ସଂକ୍ରମଣକୁ ରୋକିବାକୁ ୪/୫ଟି ପ୍ରମୁଖ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍)ରେ ପୂର୍ବଭଳି ଦୈନିକ ୪୦୦ ଆର୍ଟିପିସିଆର୍ ପରୀକ୍ଷା କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ରାତ୍ରୀକାଳୀନ କର୍ଫ୍ୟୁ ନିୟମ, ସାମାଜିକ ଦୂରତା, ମାସ୍କ ପିନ୍ଧୁ ନଥିବା ଲୋକଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନ ଅଧିକାରୀ ଓ ପୁଲିସଙ୍କୁ ନେଇ ଏନ୍ଫୋର୍ସମେଣ୍ଟ ସ୍କ୍ବାର୍ଡ ଗଠନ କରାଯିବ। ସ୍କ୍ବାର୍ଡ ଟିମ୍ ସହରର ପ୍ରମୁଖ ଜନଗହଳିପୂର୍ଣ୍ଣ ବଜାର, ସ୍ଥାନରେ ଯାଞ୍ଚକୁ କଡାକଡି କରିବେ। ଅନୁରୂପ ଭାବେ ଆର୍ଜିଏଚ୍ରେ ଆଇସୋଲେସନ୍ କେନ୍ଦ୍ରର ବେଡ୍ ସଂଖ୍ୟାକୁ ବୃଦ୍ଧି କରାଯିବ। ଆର୍ଜିଏଚ୍, ଆଇଜିଏଚ୍, ଛେଣ୍ଡ କଲୋନି ଆହୂତି ଭବନ, ପାନପୋଷ ଉପଖଣ୍ଡସ୍ତରୀୟ ଡାକ୍ତରଖାନା, ସାରନଗରୀରେ ଟିକାକରଣ କେନ୍ଦ୍ର ଖୋଲାଯାଇଛି। ଆଗାମୀ ଦିନରେ ଏହି ଟିକାକରଣ କେନ୍ଦ୍ରକୁ ବୃଦ୍ଧି କରାଯିବ ବୋଲି ବିଧାୟକ ଶ୍ରୀ ନାୟକ କହିଛନ୍ତି। ସେ କହିଛନ୍ତି, ସହରକୁ ଯେତିକି ଟୀକା ଆସିଥିଲା, ତାହା ପ୍ରାୟ ଶେଷ ହେବାକୁ ଯାଉଛି। ଚାହିଦା ବଢ଼ୁଥିବାରୁ ଆସନ୍ତାକାଲି (ବୁଧବାର) ସୁଦ୍ଧା ସହରକୁ ଅଧିକ ସଂଖ୍ୟାରେ ଟୀକା ଆସୁଛି। ପ୍ରତ୍ୟେକ ଟିକାକରଣ କେନ୍ଦ୍ରରେ ଟୀକା ନେବାକୁ ଆସୁଥିବା ଲୋକଙ୍କୁ ଜାଣିବାକୁ ଡିସ୍ପ୍ଲେ ବୋର୍ଡ ଲଗାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିସହ ପ୍ରତ୍ୟେକ ବିଭାଗ ନିଜ ନିଜର କାମ ଠିକ୍ ଭାବେ କରିବାକୁ ଅତିରିକ୍ତ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/WhatsApp-Image-2021-04-06-at-21.38.23.jpeg)