ଖୋର୍ଦ୍ଧା ପୌରାଂଚଳରେ କୋଭିଡ୍ ସଂକ୍ରମଣ ନେଇ ସମୀକ୍ଷା ବୈଠକ

କଟକଣା କୋହଳ ହେଲେ ହେଁ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯିବ: ଜିଲ୍ଲାପାଳ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ଗତ ୧ ମାସରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଥିବା କୋଭିଡ୍ କଟକଣାକୁ ଆସନ୍ତା ୧୭ ତାରିଖ ଠାରୁ କୋହଳ କରାଯାଇଛି। ଦୋକାନ ବଜାର ସକାଳ ୬ରୁ ଅପରାହ୍ନ ଗୋଟାଏ ଯାଏଁ ଖୋଲା ରଖିବାକୁ ଅନୁମତି ଦିଆଯାଇଛି। ତେବେ ଏହି କୋହଳରେ ମାସ୍କ ପିନ୍ଧିବା, ଗହଳି କମାଇବା, ସାମାଜିକ ଦୂରତ୍ୱ ରକ୍ଷା କରିବା ଆଦି ନିୟମ କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲାପାଳ ସନତ କୁମାର ମହାନ୍ତି ନିର୍ଦେଶ ଦେଇଛନ୍ତି। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଖୋର୍ଦ୍ଧା ଓ ଅନ୍ୟ ପୌରାଂଚଳରେ କରୋନା ସଂକ୍ରମଣର ସ୍ଥିତି, ଲକ୍‌ଡ଼ାଉନ କୋହଳ ହେବା ପରେ ସମ୍ଭାବ୍ୟ ପଦକ୍ଷେପ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରୁ ମିଳିଥିବା ସୂଚନାନୁସାରେ, ସକାଳ ୬ଟାରୁ ଅପରାହ୍ନ ଗୋଟାଏ ଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ରାତ୍ରୀକାଳୀନ କର୍ଫ୍ୟୁ ପୂର୍ବଭଳି ଜାରି ରହିବ। ଏହାସହ ଦୁଇ ଦିନିଆ ସପ୍ତାହନ୍ତ ସଟ୍‌ଡାଉନ୍ ମଧ୍ୟ ଆସନ୍ତା ଜୁଲାଇ ୧ ତାରିଖ ଯାଏଁ ବଳବତ୍ତର ରହିବ। ତେବେ କଟକଣା କୋହଳ ହେବା ପରେ କୋଭିଡ୍ ନିୟମ ପାଳନ ଉପରେ ଗୁରୁତ୍ୱ ଦିଆଯିବ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟବସାୟୀ ସଂଘର ସହାୟତା ଲୋଡାଯାଇଛି। ଯେଉଁ ଦୋକାନୀ ଏହି ନିୟମ ପାଳନ କରିବେ ନାହିଁ, ଦୋକାନରେ ଅଯଥା ଗହଳି ରଖିବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ସହ ଦୋକାନ ସାମଗ୍ରୀ ଯେଭଳି ଗ୍ରାହକଙ୍କ ଘରକୁ ଯୋଗାଇ ଦିଆଯିବ ସେନେଇ ବ୍ୟବସ୍ଥା କରିବାକୁ ଜିଲ୍ଲାପାଳ ବ୍ୟବସାୟୀ ସଂଘକୁ ପରାମର୍ଶ ଦେଇଛନ୍ତି।

ଖୋର୍ଦ୍ଧା ଗ୍ରାମାଂଚଳରେ ଅନ୍ୟ ଅଂଚଳ ଅପେକ୍ଷା ଖୋର୍ଦ୍ଧା ପୌର ପରିଷଦରେ ସର୍ବାଧିକ ସଂକ୍ରମିତ ଅଛନ୍ତି। ଏଣୁ ଖୋର୍ଦ୍ଧା ପୌରପରିଷଦରେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ବର୍ଷାଋତୁ ଆରମ୍ଭ ହୋଇଯାଇଥିବାରୁ ସହରର ପରିମଳ ଓ ପରିଚ୍ଛନ୍ନତା ଯେଭଳି ସ୍ୱାଭାବିକ ରହିବ ସେନେଇ ବ୍ୟବସ୍ଥା କରିବାକୁ ପୌର ପରିଷଦକୁ ନିର୍ଦେଶ ଦିଆଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ, ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଖୋର୍ଦ୍ଧା ପୌରପରିଷଦ ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଶତପଥି, ଖୋର୍ଦ୍ଧା ପୌରାଂଚଳ ବ୍ୟବସାୟୀ ସଂଘର କର୍ମକର୍ତା ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର